ବିଜେଡ଼ିରେ କ’ଣ ଅଯୋଗ୍ୟ କ୍ଷମତାଶାଳୀ? ଭାସ୍କରଙ୍କ ପରେ ପ୍ରଫୁଲ୍ଲ ଛାଡ଼ିଲେ ଦଳ

ବିଜେଡ଼ିରେ କ’ଣ ଅଯୋଗ୍ୟ କ୍ଷମତାଶାଳୀ? ଭାସ୍କରଙ୍କ ପରେ ପ୍ରଫୁଲ୍ଲ ଛାଡ଼ିଲେ ଦଳ

ଭୁବନେଶ୍ୱର : ବିଜୁ ଜନତା ଦଳ କ’ଣ ଅଯୋଗ୍ୟ, ଅପାରଗ ଓ ଅଥର୍ବଙ୍କୁ କ୍ଷମତାଶାଳୀ କରେକି ? ସେହିମାନଙ୍କୁ କ’ଣ ଦଳ ପଦପଦବୀ ଦିଏ କି ? ଦଳର ଉତ୍ସର୍ଗୀକୃତ ନେତାଙ୍କୁ ଅଣଦେଖା କରି ତେଲମରା ସବୁ କ୍ଷମତା ହାତାନ୍ତି କି ? ଏମିତି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକ ମହଲରେ ଉଙ୍କି ମାରୁଛି  ।
ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଦୁଇଟି ଛୋଟ ଉଦାହରଣ ଦେଲେ ଆମେ ଏକଥାର ମର୍ମ ବୁଝିପାରିବା । ବିଜେଡ଼ି ରାଜନୀତି ସହ ଜଡ଼ିତ ସମସ୍ତେ ଜାଣନ୍ତି ଭାସ୍କର ରାଓ ହେଉଛନ୍ତି ରାୟଗଡ଼ା ବିଜେଡ଼ିର ତୁଙ୍ଗ ନେତା । ତାଙ୍କ କଥାରେ ଦଳ ଟିକେଟ ବି ଦିଏ । ସେଠାକାର ନେତାମାନେ ନବୀନ କି ପାଣ୍ଡିଆନଙ୍କର ନୁହେଁ, ବରଂ ଭାସ୍କରଙ୍କର ଅନ୍ତରଙ୍ଗ ହେବାକୁ ପ୍ରତିଯୋଗିତା କରୁଥିଲେ । ଦଳର ସଂଗଠନ କଥା ବି ସେ ବୁଝାଶୁଝା କରନ୍ତି । ଅର୍ଥ ବଳ, ବାହୁବଳ ସାଙ୍ଗକୁ ବିଜେଡ଼ିର କ୍ଷମତା ବଳକୁ ପଞ୍ଚ କରି ସେ ରାୟଗଡ଼ାରେ ହାକିମାତି କରୁଥିଲେ । ଦଳ ତାଙ୍କୁ ରାଜ୍ୟସଭା ସାଂସଦ ଓ ଯୋଜନା ବୋଡର଼୍ ଉପାଧ୍ୟକ୍ଷ ବି କରିଥିଲା । ଏବେ କିନ୍ତୁ ଗଣମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଅପଦାର୍ଥ ବୋଲି କେତେକ ବିଜେଡ଼ି ନେତା ଚିତ୍ରଣ କରୁଛନ୍ତି । ସେଥିପାଇଁ ପ୍ରଶ୍ନ ଉଠୁଛି ବିଜେଡ଼ି କ’ଣ ଅଯୋଗ୍ୟ ବା ଅପଦାର୍ଥଙ୍କୁ କ୍ଷମତା, ପଦପଦବୀ ଦିଏ କି ? ଅବଶ୍ୟ କଂଗ୍ରେସରୁ ବିଜେଡ଼ିକୁ ଆସିଥିବା ପ୍ରଦୀପ ମାଝୀ କିନ୍ତୁ ଭାସ୍କରଙ୍କୁ ଟାଣୁଆ ନେତା ବୋଲି ଭାବି ମନ୍ତବ୍ୟ ଦେଇଛନ୍ତି ।
ଆଉ ଜଣେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ୨୦୦୪ରୁ ୨୦୨୪ ଯାଏଁ ସେ ଥିଲେ କାମାକ୍ଷାନଗର ବିଧାୟକ । ବହୁବାର ମନ୍ତ୍ରୀ ବି ହୋଇଛନ୍ତି । ୨୦୨୪ରେ ବି ଦଳ ତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେଇଥିଲା । ଏବେ ସେ ପାଣ୍ଡିଆନଙ୍କୁ ନିଶାନା କରି ଦଳରୁ ଇସ୍ତଫା ଦେଇଛନ୍ତି । ୟାପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଛି ବର୍ଷଣ  । ସେ ଗଲେ କିଛି ହେବାର ନାହିଁ, ପାଣ୍ଡିଆନଙ୍କ ଦୟାରେ ସେ ମନ୍ତ୍ରୀ ହୋଇଥିଲେ, ଅନ୍ୟ କାହାକୁ ଧରାଧରି କରି ସେ ଟିକେଟ୍‌ ପାଇଥିଲେ, ତାଙ୍କର ଦକ୍ଷତା ନାହିଁ, ଦଳ ତାଙ୍କ ଉପରେ ଦୟା କରିଥିଲା, ଏମିତି ଅନେକ କଥା ସୋସିଆଲ ମିଡ଼ିଆରେ ବିଜେଡ଼ିର ନେତା, କର୍ମୀ, ଚାଟୁକାର, ବଚସ୍କର, ପାଣ୍ଡିଆନଙ୍କ ଚାମଚାମାନେ କହି ବୁଲୁଛନ୍ତି । ଅତଏବ ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ଜଣେ ଅଯୋଗ୍ୟଙ୍କୁ ବିଜେଡ଼ି ଏତେ ପାୱାରଫୁଲ୍‌ କେମିତି କରିଥିଲା ? ଏହି ପ୍ରଶ୍ନ ଉଠିବା ହିଁ ସ୍ୱାଭାବିକ ।
ଖାଲି ସେତିକିନୁହେଁ ହରିଶଙ୍କର ରାଉତଙ୍କ ଭଳି ଜଣେ ଯୁବନେତାଙ୍କୁ ବି ଟାର୍ଗେଟ୍‌ ଆରମ୍ଭ ହୋଇଯାଇଛି । ସେ କେମିତି ବାପି ରାୟଙ୍କ ପାଇଁ ମଣିଷ ହୋଇଛନ୍ତି, ରେଭେନ୍ସାରେ ଜିତିବାର ତାଙ୍କର ଯୋଗ୍ୟତା ନଥିଲା, ଛାତ୍ର ନେତା ଭାବେ ପଦପଦବୀ ଆଉ କ୍ଷମତା କେମିତି ଦୟାରେ ମିଳିଛି, ଏମିତି ଅନେକ କଥା ତାଙ୍କ ନାମରେ କୁହାଯାଉଛି । ତା’ମାନେ ହରିଶଙ୍କରଙ୍କ ଭଳି ଅଯୋଗ୍ୟଙ୍କୁ ବିଜେଡ଼ି ନେତା କରିଥିଲା କି ? ଏ ପ୍ରଶ୍ନର ଉତ୍ତର ନବୀନ ପଟ୍ଟନାୟକ ଦେବେ କି ? ଖାଲି ସେତିକିନୁହେଁ ପ୍ୟାରୀ ମୋହନ ମହାପାତ୍ରଙ୍କ ଭଳି ବେଇମାନଙ୍କୁ ବି ନବୀନ ଦିନେ ଦାୟିତ୍ୱ ଦେଇଥିଲେ । ତାଙ୍କୁ ଦଳରୁ ବିତାଡ଼ିତ କରିବା ବେଳେ ନବୀନ କହିଥିଲେ ବେଇମାନ୍‌ । ବିଜେଡ଼ିରେ କ’ଣ ଏଭଳି ଅଯୋଗ୍ୟ ଓ ବେଇମାନମାନେ ପାୱାରଫୁଲ୍‌ ହୋଇଥା’ନ୍ତି କି ? ସୂଚନାଯୋଗ୍ୟଯେ, ଗତକାଲି ବିଷ ଓଗାଳିଥିବା ପ୍ରଫୁଲ୍ଲ ମଲ୍ଲିକ ଆଜି ଦଳ ଛାଡ଼ିଛନ୍ତି  । ତେବେ ବିଜେଡ଼ି ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ନେଇ ବି ପ୍ରେସରିଲିଜ୍‌ ଜାରି କରିଛି  । ତେବେ ମଜାର କଥା ହେଉଛି ଏହି ରିଲିଜ୍‌ରେ ଗତକାଲିର ତାରିଖ ପଡ଼ିଛି  । ଯଦି ଗତକାଲି ତାଙ୍କୁ ସସପେଣ୍ଡ କରାଯାଇଥିଲା ଆଜିପର୍ଯ୍ୟନ୍ତ ଗୁପ୍ତ କାହିଁକି ରଖାଯାଇଥିଲା ? ଏ ପ୍ରଶ୍ନ ଉଠିବା ବି ସ୍ୱାଭାବିକ ।