ଅଗ୍ରଗତି ଓ ଅଭ୍ୟାସ

ଆଜ୍ଞା ନମସ୍କାର, 
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଅଗ୍ରଗତି ଓ ଅଭ୍ୟାସକୁ ନେଇକି କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଆମେ ଶୁଣିଛେ ଯେ 'ଅଭ୍ୟାସ ମଣିଷକୁ ସିଦ୍ଧି ଆଡକୁ ଗତିଶୀଳ କରାଇଥାଏ  ।' କିନ୍ତୁ ଏହା କେବଳ ଅଭ୍ୟାସ ନୁହେଁ; ବରଂ ଭଲ ଅଭ୍ୟାସ, ଉତ୍ତମ ଅଭ୍ୟାସ ବା ସୁଅଭ୍ୟାସ ଦ୍ୱାରା ହିଁ ସାର୍ଥକ ହୋଇଥାଏ  । କାରଣ ଅଭ୍ୟାସ ଦ୍ୱାରା ସେଇଟା ସ୍ଥାୟୀ ହୋଇଯାଏ, ଯେଉଁଟାର ଆମେ ଅଭ୍ୟାସ କରିଥାଉ  । କିନ୍ତୁ ସେହି ଅଭ୍ୟାସ ଭଲ କି ମନ୍ଦ, ତାହା ଆମକୁ ବିଚାର କରିବାକୁ ହେବ  । ଅଭ୍ୟାସ ଦ୍ୱାରା ଅଗ୍ରଗତି ହୁଏ ସତ, କିନ୍ତୁ ଅଗ୍ରଗତି କେଉଁ ଦିଗରେ ହେଉଛି ତାହା ଜାଣିବା ବଡକଥା  । ବିନା ଉଦ୍ୟମରେ ଗଛରେ ଫଳ ମଧ୍ୟ ଫଳେ ନାହିଁ  ।  କ୍ଷେତରେ ଧାନ ଫସଲ ଉପୁଜେଇବା ପାଇଁ ଚାଷୀକୁ ବର୍ଷ ସାରା ପରିଶ୍ରମ କରିବାକୁ ପଡେ  । ବିନା ପରିଶ୍ରମରେ ଯଦି କିଛି ହେଉଥାନ୍ତା ତାହେଲେ ହୁଏତ ଅଧ୍ୟବସାୟ, ଉଦ୍ୟମ, ଚେଷ୍ଟା ଆଦିିର କିଛି ମୂଲ୍ୟ ରହନ୍ତା ନାହିଁ  । ଅଭ୍ୟାସକୁ ଧୀରେ ଧୀରେ ଆୟତ୍ତ କରିବାକୁ ପଡେ ଏବଂ ବିନା ଅଭ୍ୟାସରେ କିଛି ହାସଲ ହୁଏ ନାହିଁ  । ନିରନ୍ତର ଭାବେ ଚାଲି ଯାଉ ଯାଉ ଧରି ମଣିଷ ପାଦର କଅଁଳ ଚମଡାରେ ପଥର ମଧ୍ୟ ଘୋରି ହୋଇ ଚିକ୍କଣ ହୋଇଯାଏ  । ତେଣୁ ଅଭ୍ୟାସ ହେଉଛି ସବୁଠାରୁ ବଡ କଥା  । ଅଭ୍ୟାସ ବଳେ ଶିଶୁ ଥରକୁ ଥର ପଡିଲେ ମଧ୍ୟ ସେ ଚାଲିବା  ଶିଖେ  । ଅଭ୍ୟାସ ନ କରିଲେ ଶିଶୁ କେବେ ହେଲେ ଚାଲିପାରିବ ନାହିଁ  । ଠିକ୍ ସେମିତି ପ୍ରତ୍ୟେକ କ୍ଷେତ୍ରରେ ବାରମ୍ବାର ଉଠିପଡି ଧକ୍କା ଖାଇ ଅଭ୍ୟାସ ହିଁ କରିଲେ ସଫଳତା ମିଳେ  । ସଫଳତା ଶୂନ୍ୟରୁ ମିଳେ ନାହିଁ  । ସଫଳତା ପାଇବାକୁ ହେଲେ ଅଭ୍ୟାସ ହିଁ ଜରୁରୀ  । ଅଭ୍ୟାସକୁ ଛାଡିÿ କେହି କେବେହେଲେ ସଫଳତା ପାଇନାହାନ୍ତି  । ଜୀବନରେ ଯେଉଁ ମଣିଷ ଯେତେ ଅଧିକ ଅଧ୍ୟବସାୟ କରେ ସିଏ ତା ଜୀବନରେ ସେତେ ଅଧିକ ସଫଳ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ନମସ୍କାର  ।