ପାଣି ପାଇଁ ହନ୍ତସନ୍ତ ଦଶମାଣିଆ ଗ୍ରାମବାସୀ
ଯଖପୁରା : ପାଣି ହିଁ ଜୀବନ । ପାଣି ବିନା ଜୀବନ ଠପ୍ । ଏହାକୁ ଆଖି ଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘର ଘରକୁ ଟ୍ୟାପ ପାଣି ଯୋଗାଇବା ପାଇଁ ଅନେକ ଯୋଜନା କରିଛନ୍ତି । ରାଜ୍ୟ ସରକାର ବିଶୁଦ୍ଧ ପାଣି ଘର ଘରକୁ ଯୋଗାଇବା ପାଇଁ ବସୁଧା ଯୋଜନା କରିଛନ୍ତି । ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାର କହିଛନ୍ତି । ମାତ୍ର ସରକାର ଯଦି ଯୋଜନା ଘୋଷଣା କରି ଦେବେ ଆଉ ସରକାରୀ ବାବୁ ମାନେ ହାତରେ ହାତ ପକାଇ ବସିପଡ଼ିବେ ତେବେ ଯୋଜନା ବାଟବଣା ହେବା ଥୟ । ସରକାର କହୁଛନ୍ତି ଘର ଘରକୁ ଟ୍ୟାପ୍ପାଣି ଯୋଗାଉଛନ୍ତି । ସେଥିପାଇଁ ମେଗା ଜଳ ପ୍ରକଳ୍ପ କରାଯାଇଛି । ମାତ୍ର ବାସ୍ତବ କ୍ଷେତ୍ରରେ ତାହା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ । ଏବେ ବି ଅନେକ ଲୋକ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ୍ ଅଧୀନସ୍ଥ ମାନତୀରା ପଞ୍ଚାୟତର ଦଶମାଣିଆ ଗ୍ରାମରେ । ଗ୍ରାମଟି ଠିକ୍ କାରଖାନାର ନିକଟବର୍ତୀ ଗ୍ରାମ । ଏହି ଗ୍ରାମରେ ପ୍ରାୟ ସାଧାରଣ ତ ଅନେକ ପଛୁଆ ବର୍ଗର ଲୋକ ବସବାସ କରୁଛନ୍ତି । ଗ୍ରାମରେ ପ୍ରାୟ ପାଞ୍ଚ ଶହରୁ ଅଧିକ ଲୋକ ରହୁଛନ୍ତି । ସେଠାରେ କିନ୍ତୁ ଜଳ ସମସ୍ୟା ଦେଖାଦେଇଛି । ପାଇବା ପାଣିର ସେମିତି କୌଣସି ସୁବିଧା ନାହିଁ । ତାପରେ ଗ୍ରୀଷ୍ମ ପ୍ରବାହ ସମୟରେ ଜଳର ଯେ କେତେ ଆବଶ୍ୟକତା ସମସ୍ତେ ଜାଣିଛନ୍ତି । ଏହାରିଭିତରେ ପୁଣି ପାଇବା ପାଣିର ସମସ୍ୟା । ମାଣତୀରା ପଞ୍ଚାୟତର ସରପଞ୍ଚଙ୍କ ଘର ଖୋଦ୍ ଏହି ଗ୍ରାମରେ । ଗ୍ରାମରେ ସରପଞ୍ଚ ଘର ହୋଇଥିବାରୁ ଲୋକମାନଙ୍କର ଆଶା ଅଧିକ ଥିଲା । କିନ୍ତୁ ଆଶା ନିରାଶାରେ ପରିଣତ ହୋଇଛି । ପାଇବା ପାଣି ପାଇଁ ଗ୍ରାମରେ ଦୁଇ ଦୁଇଟି କୂଅ ଥିବା ସତ୍ୱେ ତାହା ପାଇବା ପାଇଁ ପାଣି ଅନୁପଯୁକ୍ତ । ଅନେକ ଦିନ ଧରି କୂଅର ପାଣି ଦୂଷିତ ହୋଇ ପଡ଼ିଛି । ସରକାରୀ ସ୍ତରରେ କୂଅର ପାଣିକୁ ବିଶୁଦ୍ଧ କରିବା ପାଇଁ ସେମିତି କିଛି ପଦକ୍ଷେପ ନିଆଯାଇନାହିଁ ବୋଲି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତାପରେ ଗ୍ରାମ ବାସୀଙ୍କ ପାଇବା ପାଣି ପାଇଁ ଗୋଟିଏ ମାତ୍ର ବ୍ୟବସ୍ଥା ରହିଛି ଯାହା ଗ୍ରାମ ପାଇଁ ଯଥେଷ୍ଟ ନୁହେଁ । ନିକଟସ୍ଥ କାରଖାନା ତରଫରୁ ଅନେକ ଦିନ ତଳୁ ଏକ ପାଣି ଟାଙ୍କି ବସାଯାଇଥିଲା ଯାହା ଏବେ ବ୍ୟବହୃତ ଯୋଗ୍ୟ ନୁହେଁ । ପାଣି ଟାଙ୍କିଟି ଭଗ୍ନ ଅବସ୍ଥାରେ ପଡ଼ି ରହିଛି । ଗ୍ରାମରେ ଏକ ମାତ୍ର ନଳକୂପ ଅଛି ଯେ ତାହା ମଧ୍ୟ ଚାଲୁ ନାହିଁ । ତାହା ମଧ୍ୟ ଭଗ୍ନ ଅବସ୍ଥାରେ ଅଛି । ନଳକୂପରୁ ଯେଉଁ ଟିକକ ପାଣି ବାହାରୁଛି ତାହା ଗୋଳିଆ ଆଉ ଆଇରନ ମିଶାପାଣି । ଯାହାକୁ ବ୍ୟବହାର କରାଯାଇପାରିବ ନାହିଁ । ସେହିପରି ଲୋକଙ୍କ ପାଇବା ପାଣି ପାଇଁ ଟାଟା କମ୍ପାନୀ ତରଫରୁ ନିକଟରେ ଏକ ନଳକୂପ ବସାଜାଇଛି ମାତ୍ର ତାହା ସଂପୂର୍ଣ୍ଣ ହୋଇନାହିଁ । ଅଧପାନ୍ତରିଆ ଭାବରେ କାମ କରି କମ୍ପାନୀ ଛୁ । ଟାଟା କମ୍ପାନୀ ତରଫରୁ କରାଯାଇଥିବା ନଳକୂପରୁ ମଧ୍ୟ ଗ୍ରାମବାସୀ ପାଣି ବ୍ୟବହାର କରିପାରୁ ନାହାନ୍ତି । ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।ଛୋଟ ଛୋଟ କୁନି କୁନି ପିଲା ମାନଙ୍କ ଖାଦ୍ୟ ରାନ୍ଧିବା ପାଇଁ ଆବଶ୍ୟକ ପାଣି ମଧ୍ୟ ମିଳୁନାହିଁ । କୋଷେ ଦୂରରୁ ପାଣି ଆଣିବାକୁ ପଡୁଛି । ପୁଣି ପିଇବା ପାଣି ପାଇଁ ଏକ ମାତ୍ର ଉତ୍ସ ଥିବା ଅତିଗଭିର ବୋରୱେଲ ଯଦି କୌଣସି କାରଣରୁ ଖରାପ ହେଉଛି ତେବେ ପାଇବା ପାଣିର ସମସ୍ୟା ଅତିଗମ୍ଭୀର ହୋଇପଡିଛି । ପାଇବା ପାଣିକୁ ଛାଡ଼ିଲା ପରେ ମଧ୍ୟ ଲୋକମାନେ ଗାଧୋଇବା ପାଇଁ ଗ୍ରାମରେ ଥିବା ଏକ ପୋଖରୀ ଉପରେ ନିର୍ଭର କରନ୍ତି ।ମାତ୍ର ପୋଖରୀର ଅବସ୍ଥା ଅତି ଖରାପ ଯାହା ଅପନ୍ତରିଆ ହୋଇପଡ଼ିରହିଛି ।ପୋଖରୀ ସାରା ଦଳ ମାଡ଼ିଯାଇଛି ।ଗାଧୋଇବା କଥା ଛାଡ ସେଠାକୁ ଯିବାକୁ ଭୟ ଲାଗୁଛି । ଗ୍ରାମର ଲୋକମାନେ ଗାଧୋଇବା ପାଇଁ ନିକଟରେ ଥିବା ନାଳ ଉପରେ ଆଉ ଚୁଆ ଉପରେ ନିର୍ଭର କରୁଛନ୍ତି । ନାଳପାଣି କଥା ନକହିବା ଭଲ । ନିକଟରେ ଥିବା କାରଖାନାର ଦୂଷିତ ପାଣି ନାଳ ପାଣି ସହିତ ମିଶୁ ଥିବାରୁ ତାହା ମଧ୍ୟ ଦୂଷିତ । କିନ୍ତୁ ଗ୍ରାମବାସୀଙ୍କ ପାଖରେ ଅନ୍ୟକିଛି ଉପାୟ ନଥିବାରୁ ବାଧ୍ୟହୋଇ ନାଳ ପାଣିରେ ଗାଧୋଉଛନ୍ତି । ତେଣୁ ପାଣି ସମସ୍ୟା ଦେଖିଲେ ଗ୍ରାମରେ ଅନେକ ଅସୁବିଧା ରହିଛି ।ମେଗା ପାନୀୟ ଜଳ ପାଇଁ ବିଛା ଯାଇଥିବା ପାଣି ପାଇପ ସବୁ ଭାଙ୍ଗି ରୁଜି ଗଲାଣି । ମେଗା ପାନୀୟ ଜଳ କୁ ଅନେଇ ଅନେଇ ଗ୍ରାମବାସୀଙ୍କ ଆଖିରୁ ପାଣି ମଲାଣି । କିନ୍ତୁ ପାନୀୟ ବ୍ୟବସ୍ଥା ର ବନେ୍ଦାବସ୍ତ ହୋଇପାରୁ ନାହିଁ । ଆଗାମୀ ଦିନରେ ଯଦି ଏହାର ତୁରନ୍ତ ସମାଧାନ କରା ନଯାଏ ତେବେ ପାନୀୟ ଜଳର ସମସ୍ୟା ଉକôଟରୂପ ଧାରଣ କରିବା । ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।