ସହରର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର: ସିଭିଲ୍ ସୋସାଇଟି ପକ୍ଷରୁ ବାଲେଶ୍ୱର ଜିଲ୍ଲାର ୩ଟି ପ୍ରମୁଖ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୩ଟି ଦାବିପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲାରେ ଗତ୨୦୧୭ ମସିହାରୁ ଫକୀରମୋହନ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ମେଡିକାଲ୍ କଲେଜ୍ ସଂଲଗ୍ନ ହସ୍ପିଟାଲରେ ହୃଦ, ସ୍ନାୟୁ ଓ ମୁତ୍ରାଶୟଜନିତ ଗୁରୁତର ରୋଗର ବିଭାଗ ଖୋଲାଯାଇନାହିଁ । ତେଣୁ ଏହିସବୁ ରୋଗର ଚିକିତ୍ସା ପାଇଁ ରୋଗୀମାନେ କଟକ ଓ ଭୁବନେଶ୍ୱରକୁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି । ମେଡିକାଲ କଲେଜ ହସ୍ପିଟାଲ୍ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କିମ୍ବା ତାଲିମପ୍ରାପ୍ତ ବୈଷୟିକ କର୍ମଚାରୀ କିମ୍ବା ଯନ୍ତ୍ରପାତି ନାହିଁ । ଯାହାଫଳରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜାତୀୟସ୍ତରର ଏହି ଚିକିତ୍ସାଳୟକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସିଭିଲ୍ ସୋସାଇଟି ଦାବି କରିଛି । ସେହିପରି ବାଲେଶ୍ୱର ସହରକୁ ଦକ୍ଷିଣ ଦିଗରୁ ମୁଖ୍ୟ ପ୍ରବେଶ ପଥରେ ଥିବା ନିର୍ମାଣ ହୋଇଥିବା ତାମୁଳିଆ ରେଳଧାରଣା ଉପରେ ଫ୍ଲାଇ ଓଭରବି୍ରଜ୍ ଗତ ୨୦୧୯ ମସିହାରେ ନିର୍ମାଣ ହୋଇଥିଲା । କିନ୍ତୁ ବୈଷୟିକ ତ୍ରୁଟି ଓ ନିମ୍ନମାନର ନିର୍ମାଣ କାର୍ଯ୍ୟଯୋଗୁଁ ଏହା ଦୁର୍ଘଟଣା ପ୍ରବଣ ହୋଇଯାଇଛି । ଏହି ନିର୍ମାଣ କାର୍ଯ୍ୟର ତ୍ରୁଟି ଓ ଦୁର୍ନୀତିର ତଦନ୍ତ ପାଇଁ ସିଭିଲ୍ ସୋସାଇଟି ଦାବି କରିବା ସହ ତୁରନ୍ତ ଏକ ନୂତନ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି । ବି୍ରଟିଶ ସରକାରଙ୍କ ଅମଳରୁ ନିର୍ମିତ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟକୁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଏକ ଐତିହ୍ୟଭବେ ସୁରକ୍ଷିତ ରଖିବାପାଇଁ ବିଭିନ୍ନ ସଂଗଠନ ସହ ସିଭିଲ୍ ସୋସାଇଟି ମଧ୍ୟ ଦୃଢ଼ ଦାବି କରିଛି । ସରକାରଙ୍କ ପକ୍ଷରୁ ଏହି ପ୍ରାଚୀନ ନିର୍ମାଣଶୈଳୀ ଓ ଐତିହ୍ୟପୂର୍ଣ୍ଣ ସୌଧକୁ ଭାଙ୍ଗିଦେବାର ନିଷ୍ପତ୍ତିିକୁ ସୋସାଇଟି ଦୃଢ଼ ବିରୋଧ କରିଛି । ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଉପସଭାପତି ପ୍ରଦୀପ ଚାଟାର୍ଜୀଙ୍କ ସମେତ ଅରୁଣ ଜେନା, ରୋଜି ପଟ୍ଟନାୟକ, ସମରେନ୍ଦ୍ର ଦାସ, ଦେବାଶୀଷ ପାତ୍ର, କମଳାକାନ୍ତ ବେହେରା, ତୁଷାରକାନ୍ତି ମହାପାତ୍ର, ଗୌତମ ଦାସ, କମଳ ଲୋଚନ ଆଚାର୍ଯ୍ୟ, ଅକ୍ଷୟ କୁମାର ପାତ୍ର, ସୀତାରାମ ପ୍ରଧାନ, ଦେବାଶିଷ ପାତ୍ର, ଯଶୋବନ୍ତ ନାୟକ ଓ ଯଶୋଦା ନନ୍ଦନ ଆସ୍ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ତେବେ ଦାବିଗୁଡ଼ିକ ଉପରେ ତୁରନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନ ହେଲେ ସିଭିଲ୍ ସୋସାଇଟି ଗଣଆନେ୍ଦାଳନର ଚେତାବନୀ ଦେଇଛି ।