ଅକ୍ଟୋବର ସୁଦ୍ଧା ୩୮% ଖର୍ଚ୍ଚ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଆଜି  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ  ଅର୍ଥ ବିଭାଗ ତରଫରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ ଅକ୍ଟୋବର ୨୦୨୫ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ  ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ, ଏସିଏସ ସତ୍ୟବ୍ରତ ସାହୁ, ଏସିଏସ ଦେଓରଂଜନ କୁମାର ସିଂ, ଏସିଏସ ସୁରେନ୍ଦ୍ର କୁମାର, ଏସିଏସ ହେମନ୍ତ ଶର୍ମାଙ୍କ ସହିତ ଅନ୍ୟ ସମସ୍ତ  ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭରେ ୨୦୨୫ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ବିଜୟୀ ହୋଇଥିବା ଭାରତର ମହିଳା କ୍ରିକେଟ ଟିମ୍‌ଙ୍କ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।      

     ଅର୍ଥ ବିଭାଗ ତରଫରୁ  ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କିତ ଉପସ୍ଥାପନାରୁ ଜଣାଯାଇଛି ଯେ, ଗତ ଅକ୍ଟୋବର ମାସ ସୁଦ୍ଧା ବଜେଟ୍‌ ବ୍ୟୟ ଅଟକଳର ମୋଟ ୩୮% ଖର୍ଚ୍ଚ ହୋଇଛି । ୨୦୨୪-୨୫ ତୁଳନାରେ ଚଳିତ ୨୦୨୫-୨୬ର ଏହି ସମୟ ମଧ୍ୟରେ ଖର୍ଚ୍ଚ ପରିମାଣରେ ୧୩% ବୃଦ୍ଧି ଘଟିଛି । ଆଗାମୀ ଦିନରେ ସମସ୍ତ ବିଭାଗମାନଙ୍କୁ ଆର୍ଥିକ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସେହିପରି ମୋଟ ରାଜସ୍ୱ ଆଦାୟ କ୍ଷେତ୍ରରେ ଗତ ୨୦୨୪ ଅକ୍ଟୋବର ତୁଳନାରେ ଏ ବର୍ଷ ୭.୨% ବୃଦ୍ଧି ଘଟିଛି । ନିଜସ୍ୱ କର ଆଦାୟ, ନିଜସ୍ୱ ଅଣ କର ରାଜସ୍ୱ ଆଦାୟ, କେନ୍ଦ୍ରୀୟ କର ବାବଦକୁ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ଅନୁଦାନ ଆଦିକୁ ମିଶାଇ ମୋଟ ରାଜସ୍ୱ ୪୭.୬ % ସଫଳତା ହାସଲ ହୋଇଛି । ନଭେମ୍ବରରୁ ଆଗାମୀ ମାର୍ଚ୍ଚ  ୨୦୨୬ ସୁଦ୍ଧା ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ରହିଛି । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରିପ୍ରେକ୍ଷୀରେ ଇଜ୍‌ ଅଫ ଡୁଇଂ ବିଜିନେସ ଏବଂ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୨୩ ପ୍ରମୁଖ କ୍ଷେତ୍ର ଉପରେ ଆଲୋକପାତ କରାଯାଇଥିଲା । ଦେଶପ୍ରେମ, ଏକତା ଓ ଜାତୀୟ ଗୌରବର ଭାବନା ଜାଗ୍ରତ କରୁଥିବା ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ର ୧୫୦ ବର୍ଷ ପୂର୍ତ୍ତି ପାଳନ ସଂପର୍କରେ ସଂପୃକ୍ତ ବିଭାଗମାନଙ୍କର ସହଯୋଗ କାମନା କରାଯାଇଥିଲା । ସଚିବମାନଙ୍କର ବିଭିନ୍ନ ଜିଲ୍ଲା ପରିଦର୍ଶନ ଓ ସେସବୁର ବିବରଣୀ ପରିଦର୍ଶନ ପୋର୍ଟାଲରେ ଉଲ୍ଲେଖ କରାଯାଇ କାର୍ଯ୍ୟାନୁଷ୍ଠାନ ସଂପର୍କିତ ତଦାରଖ ଉପରେ ସେ ଗୁରୁତ୍ୱ ଦେଇଥିଲେ ।