୧୪ ଯାଏଁ ଜାଳିବ ଗ୍ରୀଷ୍ମଲହର ୱାର୍ଣ୍ଣିଂ ଜାରି


ଭୁବନେଶ୍ୱର :  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମଲହରୀ ପରିଲକ୍ଷିତ ହେବ  । ଉଷ୍ମ ଓ ଆର୍ଦ୍ର ଅବସ୍ଥା ଯୋଗୁଁ ତାତି ଅସହ୍ୟ ହୋଇପଡ଼ିବ  । ଆସନ୍ତା ୧୪ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି  । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନକୁ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଅଧିକ ହେବାର  ସମ୍ଭାବନା ଅଛି  । ସେହିପରି ମେ’ ୧୦ରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ  । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  । ଅପରପକ୍ଷରେ ମେ’ ୧୧ରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ର 

ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରିହେବାର ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଅଧିକ ହେବାର ସମ୍ଭାବନା ଅଛି  । ୧୪ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାର ଥିବାରୁ ପ୍ରତିଷେଧାତ୍ମକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।