ଲାଗୁ ହେଲା ୪ ଶ୍ରମ ଆଇନ୍‌ : ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠାରୁ ସାରା ଦେଶରେ ମଜୁରୀ ସହିଂତା ୨୦୧୯, ଶିଳ୍ପ ସମ୍ପର୍କ ସଂହିତା ୨୦୨୦, ସାମାଜିକ ସୁରକ୍ଷା ସଂହିତା ୨୦୨୦ ଓ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା ୨୦୨୦ କାର୍ଯ୍ୟକାରୀ ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି । ଏହି ନୂତନ ଶ୍ରମ ସହିଂତା ଦ୍ୱାରା ଶ୍ରମିକମାନେ ବହୁ ଲାଭବାନ ହୋଇପାରିବେ । ନିଯୁକ୍ତିର ଆନୁଷ୍ଠାନୀକରଣ ପାଇଁ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ଚାକିରୀ ସୁରକ୍ଷା ସହ ସ୍ଥାୟୀ ନିଯୁକ୍ତି ସୁନିଶ୍ଚିତ ହୋଇପାରିବ । ସାମାଜିକ ସୁରକ୍ଷା ସଂହିତାରେ ଗିଗ ଏବଂ ପ୍ଳାଟଫର୍ମ ସମେତ ସମସ୍ତ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଯଥା, ଇପିଏଫ, ଇଏସଆଇସି, ବୀମା ଆଦି ସୁବିଧା ମିଳିବ । ସେହିପରି ସମସ୍ତଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନର ଆଇନଗତ ଅଧିକାର ରହିବ । ନିଯୁକ୍ତି ଦାତାମାନେ ୪୦ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ କର୍ମଚାରୀଙ୍କୁ ବାର୍ଷିକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁଯୋଗ ଦେବା ସହ ସମୟ ଅନୁସାରେ ମଜୁରୀ ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି । ମହିଳାମାନଙ୍କୁ ରାତିରେ କାମ କରିବାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଛି  ।