ଛତୁଆ ଯୋଗାଣରେ ଅବ୍ୟବସ୍ଥା

ରାଇଘରରୁ ମହେନ୍ଦ୍ର ସିଂ ରାଜପୁତ : ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ  ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଶିଶୁ ବିକାଶ ପ୍ରକଳ୍ପ (ସିଡ଼ିପିଓ) କାର୍ଯ୍ୟାଳୟ ଅଧୀନରେ ଛତୁଆ ବଣ୍ଟନ ନିମନ୍ତେ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ମୋଟ ୩୧୩ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ମାତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ବଣ୍ଟନ କରୁଛନ୍ତି । ଗର୍ଭବତୀ, ପ୍ରସୂତି ଓ ଅପପୃଷ୍ଟିର ଶିକାର ହୋଇଥିବା ମହିଳା ଏବଂ ଶିଶୁ ମାନଙ୍କ ପାଇଁ ସରକାର ଛତୁଆ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ କ୍ରମାଗତ ବଣ୍ଟନ ବ୍ୟବସ୍ଥା ଓ ନିମ୍ନମାନର ସାମଗ୍ରୀ ସମସ୍ୟାକୁ ନେଇ ମହିଳା ସଂଗଠନ, ଲୋକ ପ୍ରତିନିଧିଗଣ ଅଭିଯୋଗ କରି ଆସୁଥିବା ବେଳେ ବର୍ତ୍ତମାନ ରାଇଘର ସଦର ମହକୁମା ଠାରେ ସମସ୍ୟା ସାମ୍ନାକୁ ଆସିଛି । ପ୍ୟାକେଟ ପ୍ରସ୍ତୁତ କରିବାର ଏକ ମାସ ମଧ୍ୟରେ ବ୍ୟବହାର କରିବାକୁ ପ୍ୟାକେଟରେ ଉଲ୍ଲେଖ ରହିଥିବା ବେଳେ ପ୍ୟାକେଟଟି ଅବଧି ଶେଷ ପରେ ବଣ୍ଟନ ହୋଇଛି । ରାଇଘର ପଞ୍ଚାୟତ ୧୧ ନମ୍ବର ୱାର୍ଡରେ ଶ୍ରୀ ରାଜପୁତ ଘରେ ସେପ୍ଟେମ୍ୱର ୨୫ତାରିଖ ଦିନ ଦୁଇ ଗୋଟି ପ୍ୟାକେଟ ଦିଆ ଯାଇଥିବା ବେଳେ ସେଥିରୁ ଛତୁଆ ପ୍ୟାକେଟରେ ପ୍ରସ୍ତୁତ ତାରିଖ ଅଗଷ୍ଟ ୨୫ତାରିଖ ରହିଥିବା ବେଳେ ହଲୁଆ ଗୁଣ୍ଡ ପ୍ରସ୍ତୁତ ତାରିଖ ଅଗଷ୍ଟ ୧୧ ତାରିଖ ରହିଛି । ତେବେ ଛତୁଆ ପ୍ରସ୍ତୁତ ଏକ ମାସ ବିତି ଯାଇଥିବା ବେଳେ ଅବଧି ଶେଷ ପରେ କିଭଳି ବଣ୍ଟନ କରାଯାଉଅଛି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଯଦି ସଦର ମହକୁମାରେ ଏହି ଅବସ୍ଥା ତାହାଲେ ଦୁର୍ଗମ ଅଞ୍ଚଳରେ ବଣ୍ଟନ ବ୍ୟବସ୍ଥା କିଭଳି ରହିଥିବ ସହଜେ ଅନୁମୟ । ଉକ୍ତ ଘଟଣା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ସହ ତଦନ୍ତ କରିବାକୁ ଦାବି ହୋଇଛି । କୋମଳମତି ଶିଶୁ ମାନଙ୍କୁ ଅବଧି ଶେଷ ପରେ ବଣ୍ଟନ କରିବା ଘଟଣା ଚିନ୍ତାର ବିଷୟ ଜୀବନ ସହ ଖେଳ ଚାଲିଛି ।  ଯେଉଁ ଲକ୍ଷ୍ୟ ନେଇ ସରକାର ଛତୁଆ ବଣ୍ଟନ କରୁଛନ୍ତି ଉପଯୁକ୍ତ ଖାଦ୍ୟ ପ୍ରସ୍ତୁତ ଓ ତଦାରଖ ନ ହେବା ଯୋଗୁଁ ଶିଶୁ ଓ ମହିଳା ମାନଙ୍କ ମଧ୍ୟରେ ଅପପୃଷ୍ଟି ବଢ଼ି ଚାଲିଛି । ଅପର ପକ୍ଷରେ ରାଇଘର ବ୍ଲକ ଠାରେ ଗୋଟିଏ ମାତ୍ର ଯୋଗାଣ କାରି ସଂସ୍ଥା ରହିଥିବା ବେଳେ ୩୧୩ କେନ୍ଦ୍ରକୁ ଯୋଗାଣ କରିବା ମଧ୍ୟ ନାନା ସମସ୍ୟା ଦେଖା ଦେଉଥିବା ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିହିତପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି ।