୫ଟି ବୃହତ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ: ମୁଖ୍ୟମନ୍ତ୍ରୀଙ୍କ ଜଳସେଚନ ପ୍ରକଳ୍ପର ସମୀକ୍ଷା
ଭୁବନେଶ୍ୱର : ଲୋକସେବା ଭବନରେ ଜଳ ସମ୍ପଦ ବିଭାଗର ବିଭିନ୍ନ ଡ୍ୟାମ ଓ ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଉପରେ ସମୀକ୍ଷା କରି ୫ଟି ବୃହତ୍ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକରେ ସୁନ୍ଦରଗଡ଼ ଜିଲ୍ଲାରେ ଇବ୍ ଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲାରେ ଅଙ୍ଗ ଜଳସେଚନ ପ୍ରକଳ୍ପ, କେନ୍ଦୁଝର ଜିଲ୍ଲାରେ ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ, ଝାରପଡା ଜଳସେଚନ ପ୍ରକଳ୍ପ, ଓ କାନୁପୁର ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡିକ କିପରି ତ୍ୱରାନ୍ୱିତ ହେବ ସେ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦୀର୍ଘଦିନ ଧରି ପ୍ରସ୍ତାବିତ ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ସେ ନିଦେ୍ର୍ଦଶ ଦେଇଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମସ୍ତ ଅଞ୍ଚଳରେ ଚାଷୀମାନଙ୍କ ଜଳସେଚନ ସମସ୍ୟା ଦୂର କରିବା ପାଇଁ ବ୍ୟାରେଜ ଏବଂ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ । ଇବ୍ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୧,୦୬,୨୭୯ ହେକ୍ଟର ଜମି ଜଳସେଚିତ ହୋଇପାରିବ । ସେହିପରି ଅଙ୍ଗ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୩୦,୦୦୦ ହେକ୍ଟର, ଭୀମକୁଣ୍ଡ ବ୍ୟାରେଜ ପ୍ରକଳ୍ପ ଦ୍ୱାରା ୩୧,୮୩୫ ହେକ୍ଟର, କେନ୍ଦୁଝରର ଝାରପଡା ଜଳସେଚନ ପ୍ରକଳ୍ପ ଦ୍ୱାରା ୧୭,୫୦୦ ହେକ୍ଟର ଓ କାନୁପୁର ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରାୟ ୨୯,୫୭୮ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯାଇପାରିବ । ଏହି ୫ଟି ପ୍ରକଳ୍ପ ଦ୍ୱାରା ସମୁଦାୟ ୨,୧୫, ୧୯୨ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିବ । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।