ମୁଖ୍ୟମନ୍ତ୍ରୀଙ୍କ ମା' ତାରାତାରିଣୀ ପୀଠ ଗସ୍ତ : ୬୮ କୋଟିର ପ୍ରକଳ୍ପ ଘୋଷଣା 


ଭୁବନେଶ୍ୱର/ବ୍ରହ୍ମପୁର:  ମା' ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ୬୮ କୋଟିର ପ୍ରକଳ୍ପ ଘୋଷଣା କରିଛନ୍ତି  । ଗଞ୍ଜାମ ଗସ୍ତକାଳରେ ସେ ମା’ଙ୍କ ଦର୍ଶନ କରି ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ରାଜ୍ୟ ସରକାର ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ ୮ କୋଟି ଟଙ୍କା ଦେଇଛନ୍ତି  । ସେହିପରି ଭକ୍ତ, ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇବା ପାଇଁ ସରକାର ଆଉ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାଛଡ଼ା ନଦୀ ପଠାରେ ହେବାକୁଥିବା ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ୨୫ କୋଟି ଟଙ୍କା ବ୍ୟୟରେ କରାଯିବ  । ଏହା ସହିତ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡି ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମା' ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋସôବରେ ମୁଖ୍ୟଅତିଥି ଭାବେ ଯୋଗଦେବା ସହିତ ମା' ତାରାତାରିଣୀଙ୍କୁ ଦର୍ଶନ କରିଛନ୍ତି । ଅଞ୍ଚଳର ଭିତ୍ତଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସେ  ସମୀକ୍ଷା କରିଛନ୍ତି । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶିକ୍ଷା କେବଳ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦେବାର ପ୍ରକ୍ରିୟା ନୁହେଁ; ଏହା ସେମାନଙ୍କୁ ଜୀବନ ଦୌଡ଼ ପାଇଁ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା  । ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନହେଉ । ଏହା ମାନବିକତା ବା ମଣିଷ ତିଆରି ମନ୍ଦିର ହେଉ । ପାକିସ୍ତାନରେ ଅନେକ ପିଲା  ପାଠ ପଢିବା ପରେ ନିଜ ଜ୍ଞାନ ଗରିମାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗେଇ ନିଜ ଭବିଷ୍ୟତକୁ ଧ୍ୱଂସ କରୁଛନ୍ତି  । ହେଲେ ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ  । ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ  । ମାଟି ମାଆର ଶୌର୍ଯ୍ୟ ଓ ସମ୍ମାନ ପାଇଁ ନିଜକୁ ସମର୍ପିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।   ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ କହିଥିଲେଯେ, ସଫଳତା ପାଇବା ପାଇଁ କୌଣସି ସର୍ଟକଟ ନାହିଁ, ଯଦି ଅଛି ତ କେବଳ ସଂଘର୍ଷ ଆଉ କଠିନ ପରିଶ୍ରମ  ।  ତୁମେମାନେ ନିରାଶାର ଅନ୍ଧାରକୁ ଚିରି ଆଶାର ଆଲୁଅ ହୋଇ ଜଳ  । ନିଜର ଜ୍ଞାନ ଓ ଦକ୍ଷତା ବଳରେ ତୁମେମାନେ ଧୂପକାଠି ପରି ଜଳି ଅନ୍ୟକୁ ସୁବାସ ଦିଅ । ଶିକ୍ଷା ପ୍ରତି ଆମ ସରକାରଙ୍କ ସର୍ବାଧିକ ଗୁରୁତ୍ୱ ରହିଛି  । ଚଳିତ ବର୍ଷ ବଜେଟରେ ସ୍କୁଲ ଶିକ୍ଷା ପାଇଁ ୩୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।