ଅଙ୍ଗଦାନର ଆବଶ୍ୟକତା
ଗଲା ଅଗଷ୍ଟ ୧୩ ତାରିଖ ଦିନ ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଇଛି । ବର୍ତ୍ତମାନ ଚିକିତ୍ସା କ୍ଷେତ୍ରରେ ହଜାର ହଜାର ରୋଗୀଙ୍କର ଅଙ୍ଗ ପ୍ରତିରୋପଣ ଯୋଗୁଁ ଜୀବନ ରକ୍ଷା କରାଯାଇପାରୁଛି । ଅଙ୍ଗଦାନ ପାଇଁ ହଜାର ହଜାର ଲୋକ ଏବେ ଇଚ୍ଛାପତ୍ର ପ୍ରଦାନ କରୁଛନ୍ତି । ମୃତୁ୍ୟ ପରେ ରୋପଣ ଯୋଗ୍ୟ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ବାହାର କରାଯାଇ ସେସବୁକୁ ଆବଶ୍ୟକ କରୁଥିବା ରୋଗୀମାନଙ୍କ ଠାରେ ପ୍ରତିରୋପଣ କରିବାର ପର୍ଯ୍ୟାପ୍ତ ସୁବିଧା ଆମ ଦେଶରେ ଅନେକ ଚିକିତ୍ସାଳୟରେ ବର୍ତ୍ତମାନ ଉପଲବ୍ଧ । ମୃତୁ୍ୟ ପରେ ସମ୍ପର୍କୀୟମାନେ ଅଙ୍ଗଦାନ କରିବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରିଲେଣି । ପ୍ରତିବର୍ଷ ବିଭିନ୍ନ ପ୍ରକାରର ଦୁର୍ଘଟଣାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ଆଘାତ କିମ୍ବା ଅଙ୍ଗ ହରାଇ ହଜାର ହଜାର ବ୍ୟକ୍ତିଙ୍କର ମୃତୁ୍ୟ ଘଟୁଛି । ବର୍ଷକୁ ପ୍ରାୟ ୨ ଲକ୍ଷ ଲୋକ ଯକୃତ ପ୍ରତିରୋପଣ କରିନପାରି ମୃତୁ୍ୟବରଣ କରୁଛନ୍ତି । ପ୍ରାୟ ୫୦ ହଜାର ଲୋକଙ୍କର ହୃଦ୍ଘାତରେ ମୃତୁ୍ୟ ଘଟୁଛି । ସେହିଭଳି କିଡ୍ନୀ, ଅଗ୍ନାଶୟ, ଫୁସ୍ଫୁସ୍, ପାନକ୍ରିଆଜ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବିଭିନ୍ନ କାରଣରୁ ଅକାମୀ ହୋଇଯିବାରୁ ଲକ୍ଷ ଲକ୍ଷ ଲୋକ ମୃତୁ୍ୟବରଣ କରୁଛନ୍ତି । ଏହିସବୁ ଅଙ୍ଗଗୁଡ଼ିକ ଯଦି ମୃତ ବ୍ୟକ୍ତିମାନଙ୍କ ସମ୍ପର୍କୀୟମାନେ ଦାନ କରିବା ପାଇଁ ଆଗେଇ ଆସନ୍ତେ, ତାହା ହେଲେ ଲକ୍ଷାଧିକ ଲୋକ ଜୀବନ ଫେରି ପାଆନ୍ତେ । ମୃତୁ୍ୟ ପରେ ମୃତ ଦେହରୁ ଚକ୍ଷରୁ କର୍ଣ୍ଣିଆ ନିଆଯାଇ ଦୃଷ୍ଟିହୀନଙ୍କ ଠାରେ ପ୍ରତିରୋପଣ କରାଗଲେ ବର୍ଷକୁ ଲକ୍ଷ ଲକ୍ଷ ଦୃଷ୍ଟିହୀନ ଏ ସୁନ୍ଦର ପୃଥିବୀକୁ ଦେଖି ଉପଭୋଗ କରି ପାରନ୍ତେ ।
