ବ୍ଲୁ ଫ୍ଲାଗ୍ ବିଚରେ ନୌସେନାର ଅଭ୍ୟାସ ଯୋଗଦେବେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ଟ୍ରାଫିକ ନେଇ ସ୍ୱତନ୍ତ୍ର କଟକଣା
ପୁରୀ : ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ପୂର୍ଣ୍ଣ ଅଭ୍ୟାସ କରିଛନ୍ତି ଭାରତୀୟ ନୌସେନାର ଯବାନ । ସୋମବାର ମଧ୍ୟ ଏହି ଅଭ୍ୟାସ ଜାରି ରହିବ । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ନୌସେନା ତା’ର ପରାକ୍ରମ ଦେଖାଉଛି । ଆସନ୍ତା ୪ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ପୁରୀ ଆସି ନୌସେନା ଦିବସରେ ଯୋଗଦେବେ । ବ୍ଲୁ ଫ୍ଲାଗ୍ ବିଚ୍ରେ ପାଳିତ ହେବ ନୌସେନା ଦିବସ ।
ସୁରକ୍ଷା ଦୃଷ୍ଟିରୁ ପୁରୀ ସହରରେ ହାଇଆର୍ଲଟ ଜାରି କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଆସୁଥିବାରୁ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ନୌସେନା ଦିବସରେ ନୌସେନା ରଣକୌଶଳ, ସମରାଭ୍ୟାସ, ଯୁଦ୍ଧ କୌଶଳ ପ୍ରଦର୍ଶିତ ହେବ । ଯୁଦ୍ଧ ଯାହାଜମାନେ ସମୁଦ୍ରରେ ଦେଖାଇବେ ସ୍ୱତନ୍ତ୍ର ଡ଼େମୋ । ମାର୍କୋସ କମାଣ୍ଡରଙ୍କର ସ୍ୱତନ୍ତ୍ର ଅପରେସନ ସହ ଭିନ୍ନ ଭିନ୍ନ ସମର କୌଶଳ ଓ ଅନୁଷ୍ଠିତ ହେବ ହେଲିକପ୍ଟର ଉଡ଼ାଣ । ୧୯୭୧ ମସିହାରେ ପାକିସ୍ତାନର କରାଚି ଉପରେ ଆକ୍ରମଣ ଓ କରାଚି ବନ୍ଦରକୁ ବିଧ୍ୱସ୍ତ କରାଯାଇଥିଲା । ତାର ସ୍ମୃତିରେ ନୌସେନା ଦିବସ ପାଇଁ ପୁରୀରେ ହାଇସିକୁ୍ୟରିଟି ବ୍ୟବସ୍ଥା କରାଯାଇଛି । ୧୫ଟି ଯୁଦ୍ଧ ଯାହାଜ ଓ ୪୦ଟି ଏୟାର କ୍ରାଫ୍ଟ ରଣକୌଶଳ ଦେଖାଇବେ ।
ଓଡ଼ିଶାରେ ପ୍ରଥମ ଥର ପାଇଁ ନୌସେନା ପକ୍ଷରୁ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି । ପୁରୀ ବେଳାଭୂମିର ବ୍ଳୁ ଫ୍ଲାଗ୍ ବିଚ୍ରେ ନୌସେନା ପକ୍ଷରୁ ବିଭିନ୍ନ ଯୁଦ୍ଧ ଓ ସମରକଳା ପ୍ରଦର୍ଶନକୁ ଉପଭୋଗ କରିବେ ରାଷ୍ଟ୍ରପତି । ଲକ୍ଷାଧିକ ଦର୍ଶକ ଓ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ରବିବାର ଠାରୁ ଲାଗୁ ହୋଇଛି । ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ୮୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମୁଦ୍ର ତଟରେ ନୌସେନାର ଅନେକ ଯୁଦ୍ଧ ଜାହାଜ ପହଞ୍ଚôଛି । ବ୍ଲୁଫ୍ଲାଗ୍ ବିଚ୍ରେ ଗର୍ଜୁଛି ଟ୍ୟାଙ୍କ ଓ ମାର୍କୋସ କମାଣ୍ଡୋ ବାହିନୀଙ୍କ ବନ୍ଧୁକରୁ ଗୁଳିଗୋଳା । ହେଲିକପ୍ଟର ଯୋଗେ ଫ୍ଲାଗ୍ ଅପରେସନ, ଯବାନମାନେ ପାରାଚୁଟ୍ ମାଧ୍ୟମରେ ଗଭୀର ସମୁଦ୍ରରେ ଅବତରଣ ସହ ରେସକୁ୍ୟର ଦୃଶ୍ୟ ବେଶ୍ ଚିତ୍ତାକର୍ଷକ ପାଲଟିଛି । ନୌସେନା ଯବାନମାନଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟାଣ୍ଡ ଡ଼୍ରିଲ୍ ସହ କଣ୍ଟିନୁ୍ୟଟି ଡ଼୍ରିଲ୍ ବେଶ୍ ମନମୁଗ୍ଧକର ହେଉଛି । ଆକାଶ ମାର୍ଗରୁ ମାର୍କୋସ କମାଣ୍ଡୋ ବାହିନୀ ପାରା ଜମ୍ପିଂ କରି ଓହ୍ଲାଇବାର ଦୃଶ୍ୟ ବେଶ୍ ଚିତ୍ତାକର୍ଷକ ।