ଜାତିସଂଘ ରେକର୍ଡରେ କିସ୍ କାର୍ଯ୍ୟାବଳୀ ସ୍ଥାନିତ

 ଭୁବନେଶ୍ୱର : ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରମାଣ-ଆଧାରିତ ଶିକ୍ଷା ମାଧ୍ୟମରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବାରେ ଅଗ୍ରଣୀ ଭୂମିକା ନେଉଛି କିସ୍ । ଏଥିଯୋଗୁ କିସ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ଇକୋସକ୍‌) ଉଚ୍ଚସ୍ତରୀୟ ସେଗମେଣ୍ଟ ଦ୍ୱାରା ରେକର୍ଡରେ ସ୍ଥାନୀତ ହୋଇଛି । କିସ୍‌ର ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ଉଲ୍ଲେଖନୀୟ ଯୋଗଦାନ ସମେତ କିସ୍‌ ଏକ ସୃଜନଶୀଳ ଶୈକ୍ଷିକ ମଡେଲର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିପାରିଛି । ଜନଜାତି ପିଲାମାନଙ୍କୁ ସେମାନଙ୍କ ସ୍ଥାନୀୟ ଚାଲେଞ୍ଜର ମୁକାବିଲା ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି । ୟୁନେସ୍କୋ ପୁରସ୍କୃତ ମାତୃଭାଷା ପର୍ଯ୍ୟବେସିତ ବହୁ-ଭାଷୀ ଶିକ୍ଷା ମାଧ୍ୟମରେ ପ୍ରାଥମିକସ୍ତରରେ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିପାରୁଛି ବୋଲି ଜାତିସଂଘର ରେକର୍ଡରେ ଉଲ୍ଲେଖ କରାଯାଇଛି ।
କିସ୍‌ ୧୩ଟି ବିଶେଷ ଭାବରେ ର୍ଦୁବଳ ଜନଜାତି ସମ୍ପ୍ରଦାୟ ସମେତ ୬୪ଟି ଜନଜାତିର ପ୍ରାୟ ୮୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଶିକ୍ଷା ସହ ଜୀବନ କୌଶଳ, ଦକ୍ଷତା ବିକାଶ,କ୍ରୀଡ଼ାରେ ଉକ୍ରଷର୍ତା ପ୍ରତିପାଦନ ଏବଂ ଜଳବାୟୁ ସ୍ଥିରତା ଉପରେ ତାଲିମ ପ୍ରଦାନ କରିଆସୁଛି । ଫଳରେ ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ସଶକ୍ତ କରାଯାଇପାରୁଛି ବୋଲି ଜାତିସଂଘ ରେକର୍ଡରେ ଉଲ୍ଲେଖ କରାଯାଇଛି । ଏଥିରେ ଖୁସି ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି, କିସ୍‌ ବିଷୟରେ ଜାତିସଂଘରେ ସର୍ବଦା ଆଲୋଚନା ହେବା ସହ ଏହାର ରେକର୍ଡ ରହୁଛି । ଏହା ଜନଜାତି ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ସୂଚନାଯୋଗ୍ୟ କିସ୍‌କୁ ୨୦୧୫ରେ ଜାତିସଂଘର ଇକୋସକ୍‌ ଷ୍ଟାଟସ୍‌ ମିଳିଛି ଏବଂ ବର୍ତ୍ତମାନ ଏହା ଜାରି ରହିଛି । ଏହା ବ୍ୟତୀତ ୨୦୨୨ରେ କିସ୍‌କୁ ଜାତିସଂଘର ସର୍ବୋଚ୍ଚ ପୁରସ୍କାର ୟୁନେସ୍କୋ ଲିଟେରାରୀ ସମ୍ମାନ ପ୍ରଦାନ କରାଯାଇଛି ।