ବେଆଇନ୍ ପାର୍କିଂ, ଟ୍ରାଫିକ୍ ବିପର୍ଯ୍ୟସ୍ତ
ନୀଳଗିରିରୁ ଭଗବାନ ମହଲ: ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ୟୁକୋ ବ୍ୟାଙ୍କ ସମ୍ମୁଖରେ ହେଉଥିବା ବେଆଇନ୍ ଗାଡିମଟର ପାର୍କିଂ ଯୋଗୁଁ ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ।
ପ୍ରକାଶ ଯେ, ବ୍ୟାଙ୍କ ସମ୍ମୁଖରେ ପାର୍କିଂର ସୁବିଧା ନ ଥିବାରୁ ରାସ୍ତା ଉପରେ ଗାଡିମଟର ରଖି ଗ୍ରାହକମାନେ ବ୍ୟାଙ୍କକୁ ଯାଉଥିବାବେଳେ ଟ୍ରାଫିକ୍ ସମସ୍ୟା ଜଟିଳ ହେଉଛି । ଅନ୍ୟ ଗାଡିଗୁଡିକର ଯାତାୟତରେ ନାନାଦି ସମସ୍ୟା ସୃଷ୍ଟି ହେଉଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଦୀର୍ଘ ସମୟ ଧରି ରାସ୍ତା ଉପରେ ଅଟକି ରହୁଛି । ଯାହାଫଳରେ ରୋଗୀଙ୍କ ଜୀବନ ଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ଅନେକ କହିଛନ୍ତି । ରଥଦାଣ୍ଡଟି ଓସାରିଆ ହୋଇଥିଲେ ବି ଗାଡିମଟର ଜାମ ଫଳରେ ସାଧାରଣ ଲୋକମାନେ ହୀନସ୍ତା ହେଉଥିବାବେଳେ ଜଗନ୍ନାଥ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପାଇଥିବା ନୀଳଗିରିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ରାତି ପାହିଲେ ଶହ ଶହ ପର୍ଯ୍ୟଟକ ମାନଙ୍କର ଗହଳି ଲାଗି ରହିଥାଏ । ବଡ଼ଦାଣ୍ଡ ରାସ୍ତା ଉପରେ ଗାଡି ମଟର ରଖି ଜାମ କରାଯାଉଥିବାରୁ ନିଶ୍ଚିତ ଭାବେ ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି ବୋଲି କୁହାଯାଉଛି । ଏ ଦିଗରେରେ ବ୍ୟାଙ୍କ କର୍ତ୍ତୃପକ୍ଷ ନା ପ୍ରଶାସନିକସ୍ତରରେ ଦୃଷ୍ଟି ନ ଦେବା ସାଧାରଣ ଲୋକଙ୍କୁ ଚକିତ କରିଛି । ଲୋକମାନେ ବ୍ୟାଙ୍କ କାର୍ଯ୍ୟରେ ଆସି ଘଣ୍ଟା ଘଣ୍ଟା ବ୍ୟାଙ୍କରେ ରହି କାର୍ଯ୍ୟ କରୁଥିବାରୁ ଗାଡିମଟର ଓ ସାଇକେଲ ଗୁଡ଼ିକ ରାସ୍ତା ମଝିରେ ଛିଡା କରି ଦେଉନଥିବାରୁ ଯାତାୟାତ କରି ହେଉଛି ନା ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ଗାଡ଼ି ଗୁଡ଼ିକ ସଠିକ୍ ଭାବେ ଯାତାୟାତ କରିପାରୁଛି । ରୋଗୀର ଜୀବନକୁ ପ୍ରାଧାନ୍ୟ ଦିଆଯିବାକୁ ସାଧାରଣ ଲୋକଙ୍କର ପ୍ରଥମ କର୍ତ୍ତବ୍ୟ ଥିବାବେଳେ ରାସ୍ତା ଉପରେ ଗାଡି ମଟର ରଖି ଆମ୍ବୁଲାନ୍ସକୁ ଅସୁବିଧାରେ ପକାଇବା କେତେ ଦୂର ନ୍ୟାୟ ସଂଘତ ତାହା ବିଚାର କରିବାର ସମୟ ଆସିଛି । ରାସ୍ତାଜାମ ଫଳରେ ଭବିଷ୍ୟତରେ ଯଦି ଦୁର୍ଘଟଣା ଘଟେ, ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।