ଶୋଷ ମେଣ୍ଟାଉଛି ଚୁଆପାଣି
ନୀଳଗିରି : ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୁଡିଖୋଳା ଗ୍ରାମଟି ଦେବଗିରି ପାହାଡ଼ ପାଦଦେଶରେ ଅବସ୍ଥିତ । ଏଠାରେ ବସବାସ କରୁଥିବା ସମସ୍ତ ପରିବାର ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ଶହେବର୍ଷରୁ ଊଦ୍ଧ୍ୱର୍ ସମୟ ଚାରି ପୁରୁଷ ଧରି ବସବାସ କରୁଥିବା ଗ୍ରାମବାସୀ ମତ ଦେଇଛନ୍ତି । ତେବେ ଉକ୍ତ ଗ୍ରାମରେ ୩ଟି ନଳକୂପ ପ୍ରତିଷ୍ଠା କରାଯାଇଥିବାବେଳେ ସେଥିମଧ୍ୟରୁ ୨ଟି ନଳକୂଅରୁ ଲୁହାଳିଆ ପାଣି ବାହାରୁଥିବାରୁ ବ୍ୟବହାର ଅନୁପଯୋଗୀ ଅଟେ । ଗ୍ରାମବାସୀମାନେ କେବଳ ବେଳେବେଳେ ଗାଧୁଆ ଏବଂ ବାସନ ସଫା ପାଇଁ ବ୍ୟବହାର କରୁଛନ୍ତି । ଅନ୍ୟ ଗୋଟିଏ ନଳକୂପ ସୋଲାର ବିଜୁଳିରେ ପରିଚାଳିତ ହୋଇ ପାଇପ୍ ପାଣି ପାଇଁ ଉଦ୍ଦିଷ୍ଟ ଥିବାବେଳେ ସେଥିରୁ ଉପକୃତ ହେଉଛନ୍ତି ମାତ୍ର ୨ଟି ପରିବାର । ତେବେ ପାଖରେ ଥିବା ଗୋଟିଏ ଚୁଆ ଉପରେ ନିର୍ଭର କରି ୪ପୁରୁଷରୁ ଊଦ୍ଧ୍ୱର୍ ସମୟ ୭୦ରୁ ଊଦ୍ଧ୍ୱର୍ ପରିବାର ଚଳିଆସୁଥିବା ବେଳେ ଅନେକଥର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏ ନେଇ ଆରଡବ୍ଲୁଏସଏସ ଯନ୍ତ୍ରୀ ଭାଗିରଥି ଦାସଙ୍କୁ ଅବଗତ କରାଯିବା ପରେ ଆସନ୍ତା ୨ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ନୂତନ ନଳକୂପ ଖନନ କରାଯାଇ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ମତପ୍ରକାଶ କରିଛନ୍ତି ।