ବିଜେପି-ବିଜେଡ଼ିକୁ କଟୁ ସମାଲୋଚନା କଲେ ବନ୍ଦିତା

ଯାଜପୁର ବିଜେପି-ବିଜେଡ଼ି ଗୋଟିଏ ଭାଡ଼ାର ପାରା । ଦୁଇଦଳ ଆଗରୁ କୋଳାକୋଳି ହୋଇ ଚାଲୁଥିଲେ, ଏବେ ନିର୍ବାଚନରେ ବି ଦୁଇ ଦଳ ମିତ ହୋଇ ନିର୍ବାଚନ ଲଢୁଛନ୍ତି । ଦେଶ ଓ ରାଜ୍ୟର ମଙ୍ଗଳ ପାଇଁ ବିଜେପି କି ବିଜେଡ଼ି ନୁହେଁ କଂଗ୍ରେସ ସରକାର ଆସିବା ଦରକାର । ସେଥିପାଇଁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଆମେ ସମସ୍ତେ ଉଦ୍ୟମ କରି ରାଜ୍ୟରୁ ବିଜେଡ଼ି ଏବଂ କେନ୍ଦ୍ରରୁ ବିଜେପି ସରକାର ହଟାଇବାକୁ ପଡ଼ିବ । ଏଭଳି ଆହ୍ୱାନ କୋରେଇ ବିଧାନସଭା କଂଗ୍ରେସ ପ୍ରାର୍ଥୀନୀ ବନ୍ଦିତା ପରିଡ଼ା ତୁଳତି ଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ଦେଇଛନ୍ତି । ରବିବାର ବନ୍ଦିତା ତାହାରପୁର ପଞ୍ଚାୟତରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ତୁଳତି ଠାରେ ପହଞ୍ଚିଥିଲେ । ସେଠାରେ କୋରେଇ ବ୍ଳକ କଂଗ୍ରେସ କମିଟି ସଭାପତି ଅକ୍ଷୟ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ରାଜ୍ୟ ପ୍ରଚାର କମିଟି ସଦସ୍ୟ ହରେକୃଷ୍ଣ ସାହୁ, ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ପଦ୍ମକର ଗୁରୁ, ବ୍ୟାସନଗର ପୂର୍ବତନ ଉପ ନଗରପାଳ ପ୍ରମୋଦ ପରିଡା, ପୂର୍ବତନ ବ୍ଳକ ସଭାପତି ମଧୁସୂଦନ ସାହୁ, ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ମଲ୍ଲିକ, ରାଜ୍ୟ ମହିଳା କମିଟି ସମ୍ପାଦିକା ନିର୍ମଳା ମଲ୍ଲିକ, ପୂର୍ବତନ ଜିଲା ମହିଳା କଂଗ୍ରେସ କମିଟି ସଭାପତି ରୀତାଶ୍ରୀ ମହାନ୍ତି, କୋରେଇ ବ୍ଲକ ଯୁବନେତା ବିଜୟ ବୋଇତାଇ, ନାରୀନେତ୍ରୀ ଆରତୀ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ରବି ପ୍ରକାଶ ନାୟକ, ଛାତ୍ର କଂଗ୍ରେସ ସଭାପତି ଆଶିଷ କୁମାର ମଲ୍ଲିକ ଓ ବ୍ଳକ କଂଗ୍ରେସ ଉପସଭାପତି ନିରଞ୍ଜନ ନାୟକ, ସୁଧିର ମହାନ୍ତି, ଶିବ ରାଉତ ପ୍ରମୁଖ କଂଗ୍ରେସକୁ ଭୋଟ ଦେଇ ଗଣତନ୍ତ୍ର ସୁରକ୍ଷିତ ରଖିବାକୁ ନିବେଦନ କରିଥିଲେ । ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତା ଘରକୁ ଘର ଯାଇ କଂଗ୍ରେସର ଗ୍ୟାରେଣ୍ଟି ପ୍ରଚାରପତ୍ରକୁ ପହଁଚାଇ ଜନମତ ସୃଷ୍ଟି କରିବାର ବାର୍ତା ଦେଇଥିଲେ । ଦୁଇ ନମ୍ବର ଜୋନର ଉମାକାନ୍ତ ବେହେରା ଧନ୍ୟବାଦ ଦେଇଥିଲେ । ସମାବେଶରେ ସହସାଧିକ ମହିଳା ଉପସ୍ଥିତ ହୋଇ ବନ୍ଦିତାଙ୍କ ସପକ୍ଷରେ ନାରା ଦେଇଥିଲେ ।