ଇସ୍ରୋର ସ୍ପେଡେକ୍ସ ମିଶନ: ଆଉ ଏକ କୀର୍ତ୍ତିମାନ ରଚିବ ଭାରତ

ନୂଆଦିଲ୍ଲୀ: ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ । ପରୀକ୍ଷାମୂଳକ ଇନ୍-ସ୍ପେସ ଡକିଂ କରିବ ଇସ୍ରୋ । ମହାକାଶରେ ଦୁଇଟି ସ୍ପେସ୍କ୍ରାଫ୍ଟକୁ ଯୋଡ଼ାଯିବ । ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ । ପିଏସଏଲଭି-ସି୬୦ ରକେଟ  ସାହାଯ୍ୟରେ ଲଞ୍ଚ ହେବ ସ୍ପେସକ୍ରାଫ୍ଟ । ୨୨୦ କେଜି ବିଶିଷ୍ଟ ଦୁଇଟି ସ୍ପେସ୍କ୍ରାଫ୍ଟ ନେଇ ମହାକାଶକୁ ଯିବ ପିଏସଏଲଭି-୬୦ ରକେଟ୍ । ଆଉ ମହାକାଶରେ ହିଁ ଦୁଇଟି ସ୍ପେସକ୍ରାଫ୍ଟକୁ ଯୋଡାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଟେକ୍ନୋଲଜି ଆଗାମୀ ଚନ୍ଦ୍ର ମିଶିନ ଏବଂ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ଲାଗି ସହାୟକ ହେବ ବୋଲି କୁହାଯାଉଛି । ସ୍ପେଡେକ୍ସ ମିଶନ ଲାଗି ପିଏସଏଲଭି-ସି୬୦କୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ପହଞ୍ଚା ଯାଇ ସାରିଛି । 
ମହାକାଶ ଯାନ ନିର୍ମାଣ ମଧ୍ୟ ଶେଷ ହୋଇସାରିଛି । ଆସନ୍ତା ୩୦ରେ ସ୍ପେଡେକ୍ସ ଲଞ୍ଚ କରିପାରେ ଇସ୍ରୋ । ଏହି ମିଶନରେ ସଫଳତା ମିଳିଲେ ଭାରତ ଆମେରିକା, ରୁଷ ଏବଂ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ ଜ୍ଞାନକୌଶଳରେ ସଫଳତା ଲାଭ କରିଥିବା ଚତୁର୍ଥ ଦେଶ ଭାବେ ଗଣାହେବ । ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।