ନବୀନ ନିବାସ ମୋହ ଛାଡ଼ିପାରିବେ କି ପାଣ୍ଡିଆନ୍ ?

ଭୁବନେଶ୍ୱର : ନବୀନ ନିବାସ ହେଉଛି ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ପରିଚୟ । ନବୀନ ପଟ୍ଟନାୟକ ହେଉଛନ୍ତି ତାଙ୍କ ଶକ୍ତି । ଓଡ଼ିଶାର ପ୍ରଥମ ପ୍ରଶାସକ ଭାବେ ସେ ଥିଲେ ସୁପର ସିଏମ୍ । ଚବିଶ ନିର୍ବାଚନରେ ପାଣ୍ଡିଆନଙ୍କୁ ହିଁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରିଥିଲେ । ଏତେ ସବୁ କହିବାର ଉଦ୍ଦେଶ୍ୟ ହେଉଛି, ନିକଟରେ ପାଣ୍ଡିଆନଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି । ତାଙ୍କୁ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ମୋଟା ଦରମାର ଚାକିରୀ ଅଫର ମିଳିଛି । ସେଥିପାଇଁ ସେ କୁଆଡେ଼ ନବୀନ ନିବାସ ଛାଡ଼ିବେ । ହେଲେ ସତରେ କ’ଣ ପାଣ୍ଡିଆନ୍ ନବୀନ ନିବାସ ମୋହ ଛାଡ଼ିପାରିବେ ? ଏହି ପ୍ରଶ୍ନ ବିଜେଡ଼ି ଅଳିନ୍ଦରେ ଘୂରିବୁଲୁଛି ।
ପାଣ୍ଡିଆନ୍ ପ୍ରଶାସନିକ ଓ ରାଜନୀତିକ କ୍ୟାରିୟରକୁ ଦୁଇଟି ବାକ୍ୟରେ ହିଁ ପ୍ରକାଶ କରାଯାଇପାରିବ । ଗୋଟିଏ ହେଉଛି ହାତ ପଶୁ ପଶୁ ବାହା ପଶିଯିବା ଓ ଆରଟି ହେଉଛି ଆଜି ଯେ’ ରାଜେନ୍ଦ୍ରାସନେ କାଲି ସେ ଭିକାରୀ । ନବୀନଙ୍କ ବ୍ୟକ୍ତିଗତ ସଚିବରୁ ସେ ସରକାର ଓ ବିଜେଡ଼ିର ସର୍ବେସର୍ବା ପାଲଟି ଯାଇଥିଲେ । କ୍ଷମତାର ଲୋଭ ଏତେ ବଢ଼ି ଯାଇଥିଲାଯେ, ସେ ନିଜକୁ ଓଡ଼ିଶାର ଲୋକପ୍ରିୟ ନେତା ଓ ବିକାଶ ପୁରୁଷ ସଜେଇ ଦେଇଥିଲେ । ହେଲେ ପ୍ରଭୁ ଜଗନ୍ନାଥ ତାଙ୍କର ଅହଙ୍କାର ସହିଲେ ନାହିଁ । ଜଗନ୍ନାଥଙ୍କୁ ରାଜନୀତିର ମେଢ଼ି ଖୁଣ୍ଟ କରି ଚାରିପଟେ ବିଜେଡ଼ିର ଭୋଟ ବେଙ୍ଗଳା ପକାଇବାର ଫଳ ସେ ପାଇଯାଇଛନ୍ତି । ୨୦୨୪ ଜୁନ୍ ପୂର୍ବରୁ ଯିଏ ଓଡ଼ିଶାର ସର୍ବ ଶକ୍ତିମାନ ଥିଲେ ଏବେ ସେ ନବୀନ ନିବାସ ଭିତରେ ମୁହଁ ଲୁଚାଇ ରହିବାକୁ ବାଧ୍ୟ ହୋଇଛନ୍ତି ।
ରାଜ୍ୟରେ ତାଙ୍କର କ୍ଷମତା ଚାଲି ଯାଇଥିଲେବି ବିଜେଡ଼ି ଆଜିକା ଦିନରେ ପାଣ୍ଡିଆନଙ୍କ ଦ୍ୱାରା ହିଁ ପରିଚାଳିତ ହେଉଛି । ଏମିତିକି ମଝିରେ ଚର୍ଚ୍ଚା ହେଉଥିଲା ରାଜନୀତିରୁ ସନ୍ନ୍ୟାସ ନେଇଥିବା ପାଣ୍ଡିଆନ୍ ପୁଣି ଥରେ ଶଙ୍ଖ ମଇଦାନକୁ ଫେରିବେ । ଅବଶ୍ୟ ପାଣ୍ଡିଆନଙ୍କ ସନ୍ନ୍ୟାସୀ ପଣିଆ; ‘ଏକାଦଶୀ ଦିନ ଏଗାର ବକତ, ଦ୍ୱାଦଶୀ ଦିନ ଇଲିସି, ତ୍ରୟୋଦଶୀ ଦିନ ତାମ୍ପଡ଼ା ଶୁଖୁଆ ତାକୁ ଖାଉଥା’ନ୍ତି ସନ୍ନ୍ୟାସୀ’ ଭଳି କହିଲେ ଭୁଲ୍ ହେବନାହିଁ । ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେବି ବିଜେଡ଼ି କ୍ଷୀର ହାଣ୍ଡିର ସବୁ ସର ତାଙ୍କରି ମୁହଁରେ ହିଁ ଲାଗିଛି । କିନ୍ତୁ ହଠାତ୍ ପାଣ୍ଡିଆନ୍ ନବୀନ ନିବାସ ଛାଡ଼ି ବିଦେଶ ପଳାଇବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାର ସତ୍ୟତା କେତେ ? ପାଣ୍ଡିଆନଙ୍କୁ ମିଳିଥିବା ଅଫର ବାହାର ଲୋକ ଜାଣିଲେ କେମିତି ? ଏକ ଜାତୀୟ ୱେବପୋର୍ଟାଲରେ ଏହି ଖବର ପ୍ରକାଶ ପାଇଲା କେମିତି ? ପାଣ୍ଡିଆନ୍ ଜାଣିଶୁଣି ଏମିତି ନାଟକ ରଚିଛନ୍ତି ନା ଚା’ କପରେ ଝଡ଼ ସୃଷ୍ଟି ପାଇଁ ସଂପୃକ୍ତ ୱେବ ମିଡ଼ିଆଟି ଏଭଳି ଉଡ଼ା ଖବରକୁ ଭାଇରାଲ କରିଛନ୍ତି ସେନେଇ ଅନେକ ପ୍ରଶ୍ନ ସ୍ୱାଭାବିକ ଭାବେ ଉଙ୍କି ମାରିଛି ।