ପ୍ରବାସୀ ଓଡିଆଙ୍କୁ ଲୁଟୁଛନ୍ତି ରିଟେଲର
ରାଜନଗରରୁ ବସନ୍ତ କୁମାର ହାତି : କେନ୍ଦ୍ର ଓ ରାଜ୍ୟ ସରକାର ଭୂତ ରାସନକାର୍ଡ ଚିହ୍ନଟ ପାଇଁ ଇ-କେୱାଇସି କରିବାକୁ ଯୋଜନା କରିଥିଲେ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଭୂତ ରାସନକାର୍ଡରେ ଲୁଟ ହେଉଥିବା ରାସନ ସାମଗ୍ରୀକୁ ରୋକିବା ପାଇଁ ଇ-କେୱାସିର ବ୍ୟବସ୍ଥା କରିଛନ୍ତି । ସାଧାରଣତଃ ଗୋଟିଏ ରାସନକାର୍ଡରେ ଥିବା ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ ଜଣେ ହିତାଧିକାରୀ ଆଙ୍ଗୁଠି ବା ଆଖି ଛାପ ଦେଇ ପରିବାରର ସମସ୍ତ ରାସନ ସାମଗ୍ରୀ ନେବାରେ ସକ୍ଷମ ହେଉଥିଲେ । ଅନେକ ସମୟରେ ଏହି ହିତାଧିକାରୀଙ୍କ ମଧ୍ୟରୁ କେହି ମୃତୁ୍ୟବରଣ କରିଥିଲେ ମଧ୍ୟ ପ୍ରଶାସନ ଜାଣିବାକୁ ପାଉନଥିଲା । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ରାଜ୍ୟ ସରକାର କାର୍ଡରେ ଥିବା ସମସ୍ତ ହିତାଧିକାରୀ ଅଛନ୍ତି କିମ୍ବା ନାହାନ୍ତି ଯାଂଚ କରିବା ପାଇଁ ଇ-କେୱାଇସିର ବ୍ୟବସ୍ଥା କରିଛନ୍ତି । ଯାହାଫଳରେ କାର୍ଡରେ ସଦସ୍ୟ ଥିବା ମୃତ କିମ୍ବା ନିଖୋଜ ବ୍ୟକ୍ତି ଜଣାପଡିବେ । ଏହାର ସୁଯୋଗ ନେଇ ରିଟେଲରମାନେ ଅର୍ଥ ରୋଜଗାର ପାଇଁ ଭିନ୍ନ ଯୋଜନା କରିଛନ୍ତି । ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡିଆଙ୍କୁ ଲୁଟିବା ପାଇଁ କିଛି ରିଟେଲର ଯୋଗାଣ ବିଭାଗ ଦେଇଥିବା ମେସିନ ନେଇ ବିଭିନ୍ନ ସହରକୁ ଯାଇଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକର ବନ୍ଧପଡା, ରାଜପୁର ଓ ଭିତରଗଡ ପ୍ରଭୃତି ପଚାଂୟତର କିଛି ରିଟେଲର ଇ-କେୱାସି କରିବା ପାଇଁ ହାଇଦ୍ରାବାଦ, ଦିଲ୍ଲୀ, ପୁନେ, ମୁମ୍ବାଇ, ଗୁଜୁରାଟ, କେରଳ, ବାଙ୍ଗାଲୋର, ସୁରଟ ବିଭିନ୍ନ ସହରକୁ ଯାଇଛନ୍ତି । ପ୍ରବାସୀ ହିତାଧିକାରୀମାନଙ୍କଠାରୁ ମୁଣ୍ଡ ପିଛା ୫ଶହରୁ ହଜାରେ ଟଙ୍କା ଲେଖାଏ ଆଦାୟ କରି ଇ-କେୱାଇସି କରୁଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକ ଯୋଗାଣ ବିଭାଗ ଅଧିନରେ ୩୬ହଜାର ୪ଶହ ୧୬ଟି ରାସନକାର୍ଡ ରହିଛି । ପ୍ରାୟ ଦେଢଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀ ରାସନ ସାମଗ୍ରୀ ପାଉଛନ୍ତି । ଏହି ହାତାଧିକାରୀଙ୍କ ମଧ୍ୟରୁ ବହୁ ଲୋକ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଛନ୍ତି । ସରକାର ବାହାର ରାଜ୍ୟରେ ଥିବା ଶ୍ରମିକମାନଙ୍କ ନିକଟକୁ ଟିମ୍ ପଠାଇ ଇ-କେୱାସି କରିବାକୁ ଯୋଜନା କରୁଥିବା ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏପରି ସ୍ଥିତିରେ ରିଟେଲରମାନେ ଚତୁରତାର ସହିତ ବିଭାଗକୁ ଚକମା ଦେଖାଇ ମେସିନ ନେଇ ପ୍ରବାସୀଙ୍କ ନିକଟକୁ କିଛିଦିନ ହେବ ଯାଇଥିବା ସୂଚନା ମିଳିଛି । ସେଠାରେ ଥିବା ପ୍ରବାସୀମାନଙ୍କୁ ଇ-କେୱାସି କରିବା ପାଇଁ ମୁଣ୍ଡ ପିଛା ୫ଶହରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେବା ପରେ ବିଭାଗର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ଏସଂପର୍କରେ ପଚାରିବାରୁ ସରକାରଙ୍କ କୈ÷ାଣସି ରିଟେଲରଙ୍କୁ ବାହାର ରାଜ୍ୟକୁ ପଠାଇବାର ବ୍ୟବସ୍ଥା ନାହିଁ । ବାହାର ରାଜ୍ୟରେ ରହୁଥିବା ଲୋକମାନେ ସ୍ଥାନୀୟ ରିଟେଲରମାନଙ୍କ ନିକଟରେ ପହଂଚି ଇ-କେୱାଇସି କରିବାର ବ୍ୟବସ୍ଥା ରହିଛି । ସେଥିପାଇଁ ହିତାଧିକାରୀଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ବ୍ଲକର ପ୍ରାୟ ୫ଜଣ ରିଟେଲର ବାହାର ରାଜ୍ୟକୁ ମେସିନ ନେଇ ଇ-କେୱାଇସି କରିବାକୁ ଯାଇଥିବା ଅଭିଯୋଗ ହୋଇଛି । ବିଭାଗ ପକ୍ଷରୁ ରିଟେଲରଙ୍କୁ ଦିଆଯାଇଥିବା ମେସିନ ବାହାର ରାଜ୍ୟକୁ କେମିତି ଗଲା ? କିଏ ନେଲା ? ଏହା ପଛରେ ବିଭାଗୀୟ ଅଧିକାରୀଙ୍କ ହାତ ନାହିଁ ତ ? ଯାହାର ଜିପିଏସ, ମୋବାଇଲ ଲୋକେସନ ଓ ମେସିନର ଲୋକେସନ ଯାଂଚ କରାଗଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହେଉଛି । ହାଇଦ୍ରାବାକୁ ମେସିନ ନେଇ ଇ-କେୱାଇସି କରିବାକୁ ଯାଇଥିବା ଭିତରଗଡ ରିଟେଲର ପ୍ରଦୀପ କୁମାର ରାଉତରାୟ(କୋଡ ନଂ- ୧୭୦୯ପି୦୨୫)ଙ୍କୁ ପଚାରିବାରୁ ମୁଁ ହାଇଦ୍ରାବାଦକୁ ଆସିଥିଲି । ସାମ୍ବାଦିକମାନେ ଏହାର ଖୋଳତାଡ କରିବାରୁ ଫ୍ଲାଇଟ ଟିକେଟ କରି ଫେରିଯାଉଛି । ଆମେ ମୁଣ୍ଡପିଛା ମାତ୍ର ଦୁଇଶହ ଟଙ୍କା ନେଇ ଇ-କେୱାସି କରିଛି । ସମୁଦାୟ ୧୦ହଜାର ଟଙ୍କା ଆଦାୟ କରିଥିଲେ ମଧ୍ୟ ସଂପୂର୍ଣ୍ଣ ଖର୍ଚ୍ଚ ହୋଇଯିବ ବୋଲି କହିଛନ୍ତି । ରିଟେଲର ହାଇଦ୍ରାବାଦ ସହରକୁ ଯାଇଥିବା କଥା ସ୍ୱୀକାର କରିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଏହାକୁ ଅଗ୍ରାହ୍ୟ କରିବା ଘଟଣା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି ।