ଜିଏସଟିରେ ପ୍ରସ୍ତାବିତ ସଂସ୍କାର

ସୌଭାଗ୍ୟ ରଞ୍ଜନ ମହାନ୍ତି : 
ଦ୍ରବ୍ୟ ଓ ସେବା କର (ଜିଏସଟି) ବ୍ୟବସ୍ଥାରେ ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ହେଉଛି ସାହସିକ ଏବଂ ସମୟୋପଯୋଗୀ ବୋଲି କୁହାଯାଇପାରିବ । ୭୯ତମ ସ୍ୱାଧୀନତା ଦିବସ ଉସôବରେ ଲାଲକିଲ୍ଲାରେ  ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଜିଏସଟି ସ୍ଲାବରେ ଆସନ୍ତା ଦୀପାବଳୀ ପୂର୍ବରୁ ହ୍ରାସ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏଣିକି ଜିଏସଟି ୪ଟି ନୁହେଁ, ୨ଟି ସ୍ଳାବ ବିଶିଷ୍ଟ ହେବା ନେଇ ଅର୍ଥମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦେଶରେ ଚାରୋଟି ତଥା ୫%, ୧୨% ଏବଂ ୨୮% ଆକାରରେ ଜିଏସଟି ସ୍ଲାବ ରହିଛି । ଏହାକୁ କେବଳ ୫% ଏବଂ ୧୮ ପ୍ରତିଶତ ସ୍ଳାବରେ ସୀମିତ ରଖାଯିବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଏହାଦ୍ୱାରା ଉଭୟ ମଧ୍ୟବିତ ଏବଂ ବ୍ୟବସାୟୀ ସମୁଦାୟ ଲାଭବାନ ହେବା ନେଇ ମନ୍ତ୍ରଣାଳୟ ଦାବି କରିଛି । 
 କୁହାଯାଇଛି ଯେ, ୯୯ପ୍ରତିଶତ ସାମଗ୍ରୀର ସ୍ଲାବ ବା ଟିକସ ହାର ୧୨ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯିବ । ସେହିପରି ୯୦ ପ୍ରତିଶତର ଟିକସ ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯିବ । ଯାହାକି ଖାଉଟିଙ୍କ ଉପରୁ ଟିକସର ବୋଝ ହ୍ରାସ କରିବ ।  କେବଳ ଏତିକି ନୁହେଁ, ସ୍ଲାବର ନମ୍ବର ହାର ଅନୁପାତରେ ଏବଂ ବିଭିନ୍ନ ସାମଗ୍ରୀର ଟିକସହାର ହ୍ରାସ ଉଭୟ ଅସ୍ପଷ୍ଟତା ବା ଦ୍ୱେର୍ଥତା ଏବଂ ମାମଲା ହ୍ରାସ କରିବା ନେଇ ଆଶା କରାଯାଏ । ଯାହା ଏବେ ଚଳିତ ଜିଏସଟି ଢାଂଚା ସହ ବ୍ୟବସାୟ କ୍ଷେତ୍ରରେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ସେହିପରି ରିଟର୍ଣ୍ଣ ଫାଇଲିଂ, ପ୍ରାପ୍ୟ ଫେରସ୍ତ, ପଂଜୀକରଣ କ୍ଷେତ୍ରରେ ଜିଏସଟିରେ ସଂସ୍କାର ଏବଂ ଟିକସ ହାର ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଆହୁରି ମଧ୍ୟ ଜିଏସଟିର ସରଳୀକରଣ କେବଳ ସାମଗ୍ରୀର