ବିବାଦରେ ବଲିଉଡ୍ ଗାୟକ ଉଦିତ୍ ନାରାୟଣ : ଭିଡ଼ିଓ ଭାଇରାଲ୍ ପରେ ଜୋରଦାର୍ ଟ୍ରୋଲିଂ

ବିବାଦରେ ବଲିଉଡ୍ ଗାୟକ ଉଦିତ୍ ନାରାୟଣ :  ଭିଡ଼ିଓ ଭାଇରାଲ୍ ପରେ ଜୋରଦାର୍ ଟ୍ରୋଲିଂ

କଳାକାରଙ୍କ ଲାଇଭ୍ ସୋ’ ରେ ଏମିତି ଅନେକ ଘଟଣା ଘଟେ ଯାହା ଚର୍ଚ୍ଚାର କେନ୍ଦ୍ରକୁ ଚାଲିଆସେ । କେଉଁ ଗାୟକ ଲାଇଭ୍ ଶୋ’ ଉପରୁ ପଡ଼ିଯାଆନ୍ତି ତ ଆଉ କିଏ ଦର୍ଶକଙ୍କୁ ଖୁସି କରାଇବା ପାଇଁ ମଞ୍ଚ ଉପରକୁ ଡ଼ାକି ଡ୍ୟାନ୍ସ କରନ୍ତି । ଏମିତି ଅନେକ ଭିଡ଼ିଓ ଆପଣ ଦେଖିଥିବେ , ଯାହା ଉକ୍ତ କଳାକାରଙ୍କୁ କଣ୍ଟ୍ରୋଭର୍ସି ଆଡ଼କୁ ମଧ୍ୟ ଟାଣିନିଏ । ଏମିତି ହିଁ ଘଟଣା ଘଟିଛି ବଲିଉଡର ଜଣେ ନାମୀଦାମୀ ଗାୟକଙ୍କ କ୍ଷେତ୍ରରେ । ନବେ ଦଶକରୁ ଆରମ୍ଭ କରି ଏକବିଂଶ ପର୍ଯ୍ୟନ୍ତ ସଂଗୀତପ୍ରେମୀଙ୍କୁ ନିଜ ସ୍ବରର ଯାଦୁରେ ବାନ୍ଧି ରଖିଥିବା ଗାୟକ ଆଜି ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ଆମେ କହୁଛୁ ପାପା କେହତେ ହେଁ ବଡ଼ା ନାମ୍ କରେଗା ,ପରଦେଶୀ ପରଦେଶୀ ଜାନା ନହିଁ ମୁଝେ ଛୋଡକେ , ଫୁଲୋଁସା ଚେହେରା ତେରା ଭଳି ହିଟ୍ ଗୀତ ଗାଇଥିବା ଗାୟକ ଉଦିତ୍ ନାରାୟଣଙ୍କ ବିଷୟରେ । 

