ରାସ୍ତାରେ ଗର୍ଜିଲେ ଡ୍ରାଇଭର୍ :
ଭୁବନେଶ୍ୱର:
୭ ଦଫା ଦାବି ପୂରଣ କର । ନ ହେଲେ ଗାଡ଼ି ଜମା ଚାଲିବନି । ରାଜ୍ୟ ସରକାରଙ୍କ ନିକଟରେ ଆଜି ଏଭଳି ଦାବି ରଖି ଷ୍ଟିୟରିଂ ଛାଡ଼ ଆନେ୍ଦାଳନ କରିଛି ଓଡ଼ିଶା ଡ୍ରାଇଭର ୟୁନିଅନ୍ । ରାଜ୍ୟର ଶତାଧିକ ଡ୍ରାଇଭର୍ ବିଭିନ୍ନସ୍ଥାନରେ ହରତାଳ ଓ ପିକେଟିଂ କରିବା ସହ ବସ୍, ଟ୍ରକ୍ ଚାଳନା ବନ୍ଦ କରିଛନ୍ତି । ଆଉ ଏଥିଯୋଗୁ ହତାଦର ହୋଇଛନ୍ତି ଓଡ଼ିଶାବାସୀ । ରାଜ୍ୟର ସବୁ ସ୍ଥାନରେ ପରିବହନ ବ୍ୟବସ୍ଥା ଠପ୍ ହୋଇଯିବା ଯୋଗୁ ନାନାଦି କ୍ଷତିଗ୍ରସ୍ତ ହୋଇଛି । ଦିନ ତମାମ ଗାଡ଼ି ଖଣ୍ଡେ ନ ମିଳିବାରୁ ସାଂଘାତିକ ସମସ୍ୟା ଭୋଗିଛନ୍ତି ସାଧାରଣ ଜନତା । ପ୍ରଭାବିତ ହୋଇଛି ଜୀବନ ଯାତ୍ରା । କିଏ ରୋଗୀ ପାଇଁ ତ ଆଉ କିଏ ନିଜ ଦୈନନ୍ଦିନ ଯାତ୍ରା ପାଇଁ ତ ଆଉ କିଏ ନିଜର ଜରୁରୀକାମ ପାଇଁ ଗାଡ଼ିକୁ ଅପେକ୍ଷା କରି ନାନାଦି ଅସୁବିଧା ଭୋଗିଛନ୍ତି । ଆଉ ଏହି ମଉକାର ଭରପୂର ଫାଇଦା ଉଠାଇଛନ୍ତି ଅଟୋ ଚାଳକ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ଭୁବନେଶ୍ୱରରେ ଅଟୋ ଚାଳକଙ୍କ ଆକାଶଛୁଅାଁ ଦରରେ ନାକେଦମ ହୋଇଛନ୍ତି ଜନତା । ସେପଟେ ଏ ସମ୍ପର୍କରେ ମହାସଂଘ ସହିତ ରାଜ୍ୟ ସରକାରଙ୍କ ଆଲୋଚନା ହେବାକୁ ଥିବା ବେଳେ ଏହାର କୌଣସି ନିଷ୍କର୍ସ ବାହାରିପାରି ନାହିଁ ।
ୟୁନିଅନର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱରେ ଏହି ଆନେ୍ଦାଳନ ଜାରି ରହିଥିବା ବେଳେ ଡ୍ରାଇଭର କଲ୍ୟାଣ, ନୀତିଗତ ନିଷ୍ପତ୍ତି ଏବଂ ଭିତ୍ତିଭୂମି ସହାୟତା ସହିତ ଜଡିତ ପ୍ରମୁଖ ଅଭିଯୋଗଗୁଡ଼ିକୁ ଉଜାଗର କରିବା ଏହି ଆନେ୍ଦାଳନର ମୂଳ ଲକ୍ଷ୍ୟ । ରାଜ୍ୟ ପୁଲିସକୁ ଯାନବାହନ ଯାଞ୍ଚ କ୍ଷମତା ପ୍ରଦାନ କରିବା ପଦକ୍ଷେପକୁ ବିରୋଧ, ସ୍ୱୀକୃତି ଏବଂ ମୌଳିକ ସୁବିଧା ଅଧୀନରେ ସେପ୍ଟେମ୍ବର ୧କୁ ‘ଡ୍ରାଇଭର ଦିବସ' ମାନ୍ୟତା ପ୍ରଦାନ, କଲ୍ୟାଣ ବୋର୍ଡ ଅଧୀନରେ ଅଟୋ-ରିକ୍ସା ଚାଳକମାନଙ୍କୁ ଅନ୍ତର୍ଭୁକ୍ତି, ଅତ୍ୟାବଶ୍ୟକ ସେବା ମୁକ୍ତ ଅଧୀନରେ ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଡ୍ରାଇଭରମାନେ ଧର୍ମଘଟରୁ ମୁକ୍ତ ରହିବେ ଆଦି ସମେତ ଅନ୍ୟାନ୍ୟ ୭ ଦଫା ସମ୍ବଳିତ ଦାବି ଭିତ୍ତିରେ ଏହି ଆନେ୍ଦାଳନ ଜାରି ରହିଥିବା ଶ୍ରୀ ମେଣ୍ଡୁଲି କହିଛନ୍ତି । ଏହାସହ ସେ କହିଛନ୍ତି ଆମେ ରାଜଧାନୀର ରାସ୍ତାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛୁ । ସଂଘ ଡ୍ରାଇଭରମାନଙ୍କୁ ପ୍ରତିବାଦରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିବ । କିନ୍ତୁ ଜରୁରୀକାଳୀନ ସେବା ଏବଂ ଖାଦ୍ୟ ଯୋଗାଣ ସେବାରେ ଜଡ଼ିତ ଲୋକଙ୍କୁ ବାଟ ଛାଡ଼ି ଦିଆଯିବ । ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହା ଆମେ ନିଶ୍ଚିତ କରିବୁ । ରାଜ୍ୟରେ ପରିବହନ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବ୍ୟାପକ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସେବାରେ କୌଣସି ବାଧା ସୃଷ୍ଟି ନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସେପଟେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଡ୍ରାଇଭର୍ଙ୍କ ଦାବି ଯଥାର୍ଥ । ନିଶ୍ଚିତ ରୂପେ ରାଜ୍ୟ ସରକାର ଏହା ଉପରେ ବିଚାର କରିବେ । ଡ୍ରାଇଭର ସଂଘ ସରକାର ବିରୋଧରେ ନାହାନ୍ତି କି ସରକାର ମଧ୍ୟ ଡ୍ରାଇଭର ସଂଘ ବିରୋଧରେ ନାହାନ୍ତି ବୋଲି କହିଛନ୍ତି ।