ଆମେରିକାର ପୂର୍ବତନ ସେନା ଅଧିକାରୀ ଟ୍ରମ୍ପଙ୍କୁ କଲେ ତାଚ୍ଛଲ୍ୟ
ନୂଆଦିଲ୍ଲୀ: ପୂର୍ବତନ ପେଣ୍ଟାଗନ ଅଧିକାରୀ ତଥା ଆମେରିକୀୟ ଏଣ୍ଟରପ୍ରାଇଜ ଇନଷ୍ଟିଟ୍ୟୁଟର ବରିଷ୍ଠ ଫେଲୋ ମାଇକେଲ ରୁବିନ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଭାରତୀୟମାନେ “ଗମ୍ଭୀରତାର ସହ ନେବା ଉଚିତ ନୁହେଁ’। ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଏହି ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଛି, କିନ୍ତୁ ରୁବିନ ଏହାକୁ ଟ୍ରମ୍ପଙ୍କ ଅତିରଞ୍ଜିତ ଦାବି ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ରୁବିନ କହିଛନ୍ତି, “ଡୋନାଲ୍ଡ ଟ୍ରମ୍ପ ସବୁ କାମରେ ଶ୍ରେୟ ନେବାକୁ ପସନ୍ଦ କରନ୍ତି। ତାଙ୍କ ମତରେ, ସେ ବିଶ୍ୱକପ ଜିତିଛନ୍ତି, ଇଣ୍ଟରନେଟ ଉଦ୍ଭାବନ କରିଛନ୍ତି ଏବଂ କର୍କଟ ରୋଗର ଚିକିତ୍ସା କରିଛନ୍ତି। ଭାରତୀୟମାନେ ଆମେରିକୀୟମାନଙ୍କ ପରି ହେବା ଉଚିତ ଏବଂ ଟ୍ରମ୍ପଙ୍କୁ ଆକ୍ଷରିକ ଭାବେ ଗ୍ରହଣ କରିବା ଉଚିତ ନୁହେଁ।” ସେ ଆହୁରି କହିଛନ୍ତି ଯେ ଭାରତ ଏହି ସଂଘର୍ଷରେ କୂଟନୈତିକ ଏବଂ ସାମରିକ ଦୃଷ୍ଟିରୁ ବିଜୟୀ ହୋଇଛି।ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିହତ ହୋଇଥିବା ପରେ ଭାରତୀୟ ସଶସ୍ତ୍ର ବାହିନୀ ମେ ୭ରେ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲେ। ଏହି ଅଭିଯାନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରାଯାଇଥିଲା, ଯେଉଁଥିରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।
ରୁବିନ ଦାବି କରିଛନ୍ତି ଯେ ଭାରତର ସଠିକ ଆକ୍ରମଣ ପାକିସ୍ତାନର ବିମାନମାନଙ୍କୁ ନିଷ୍କ୍ରିୟ କରିଦେଇଥିଲା, ଯାହା ପରେ ପାକିସ୍ତାନ “ଭୟଭୀତ କୁକୁର ପରି’ ଯୁଦ୍ଧବିରତି ପାଇଁ ଦୌଡ଼ିଥିଲା। ସେ ଆହୁରି କହିଛନ୍ତି, “ପାକିସ୍ତାନ ଏହାକୁ କୌଣସି ଭାବେ ଢାଙ୍କି ପାରିବ ନାହିଁ ଯେ ସେମାନେ କେବଳ ହାରି ନାହାନ୍ତି, ବରଂ ବହୁତ ଖରାପ ଭାବେ ହାରିଛନ୍ତି।” ଅନ୍ୟପକ୍ଷରେ, ଭାରତ ସରକାର ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଯୁଦ୍ଧବିରତି ଭାରତ ଓ ପାକିସ୍ତାନର ସୈନ୍ୟ ଅପରେଶନ ମହାନିର୍ଦ୍ଦେଶକ (ଡିଜିଏମଓ) ମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହାସଲ ହୋଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୟସୱାଲ କହିଛନ୍ତି, “ଅପରେଶନ ସିନ୍ଦୁର ଆରମ୍ଭ ହେବାରୁ ଯୁଦ୍ଧବିରତି ହେବା ପର୍ଯ୍ୟନ୍ତ ଭାରତ ଓ ଆମେରିକୀୟ ନେତାଙ୍କ ମଧ୍ୟରେ ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା, କିନ୍ତୁ ବାଣିଜ୍ୟ ସମ୍ପର୍କିତ କୌଣସି ଆଲୋଚନା ହୋଇ ନଥିଲା।”