ବ୍ରିକ୍ସ ଦେଶଗୁଡ଼ିକୁ ଟ୍ରମ୍ପଙ୍କ ଖୋଲାଖୋଲି ଧମକ
ବ୍ରିକ୍ସ ଦେଶଗୁଡ଼ିକୁ ଟ୍ରମ୍ପଙ୍କ ଧମକ, ଆମେରିକୀୟ ଡଲାରକୁ ଦୁର୍ବଳ କରିବାକୁ ପ୍ରୟାସ କଲେ ଲାଗୁ ହେବ ୧୦୦% ଶୁଳ୍କ । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଶପଥ ଗ୍ରହଣ କରିବା ପୂର୍ବରୁ ଦେଇଥିବା ଚେତାବନୀ ଯୋଗୁ ଭାରତ ସମେତ ବ୍ରିକ୍ସ ସମୂହରେ ଥିବା ଅନ୍ୟ ଦେଶ ଗୁଡ଼ିକର ଚିନ୍ତା ବଢିଛି । ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଶୁଳ୍କ ଲାଗୁ କରିବେ । ବ୍ରିକ୍ସର କିଛି ସଦସ୍ୟ ଦେଶ ବିଶେଷତଃ ରୁଷିଆ ଏବଂ ଚୀନ୍, ଆମେରିକୀୟ ଡଲାରର ବିକଳ୍ପ ଖୋଜୁଥିଲେ କିମ୍ବା ନିଜର ବ୍ରିକ୍ସ ମୁଦ୍ରା ସୃଷ୍ଟି କରିଥିଲେ । ଭାରତ ଏପର୍ଯ୍ୟନ୍ତ ଏହି ପଦକ୍ଷେପର ଅଂଶ ହୋଇନାହିଁ ।
ଶନିବାର ଟ୍ରମ୍ପ୍ ଏଭଳି ପଦକ୍ଷେପ ବିରୋଧରେ ବ୍ରିକ୍ସ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରୁଥ୍ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡିକ ଡଲାରରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଏହି ଦେଶଗୁଡିକରୁ ଆମକୁ ଏକ ପ୍ରତିବଦ୍ଧତା ଦେବା ଆବଶ୍ୟକ ଯେ ସେମାନେ ନୂତନ ବ୍ରିକ୍ସ ମୁଦ୍ରା ସୃଷ୍ଟି କରିବେ ନାହିଁ କିମ୍ବା ଶକ୍ତିଶାଳୀ ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରିବେ ନାହିଁ, ନଚେତ୍ ସେମାନେ ୧୦୦% ଶୁଳ୍କର ସମ୍ମୁଖୀନ ହେବେ ବୋଲି ଟ୍ରମ୍ପ କହିଛନ୍ତି । ୨୦୦୯ରେ ଗଠିତ ବ୍ରିକ୍ସ ହେଉଛି ଏକମାତ୍ର ପ୍ରମୁଖ ଅନ୍ତର୍ଜାତୀୟ ଗୋଷ୍ଠୀ ଯେଉଁଥିରେ ଆମେରିକା ସଦସ୍ୟ ନାହିଁ। ଏହି ଗୋଷ୍ଠୀରେ ଭାରତ ସହ ଚୀନ୍, ରୁଷିଆ, ଦକ୍ଷିଣ ଆଫ୍ରିକା, ଇରାନ, ଇଜିପ୍ଟ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଇତ୍ୟାଦି ରହିଛନ୍ତି ।