ମୂଲ୍ୟ ହ୍ରାସ କରିବ ନାହିଁ, କରଦାତାମାନଙ୍କ ପାଇଁ ମଧ୍ୟ ଟିକସ ପଇଠରେ ସହଜସାଧ୍ୟ ହେବ । ସହଜଜସାଧ୍ୟ ପଂଜୀକରଣ, ସରଳୀକୃତ ରିଟର୍ଣ୍ଣସ ଏବଂ ଫେରସ୍ତକୁ ତ୍ୱରାନ୍ୱିତ କରିବା ନିଶ୍ଚିତ ଭାବେ କେନ୍ଦ୍ର ସରକାରଙ୍କର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ବିବେଚିତ ହେବ ।  ଉଲ୍ଲେଖଯୋଗ୍ୟ ଯେ, ଆୟକର କ୍ଷେତ୍ରରେ ବ୍ୟାପକ ସରଳୀକରଣ ପାଇଁ ନିକଟରେ କେନ୍ଦ୍ର ସରକାର ପାର୍ଲିଆମେଂଟରେ ସଂଶୋଧିତ ଆୟକର ବିଲ୍ ଆଗତ କରିଛନ୍ତି । ଜିଏସଟିରେ ସଂସ୍କାର ଏବଂ ଆୟକରରେ ସଂଶୋଧନ ୨୦୨୫ ଟିକସ ସଂସ୍କାରର ବର୍ଷ ଭାବେ ବିବେଚିତ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ମନେ କରେ । ଏହା ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ କ୍ଷେତ୍ରରେ ଖାଉଟି ଓ ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ହେବ ।  ଜିଏସଟି ଟିକସ ହାର ହ୍ରାସ ଦେଶର ରାଜସ୍ୱ ଆୟ ହ୍ରାସ କରିବ । କିନ୍ତୁ ଦର ବା ମୂଲ୍ୟ ହ୍ରାସ ଯୋଗୁଁ ଖାଉଟିଙ୍କ ଚାହିଦା ବୃଦ୍ଧି ପାଇବ, ଯାହାକି ଦେଶର ଅର୍ଥନୀତି ପାଇଁ ସହାୟକ ହେବା ନେଇ କେନ୍ଦ୍ର ସରକାର ଦୃଢ ନିଶ୍ଚିତ ଥିବାନେଇ ମନେହୁଏ । ସେହିପରି ଜିଏସଟି ଢାଂଚା ତଥା ଟିକସ ହ୍ରାସ, ସହଜସାଧ୍ୟ ପଂଜୀକରଣ, ସରଳୀକୃତ ରିଟର୍ଣ୍ଣ ଫାଇଲିଂ ଏବଂ ଫେରସ୍ତ ବ୍ୟବସ୍ଥା ଯୋଗୁଁ ଟିକସ ଫାଙ୍କି ଓ ଦୁର୍ନୀତି ଲୋପ ପାଇବା ନେଇ ସରକାର ଆଶାବାଦୀ । 
     ୨୦୧୭ ମସିହାରେ ଦେଶରେ ଯେତେବେଳେ ଜିଏସଟି ବ୍ୟବସ୍ଥା ଲାଗୁ କରାଯାଇଥିଲା, ସେତେବେଳେ ସରକାର ଦରଦାମ କମିବା ନେଇ ଆଶ୍ୱାସନା ଦେଇଥିଲେ । ମାତ୍ର ବାସ୍ତବ କ୍ଷେତ୍ରରେ ଜିଏସଟି ଲାଗୁ ପରେ ବିଭିନ୍ନ ସାମଗ୍ରୀର ଦରଦାମ ଆଶାତୀତ ଭାବେ ବୃଦ୍ଧି  ପାଇଥିଲା ସେହିପରି ଅତ୍ୟାବଶ୍ୟକୀୟ ଖାଦ୍ୟସାମଗ୍ରୀ ଜିଏସଟି ମୁକ୍ତ ହେବା ନେଇ ସରକାର ଉଭୟ ପାର୍ଲିଆମେଂଟ  ଭିତରେ ଓ ବାହାରେ ବାରମ୍ବାର ଘୋଷଣା କରିଥିବା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ଘଟିଲା । ଏପରିକି ସରକାର ଗରିବଙ୍କ ସକାଳର ଜଳଖିଆ ଭାବେ ପରିଚିତ ମୁଢି, ଚୂଡାକୁ ଜିଏସଟି ପରିସରଭୁକ୍ତ କରିଥିଲେ । ସେହିପରି କୌଣସି ପୂଜା ସାମଗ୍ରୀ ମଧ୍ୟ ଜିଏସଟିରୁ ବାଦ୍ ପଡିନଥିଲା । ରାଜସ୍ୱ ସଂଗ୍ରହ ସରକାରଙ୍କର ଜିଏସଟି ଲାଗୁର ମୁଖ୍ୟ ଲକ୍ଷ୍ୟ ଥିଲା । ଦରଦାମ ବୃଦ୍ଧି କ୍ରମଶଃ  ଜନସାଧାରଣଙ୍କ ଦେହସୁହା ହୋଇଥିବାବେଳେ ଖାଉଟିଙ୍କ ଚାହିଦା ହ୍ରାସ ଏବଂ ମଧ୍ୟବିତ୍ତଙ୍କ ସଂଚୟ ହ୍ରାସ ମୁଣ୍ଡବ୍ୟଥାର କାରଣ ଭାବେ ଉଭା ହୋଇଥିଲା । ବିଭିନ୍ନ ସାମଗ୍ରୀ ଉପରୁ ଟିକସ ହ୍ରାସ ନିଶ୍ଚିତ ଭାବେ ଖାଉଟିଙ୍କ ବ୍ୟୟ ଚାହିଦାକୁ ବୃଦ୍ଧି କରିବ । କିନ୍ତୁ ରାଜସ୍ୱ ଆୟ ହ୍ରାସ ପାଇବ । ରିଜର୍ଭ ବ୍ୟାଙ୍କର ଆକଳନ ଅନୁଯାୟୀ ଏବେ ଦେଶରେ ଜିଏସଟିର ହାରାହାରି ଟିକସ ହାର ୧୧.୬ ପ୍ରତିଶତ ଥିବାବେଳେ ସ୍ଳାବ ହ୍ରାସ ଯୋଗୁଁ ଅର୍ଥନୀତି ଆଘାତ ପ୍ରାପ୍ତ ହେବ । ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିକସ ଅଂଶ ବୃଦ୍ଧି ପାଇଁ ଷୋଡଶ ଅର୍ଥକମିଶନଙ୍କ ନିକଟରେ ରାଜ୍ୟଗୁଡିକର ଦାବି ମଧ୍ୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଏହାର କିପରି ସମାଧାନ କରିବେ ଭବିଷ୍ୟତ କହିବ । ଆହୁରି ମଧ୍ୟ ପେଟ୍ରୋଲିୟମ ଜାତ ସାମଗ୍ରୀ ତଥା ପେଟ୍ରୋଲ, ଡିଜେଲ ଖୁବ ଶୀଘ୍ର ଜିଏସଟି ପରିସରଭୁକ୍ତ ହେବା ସମ୍ଭାବନା ଥିବାରୁ ରାଜ୍ୟଗୁଡିକ ବିଶେଷ ଆର୍ଥୀକ କ୍ଷତିର ସମ୍ମୁଖୀନ ହେବା ସମ୍ଭାବନା ଅଧିକ ରହିଛି । କାରଣ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, କିରାସିନରୁ ରାଜ୍ୟଗୁଡିକ ସର୍ବାଧିକ ରାଜସ୍ୱ ଆୟ କରିଥାନ୍ତି । ଏହାକୁ ରାଜ୍ୟଗୁଡିକ  ସିଧାସଳଖ ମଧ୍ୟ ବିରୋଧ କରିପାରିବେ ନାହିଁ । ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, କିରାସିନ ଜିଏସଟିଭୁକ୍ତ ହେଲେ, ମୂଲ୍ୟ କମିବା ସହ ଖାଉଟି ସର୍ବାଧିକ ଲାଭବାନ ହେବେ । ତେଣୁ ରାଜ୍ୟଗୁଡିକ ପୁଣି ଥରେ କେନ୍ଦ୍ର ନିକଟରୁ ଅଧିକ କ୍ଷତିପୂରଣ ଦାବି କରିପାରନ୍ତି । ତେବେ ଏହାର ସମାଧାନ କେନ୍ଦ୍ର ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ, ଏଥିରେ ସନେ୍ଦହ ନାହିଁ ।
ମୋ:୭୯୭୮୬୬୬୪୦୩