ଖାଦ୍ୟପ୍ରେମୀଙ୍କ ହବ୍ ପାଲଟିଛି ଫୁଡ଼ ଫେଷ୍ଟିଭାଲ ହାଣ୍ଡିଶାଳ

ଭୁବନେଶ୍ୱର : ତାରକା ହୋଟେଲରେ ଖାଇବା ଅନୁଭୂତି ଏବେ ହାତ ପାହାନ୍ତାରେ । ଉତ୍ସବର ଭବ୍ୟ ଆୟୋଜନର ମଜା ନେଉଛନ୍ତି ଅତିଥି ଓ ପର୍ଯ୍ୟଟକ । ସହରର ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି ଖାଦ୍ୟ ମହୋତ୍ସବ । ରାଜ୍ୟ ତଥା ଦେଶର ଭଲ ନାମିଦାମୀ ହୋଟେଲର ସୁସ୍ୱାଦୁ ବ୍ୟଞ୍ଜନ ଏଠାରେ ଉପଲବ୍ଧ ରହିଛି । ସହରର ତାରକା ହୋଟେଲରେ ଯେଉଁସବୁ ବ୍ୟଞ୍ଜନ ଅଧିକ ଦର ଥାଏ, ସେହିସବୁ ଖାଦ୍ୟ ଏଠାରେ କମ ଦରରେ ମିଳୁଛି । ଉତ୍ସବରେ ଖୋଲିଥିବା ୧୪ଟି ଷ୍ଟଲରେ ଭରି ରହିଛି ଭରପୂର ଜାତୀୟ, ଅନ୍ତର୍ଜାତୀୟ ଓ ପାରମ୍ପରିକ ବ୍ୟଞ୍ଜନ। ଉତ୍ସବରେ ନାନା ପ୍ରକାର ଖାଦ୍ୟର ମଜା ଉଠାଉଥିବା ବେଳେ ପରିଦର୍ଶକ, ଦେଶୀ ଓ ପାରମ୍ପରିକ ବ୍ୟଞ୍ଜନକୁ ଅଧିକ ପସନ୍ଦ କରୁଛନ୍ତି ।
ପ୍ରବାସୀ ଭାରତୀୟ ଦିବସ ( ପିବିଡି ) ଉପଲକ୍ଷେ ରାଜଧାନୀ ଏବେ ଉତ୍ସବ ମୁଖର । ସବୁଠି ଆଲୋକମାଳା ଓ ସାଜ୍ଜସଜ୍ଜା ସାଙ୍ଗକୁ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଏଭଳି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ଅତିଥି ଓ ଦର୍ଶକଙ୍କ ସୁଅ ଛୁଟୁଛି । ଏକାମ୍ର ଉତ୍ସବ ଉପଲକ୍ଷେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଅପରାହ୍ନ ୪ଟାରୁ ରାତି ୧୧ଟା ଯାଏଁ ବିଭିନ୍ନ ଭବ୍ୟ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଉତ୍ସବରେ ବିଭିନ୍ନ ସ୍ଥାନରୁ ଉଦୀୟମାନ ଉଦ୍ୟୋଗୀ, ଘରୋଇ ବ୍ୟବସାୟ ଏବଂ ସ୍ଥାନୀୟ ପାରମ୍ପରିକ ବ୍ୟଞ୍ଜନ ଷ୍ଟଲ୍ ପ୍ରଦର୍ଶିତ ହୋଇଛି । ଯାହା ସବୁ ବର୍ଗର ଆଗନ୍ତୁକଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି । ବିଭିନ୍ନ ନିରାମିଷ ଓ ଆମିଷ ବ୍ୟଞ୍ଜନ ଖାଇବା ପାଇଁ ବିଭିନ୍ନ ଷ୍ଟଲରେ ଲମ୍ବା ଧାଡି ଲାଗୁଛି । ବିଭିନ୍ନ ଷ୍ଟଲରେ ଖାଇବା ପାଇଁ ଲୋକେ ଭିଡ଼ ଜମାଉଛନ୍ତି । ଉତ୍ସବକୁ ଅଧିକ ଆକୃଷ୍ଟ କରିବା ପାଇଁ ହୋଟେଲ ମାନଙ୍କରେ କିଛି ସ୍ୱତନ୍ତ୍ର ବ୍ୟଞ୍ଜନ ବି ପ୍ରସ୍ତୁତ ହେଉଛି । ବ୍ୟଞ୍ଜନ ବଜାରରେ ବେଶୀ ଚାହିଦାରେ ଅଛି ପତ୍ରପୋଡ଼ା ଖାଦ୍ୟ । ପତ୍ର ପୋଡ଼ା ମଟନ୍ ଓ ଦେଶୀ ଚିକେନ୍ ଦାମ୍ ୩୦୦ଟଙ୍କା ରହିଛି, ପତ୍ରପୋଡା ଚିକେନ୍, ଚିଙ୍ଗୁଡି, ଚୁନା ମାଛ, ପନିର ଓ ଛତୁର ଦାମ୍ ୨୫୦ ଟଙ୍କା ରହିଛି । ସେହିପରି ଗ୍ରିଲ ଆଲୁଟିକି ଚାଟ, ଦହି ଗୁପଚୁପ ଚାଟ, କଟକି ଦହିବରା ଆଳୁଦମ, ମସ୍କା ପାୱାଭାଜି, ଚଟପଟା ବୋଏଲଡ କର୍ଣ୍ଣ, ଏଗ ରୋଲ, ଚିକେନ ରୋଲ ଭଳି ଖାଦ୍ୟକୁ ଯୁବତୀମାନେ ପସନ୍ଦ କରୁଛନ୍ତି । ଆମିଷ ବ୍ୟଞ୍ଜନ ଭିତରେ ଚିକେନ ବାର୍ବିକୁ୍ୟ, ଫି୍ସ ବାର୍ବିକୁ୍ୟ, ହାଇଦ୍ରାବାଦୀ ଚିକେନ, ମଟନ ବିରିୟାନୀ, ଚିକେନ ଫ୍ରାଏଡ଼ ରାଇସ ଭଳି ବିଭିନ୍ନ ବ୍ୟଞ୍ଜନ ରହିଛି । ସେହିପରି ଥଣ୍ଡା ପାନୀୟ, ଆଇସକ୍ରିମ ଭଳି ଷ୍ଟାଟର ମଧ୍ୟ ଉପଲବ୍ଧ ରହିଛି । ଏଥିସହ ମନୋରଞ୍ଜନ ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ ଓଲିଉଡ଼ ଇଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଦର୍ଶକ ନିଜକୁ ମସଗୁଲ କରୁଛନ୍ତି ।