ବଲିଉଡର ଲୋକପ୍ରିୟ ଗାୟକ ଉଦିତ୍ ନାରାୟଣଙ୍କୁ ଅବା କିଏ ନଜାଣେ । ହିଟ୍ ଗୀତ ଗାଇ ଦର୍ଶକଙ୍କୁ ନିଜ ଦିୱାନା ବନାଇଥିବା ଏହି ସିଙ୍ଗର୍ ଏବେ ନିଜେ ଚର୍ଚ୍ଚାରେ । ନିକଟରେ ଏକ ଲାଇଭ୍ ଶୋ’ରେ ଗୀତ ଗାଉଥିବା ବେଳେ ଜଣେ ମହିଳା ଫ୍ୟାନଙ୍କୁ ଲିପକିସ୍ କରି ଟ୍ରୋଲିଂର ଶିକାର ହେଉଛନ୍ତି ଉଦିତ୍ । ଷ୍ଟେଜରେ ଟିପ୍ ଟିପ୍ ବରଷା ପାନି ଗୀତ ଗାଉଥିବା ବେଳେ ଜଣେ ମହିଳା ଫ୍ୟାନ୍ ଉଦିତଙ୍କ ସହ ସେଲ୍ଫି ନେବାକୁ ପହଂଚିଥିଲେ । ଉଦିତ୍ ସେଲ୍ଫି ତ ନେଲେ କିନ୍ତୁ ଗୀତ ମଝିରେ ଉତ୍ସାହିତ ହୋଇ ମହିଳାଙ୍କୁ ଲିପକିସ୍ କରିଦେଲେ । ଆଉ ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଉଦିତଙ୍କୁ ଆରମ୍ଭ ହୋଇଗଲା ଟ୍ରୋଲିଂ । ଖାଲି ଏ ଗୋଟିଏ ଭିଡ଼ିଓ ନୁହଁ ଅନ୍ୟ ଲାଇଭ୍ ଶୋ’ ଯେଉଁଠି ସିଙ୍ଗର୍ ନିଜ ମହିଳା ଫ୍ୟାନ୍ସଙ୍କୁ ଚୁମ୍ବନ ଦେଉଥିବା ଭିଡ଼ିଓ ମଧ୍ୟ ଏବେ ଭାଇରାଲ୍ ହେବାରେ ଲାଗିଛି । ୟୁଜର୍ସ ଉଦିତଙ୍କ ଭିଡ଼ିଓରେ କମେଣ୍ଟ୍ ଦେଇ ନିଜକୁ ସମ୍ଭାଳିବାକୁ ପରାମର୍ଶ ଦେଉଛନ୍ତି । 

ଅନ୍ୟପକ୍ଷରେ ଉଦିତ୍ ମଧ୍ୟ ଏ ଘଟଣାରେ ମୁହଁ ଖୋଲିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି , ‘ଫ୍ୟାନ୍ସ ସବୁବେଳେ ଦିୱାନା ଥାଆନ୍ତି । ଆମେ ଡିସେଣ୍ଟ୍ ଲୋକ , ସେଭଳି ଭାବନା ଆମ ମନରେ ନାହିଁ । ଫ୍ୟାନ୍ସଙ୍କ ଭଲପାଇବା ଦେଖି ଆମେ ମଧ୍ୟ ତାଙ୍କୁ ଭଲପାଇବା ଦେଉ । ଏ ଘଟଣାକୁ ଏତେ ବଢାଇଚଢାଇ କହିବା ଦରକାର ନାହିଁ । ଭିଡ଼ରେ ବହୁତ ଲୋକ ଥିଲେ , ମୋ ବଡିଗାର୍ଡ ବି ଥିଲେ । ଫ୍ୟାନ୍ସ ସିଙ୍ଗରଙ୍କୁ ଦେଖିବାର ଚାନ୍ସ୍ ହାତଛଡ଼ା କରିବାକୁ ଚାହାନ୍ତିନାହିଁ । ପାଖରେ ଦେଖିଲା ପରେ କିଏ ହାତରେ ତ କିଏ ଗାଲରେ କିସ୍ କରନ୍ତି । ଆଉ ଗାୟକ ମଧ୍ୟ ଭଲପାଇବା ଦେବାରେ ଉଣା କରନ୍ତିନାହିଁ । ଏ କେବଳ ଶ୍ରୋତାଙ୍କ ପାଇଁ ଗାୟକର ଭଲପାଇବା ଆଉ କିଛି ନୁହଁ .. ’ ଗାୟକ ଉଦିତ୍ ନାରାୟଣ ନିଜ ଭଲପାଇବା କଥା କହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ଏଇଠି ପକାଇଥିବା ବେଳେ ଟ୍ରୋଲର୍ ମଧ୍ୟ ଥମିବାର ନାଁ ନେଉନାହାନ୍ତି । ତେବେ ଦେଖାଯାଉ ଏ ଟ୍ରୋଲିଂ ଆଉ କେତେ ସମୟ ଲାଗିରହୁଛି ।