ସେବା ନାଁରେ ଶୋଷଣ କରୁଛି ଟାଟା : ବିଦୁ୍ୟତ୍ ସଂଯୋଗ ନ ଥାଇ ୧୧ ହଜାର ବିଲ୍
ବ୍ରହ୍ମବରଦା : ରାଜ୍ୟ ସରକାର ଉପଭୋକ୍ତାଙ୍କୁ ଉନ୍ନତମାନର ବିଦୁ୍ୟତ୍ ସେବା ଯୋଗାଇଦେବା ନିମନ୍ତେ ଟାଟା ବିଦୁ୍ୟତକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । କିନ୍ତୁ ଟାଟା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିଦୁ୍ୟତ ବିଭ୍ରାଟ କମିବା ପରିବର୍ତେ ବଢିବଢି ଚାଲିଛି । ଟାଟା ଏବେ ସେବା ନାମରେ ଶୋଷଣ କରିବାରେ ଓସ୍ତାଦ ପାଲଟିଥିବା ଦୃଷ୍ଟି ଗୋଚର ହୋଇଛି । ବିଦୁ୍ୟତ ସଂଯୋଗ ନଦେଇ ମଧ୍ୟ ଗ୍ରାହକଙ୍କ ନିକଟରୁ ହଜାର ହଜାର ଟଙ୍କାର ମିଛ ବକେୟା ବିଦୁ୍ୟତ ବିଲ ଆଦାୟ କରିବାକୁ ମାନସିକ ଚାପ ପକାଉଛି । ଏମିତି ଘଟଣା କୁଆଖିଆ ବିଦୁ୍ୟତ ବିଭାଗ ଅଧିନ ବ୍ରହ୍ମବରଦା ଉପ-ବିଦୁ୍ୟତ ବିଭାଗ ଛେନାଖିଆପାଟଣା ଗ୍ରାମର ସୁମିତ୍ରା ବେହେରା ନାମକ ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ସୁଚନାନୁଯାୟୀ କି ଗ୍ରାମାଂଚଳ ମାନଙ୍କରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଉପଭୋକ୍ତା ମାନଙ୍କୁ ସୁବିଧାରେ ବିଦୁ୍ୟତ୍ ସେବା ପ୍ରଦାନ କରିବା ପାଇଁ ସୌଭାଗ୍ୟ ଯୋଜନାର କାର୍ଯ୍ୟକାରୀ କରିଥିଲେ । କିନ୍ତୁ ବିଦୁ୍ୟତ ବିଭାଗର କିଛି ଲାଞ୍ଚୁଆ କର୍ମଚାରୀଙ୍କ ବେପରୁଆ କାମ ଯୋଗୁ ଏହି ସୌଭାଗ୍ୟ ଯୋଜନା ଅନ୍ତର୍ଭୁକ୍ତ ଜଣେ ମହିଳା ଉପଭୋକ୍ତାଙ୍କ ପାଇଁ ଏହା ଏବେ ଦୁର୍ଭାଗ୍ୟ ପାଲଟିଛି । ଗତ ୭ବର୍ଷ ପୂର୍ବରୁ ସରକାରଙ୍କ ସୌଭାଗ୍ୟ ଯୋଜନାରେ ଲାଭ ପାଇବା ଆଶାରେ ନିଜ ଘରର ବିଦୁ୍ୟତ ସଂଯୋଗ ପାଇଁ ଆବଶ୍ୟକୀୟ କାଗଜପତ୍ର ବ୍ରହ୍ମବରଦା ବିଦୁ୍ୟତ ବିଭାଗ କାର୍ଯ୍ୟାଳୟରେ ପଇଠ କରିଥିଲେ । ହେଲେ ସୁମିତ୍ରା ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡ଼ି କହିବା ସତ୍ୱେ ସେ ସୌଭାଗ୍ୟ ଯୋଜନାରେ ସାମିଲ ନଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯିବା ସହିତ ତାଙ୍କୁ ବିଦୁ୍ୟତ୍ ସଂଯୋଗ ଦିଆଯାଇ ନ ଥିଲା । କିନ୍ତୁ ଏଇ କିଛିଦିନ ହେବ ସୁମିତ୍ରା ପୁନର୍ବାର ଆବଶ୍ୟକୀୟ କାଗଜପତ୍ର ନେଇ ନିଜର ବିଦୁ୍ୟତ୍ ସଂଯୋଗ ପାଇଁ ବ୍ରହ୍ମବରଦା କାର୍ଯ୍ୟାଳୟକୁ ଆବେଦନ କରିବାକୁ ଯାଇଥିବା ସମୟରେ ସେ ଜାଣିବାକୁ ପାଇଲେ କି ତାଙ୍କ ନାମରେ ପୂର୍ବରୁ ଏକ କଞ୍ଜୁମର ନଂ-୬୧୫୧୧୩୦୬୦୫୩୨ ରହିବା ସହ ସେଥିରେ ୧୧, ୮୦୪ ଟଙ୍କାର ବକେୟା ବିଦୁ୍ୟତ ପାଉଣା ରହିଛି । ବିଲକୁଲ ସଂଯୋଗ ନଥାଇ ଲାଇନ୍ ନ ଜାଳି ବର୍ଷ ବର୍ଷ ଧରି ଅନ୍ଧାରରେ ଜୀବନ କାଟୁଥିବା ସୁମିତ୍ରାଙ୍କ ପରିବାର ଏତେ ଗୁଡ଼ିଏ ବକେୟା ଟଙ୍କା ଦେଖି ଚକିତ ହେବା ସହ ମାନସିକ ଚାପରେ ଭାଙ୍ଗି ପଡିଥିଲେ । ତା ସହିତ ବକେୟା ସମସ୍ତ ପାଉଣା ଡିପୋଜିଟ ନକଲେ ତାଙ୍କୁ ବିଦୁ୍ୟତ ସଂଯୋଗ ଦିଆଯିବ ନାହିଁ ବୋଲି ବ୍ରହ୍ମବରଦା ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଜଣାଇ ଦିଆଯାଇଥିଲା । କିନ୍ତୁ ଗରିବ ସୁମିତ୍ରାଙ୍କ ପରିବାର ଏବେ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆଣିବେ ଚିନ୍ତିତ ଥିବା ବେଳେ ଡିବିରି ଆଲୁଅରେ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି । କିନ୍ତୁ ଅନ୍ୟ ପକ୍ଷରେ ସେ ଜାଣିବାକୁ ପାଇଲେ କି ତାଙ୍କ ନାମରେ ପୂର୍ବରୁ ଥିବା ସୌଭାଗ୍ୟ କଞ୍ଜୁମରଟି ବିଦ୍ୟୁତ ବିଭାଗର କିଛି ଅସାଧୁ କର୍ମଚାରୀ ମାନେ ତାଙ୍କ ଘରେ ବିଦୁ୍ୟତ୍ ସଂଯୋଗ କରିବା ପରିବର୍ତ୍ତେ ନିକଟ କୋଠିଢିଅ ଗ୍ରାମର ବେହେରା ସାହିରେ ଥିବା ଅନ୍ୟ ଜଣେ ସୁମିତ୍ରା ବେହେରାଙ୍କ ଘରେ ବିଦୁ୍ୟତ୍ ସଂଯୋଗ କରିଦେଇ ତାଙ୍କଠାରୁ ମୁନାଫା ପାଉଥିଲେ । ତା ମାନେ କୋଠିଢିଅ ନିବାସୀ ସୁମିତ୍ରା ବେହେରା ଲାଇନ୍ ଜାଳୁଥିବା ବେଳେ ବ୍ରହ୍ମବରଦା ଛେନାଖିଆପାଟଣା ଗ୍ରାମର ନିବାସୀ ସୁମିତ୍ରା ବେହେରାଙ୍କ ନାମରେ ବିଲ ଆସୁଥିଲା । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ୭ବର୍ଷ ହେଲା ବ୍ରହ୍ମବରଦା ବିଦୁ୍ୟତ୍ ବିଭାଗର କର୍ମଚାରୀ ମାନେ କରୁଥିଲେ କଣ? । ଏକଥା ସେମାନେ ଜାଣି ପାରିଲେନି କେମିତି? । ନା ସବୁ ଜାଣି ଅର୍ଥ ଲୋଭରେ ନ ଜାଣିଲା ପରି ଚୁପ ରହିଥିଲେ । ଏଥରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହେଉଛି କି, ବିଦୁ୍ୟତ ବିଭାଗର ଭୁଲ ପାଇଁ ବ୍ରହ୍ମବରଦା ନିବାସୀ ନୀରିହ ଗରିବ ସୁମିତ୍ରା ଶୁନ ଅର୍ଥ ଦଣ୍ଡ ଭୋଗୁଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଖରାଦିନେ ଉପଭୋକ୍ତା ମାନଙ୍କର ବିଦ୍ୟୁତ ସଂଯୋଗ ନ କାଟିବା ପାଇଁ ଟାଟା ବିଦ୍ୟୁତ ବିଭାଗକୁ ତାଗିଦ ଓ ନିଦେ୍ର୍ଦଶ ଦେଇଥିବା ବେଳେ ଅନ୍ୟପଟେ ବିଦୁ୍ୟତ ବିଭାଗର ଭୁଲ ପାଇଁ ସୁମିତ୍ରାଙ୍କ ପରିବାରକୁ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଛି । ଯାହାଦ୍ୱାରା ଖରାଦିନେ ସୁମିତ୍ରାଙ୍କ ପରିବାର ବିଦ୍ୟୁତ ସଂଯୋଗ ନ ପାଇ ଆଉଟୁପାଉଟୁ ହେଉଛନ୍ତି । ଏନେଇ ବ୍ରହ୍ମବରଦା ବିଦୁ୍ୟତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ସେକ୍ ଇବ୍ରାର ଅଲ୍ଲୀଙ୍କୁ ପଚାରିବାରୁ ଖୁବଶୀଘ୍ର ଏହା ଉପରେ ବିଚାରବିମର୍ଷ କରି ସୁମିତ୍ରାଙ୍କୁ ବିଦୁ୍ୟତ୍ ସଂଯୋଗ ଦିଆଯିବ ବୋଲି ସେ କହିଥିଲେ ।