ଜାହାଜରେ ୨୧ ପାକିସ୍ତାନୀ


 ପାରାଦୀପ:  ପାରାଦୀପକୁ ଆସିଥିବା ଏକ ତୈଳ ଜାହାଜରେ ରହିଛନ୍ତି ପାକିସ୍ତାନୀ କ୍ରିୟୁ ମେମ୍ବର  । ଅଶୋଧିତ ତୈଳ ନେଇ ଆସିଥିବା ଜାହାଜ ପାରାଦ୍ୱୀପ ବନ୍ଦର ଏସପିଏମ ବର୍ଥରେ ତୈଳ ଖାଲି କରିବ  । ଜାହାଜ ଦକ୍ଷିଣ କୋରିଆରୁ ଅଶୋଧିତ ତୈଳ ଆଣି ପାରାଦୀପକୁ ଆସିଛି  । ସେଥିରେ ୨୫ କ୍ରିୟୁ ମେମ୍ବର ଥିବାବେଳେ ସେମାନଙ୍କ ମଧ୍ୟରେ ୨୧ ପାକିସ୍ତାନୀ ଥିବା ଇମିଗ୍ରେସନ ବିଭାଗ ପକ୍ଷରୁ ସୂଚନା ମିଳିଛି  ।
ମେରାଇନ ପୋଲିସ ଓ ସିଆଇଏସଏଫ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ତୈଳ ଖାଲି ହେବା ପର୍ଯ୍ୟନ୍ତ ମେରାଇନ ପୋଲିସ, ପାରାଦୀପ ବନ୍ଦର, କଷ୍ଟମ ବିଭାଗ, ଇମିଗ୍ରେସନ ପ୍ରଭୃତି ପାଖାପାଖି ୧୪ରୁ ଉର୍ଦ୍ଧ୍ୱ ବିଭାଗ ନଜର ରଖିବାକୁ ନିଦେ୍ର୍ଦଶ ଦେଇଛି କଷ୍ଟମ ବିଭାଗ । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ଦୂରରେ ଥିବା ଏହି ଏସପିଏମ ବର୍ଥରେ ଜାହାଜରେ ଥିବା ୧୩୫ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଖାଲି କରାଯିବ  । ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଏସପିଏମ ବର୍ଥ ନିକଟରେ ସୁରକ୍ଷା କର୍ମୀ ପଇଁତରା ମାରୁଛନ୍ତି  । ସେମାନେ ଜାହାଜରୁ ତୈଳ ଖାଲି କରିବା ପରେ , ସେହିଠାରୁ ହିଁ ଫେରିଯିବେ । ପାରାଦୀପ ବନ୍ଦର ଭିତରକୁ ସେମାନଙ୍କୁ ଆସିବାକୁ ଦିଆଯିବ ନାହିଁ । 
ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଭଲ ସ୍ଥିତି ନାହିଁ । ତେଣୁ ଜାହାଜରେ ଥିବା ୨୧ ପାକିସ୍ତାନୀ ନାଗରିକଙ୍କୁ ନେଇ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି  । କୂଳ ଠାରୁ ୨୦ କିଲୋମିଟର ସମୁଦ୍ର ଭିତରେ ରହୁଥିବା ଏହି ଏସପିଏମ ବର୍ଥରେ ଯଦି କୌଣସି ସମସ୍ୟା ହୁଏ , ତେବେ ଖାଲି ଆଇଓସିଏଲ କି ପାରାଦ୍ୱୀପ ବନ୍ଦରକୁ ନୁହେଁ ସମଗ୍ର ପାରାଦ୍ୱୀପ ପାଇଁ ବିପଦର କାରଣ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତିି  । ସୂଚନାଯୋଗ୍ୟଯେ, ହଂକଂର ପତାକା ଥିବା ଜାହାଜ ଏକତଟି ସିରେନ-୨ ଦକ୍ଷିଣ କୋରିଆରୁ ୧୩୫ ମେଟ୍ରିକ୍ ଟନ୍ର ଅଶୋଧିତ ତୈଳ ଆଣି ପାରାଦ୍ୱୀପ ଆସିଛି  । ଏଥିରେ ଥିବା ୨୫ କ୍ରିୟୁ ସଦସ୍ୟ ଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ନାଗରିକ, ଜଣେ ଶ୍ରୀଲଙ୍କା ନାଗରିକ, ଜଣେ ଥାଇଲାଣ୍ଡ ନାଗରିକଙ୍କ ସହିତ ୨୧ ଜଣ ପାକିସ୍ତାନୀ ନାଗରିକ ରହିଛନ୍ତି  । ୨୧ ପାକିସ୍ତାନୀ ନାଗରିକ ଜାହାଜରୁ ବାହାରିବେ ନାହିଁ କି  ଉକ୍ତ ଜାହାଜକୁ ପାରାଦ୍ୱୀପ ବନ୍ଦରରୁ କୈାଣସି ସାମଗ୍ରୀ ଯଥା ପାଣି ଓ ଖାଦ୍ୟ ସାମଗ୍ରୀ ମଧ୍ୟ ଯିବ ନାହିଁ । ଉକ୍ତ ବର୍ଥ ନିକଟରେ ମେରାଇନ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଓ କୋଷ୍ଟଗାର୍ଡର ଏକ ଟିମ ମଧ୍ୟ ନଜର ରଖିଛନ୍ତି ।