ଗତ କିଛି ବର୍ଷ ହେଲା ଓଡ଼ିଶାରେ ପ୍ରତିରୋପଣ ପାଇଁ ଅଙ୍ଗଦାନ ଏବଂ ମେଡ଼ିକାଲ୍ ଶିକ୍ଷାର ପ୍ରଗତି ପାଇଁ ମୃତ ଶରୀର ଦାନକୁ ଏକ ବେସରକାରୀ ସଙ୍ଗଠନ ଦାନ କରିବା ନିମିତ୍ତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଆସୁଛି । ସେହି ବେସରକାରୀ ସଙ୍ଗଠନ ୨୦୧୩ ମସିହାରେ ହାଇକୋର୍ଟ୍ରେ ବ୍ୟବଚ୍ଛେଦ ସମ୍ପର୍କିତ ଆଇନ୍ରେ ସଂଶୋଧନ କରିବା ପାଇଂ ଜନସ୍ୱାର୍ଥ ସମ୍ବଳିତ ଏକ ମାମଲା ଦାଏର କରି ସେଥିରେ ସଫଳତା ହାସଲ କରିଥିଲେ । ଏବେ ତାହାର ସୁଫଳ ଲକ୍ଷ ଲକ୍ଷ ରୋଗୀ ପାଉଛନ୍ତି । ଓଡ଼ିଶା ଜୀବନଦୀନ ଅଭିଯାନ ନାମରେ ଏହି ସଙ୍ଗଠନ ଅଙ୍ଗଦାନ ତଥା ଶରୀର ଦାନ ପାଇଁ ଇଚ୍ଛାପତ୍ର ପ୍ରସ୍ତୁତ କରିବାକୁ ବେଶ୍ କିଛି ବର୍ଷ ହେଲା ଜନଚେତନା ସୃଷ୍ଟି କରି ଆସୁଛି । ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ପ୍ରାୟ ୧୦ ହଜାର ବ୍ୟକ୍ତି ମୃତୁ୍ୟ ପରେ ଡ଼ାକ୍ତରୀ ପାଠ ଏବଂ ଡ଼ାକ୍ତରୀ ଶିକ୍ଷାର ପ୍ରଗତି ପାଇଁ ମେଡ଼ିକାଲ୍ କଲେଜ୍କୁ ଶରୀର ଦାନ ପାଇଁ ଇଚ୍ଛାପତ୍ର ଦେଇ ସାରିଲେଣି । ପ୍ରାୟ ୨ ଶହ ବ୍ୟକ୍ତିଙ୍କର ମର ଶରୀର ବିଭିନ୍ନ ମେଡ଼ିକାଲ୍ କଲେଜ୍କୁ ଦିଆଗଲାଣି । ବ୍ରେନ୍ ଡେଡ୍ କ୍ଷେତ୍ରରେ ଅଙ୍ଗଦାନ କରିବା ସଙ୍ଗେ ସଙ୍ଗେ ହୋଇପାରୁଛି । ହେଲେ ଶରୀର ଦାନ କରିବାକୁ ହେଲେ ପୂର୍ବରୁ ଏଥିପାଇଁ ପଞ୍ଜୀକରଣ କରିବାକୁ ପଡୁଛି । ବ୍ରେନ୍ ଡେଡ୍ ହେବା ପରେ ପ୍ରାୟ ସର୍ବାଧିକ ୬ ଘଣ୍ଟା ଭିତରେ ଶରୀରର ବିଭିନ୍ନ ରୋପଣଯୋଗ୍ୟ ଅଙ୍ଗକୁ ବାହାର କରି ସେସବୁ ଆବଶ୍ୟକ କରୁଥିବା ରୋଗୀମାନଙ୍କ ଶରୀରରେ ରୋପଣ କରାଯାଇଥାଏ । ଏହି ସମୟକୁ ଗୋଲ୍ଡ୍ନେ୍ ପିରିୟଡ୍ ବୋଲି କୁହାଯାଏ । ଏହି ଗୋଲ୍ଡେନ୍ ପିରିୟଡ୍ ଅତିବାହିତ ହୋଇଗଲେ ଶରୀରର ରୋପଣଯୋଗ୍ୟ ଅନେକ ଅଙ୍ଗ ନଷ୍ଟ ହେବା ଆରମ୍ଭ ହୁଏ । ଏ କ୍ଷେତ୍ରରେ ବ୍ୟାପକ ଜନ ସଚେତନତା କରାଯିବା ଆବଶ୍ୟକ ।
ଏଇ ଅଳ୍ପ କିଛିମାସ ତଳେ ରାଜ୍ୟ ସରକାର ଅଙ୍ଗଦାନ କରୁଥିବା ବ୍ୟକ୍ତିମାନଙ୍କ ସକାଶେ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରୁଛନ୍ତି । ଏପରିକି ଜଣେ ଜଣେ ବ୍ୟକ୍ତିଙ୍କ ମୃତ ଶରୀରରୁ ୬-୭ ଜଣ ବ୍ୟକ୍ତିଙ୍କର ଜୀବନ ରକ୍ଷା ହୋଇ ପାରୁଥିବାର ଉଦାହରଣ ରହିଛି । ଏ ଦିଗରେ ଜନଚେତନା ସୃଷ୍ଟି କରାଗଲେ ଏକ ସୁସ୍ଥ ଏବଂ ସୁନ୍ଦର ସମାଜ ଗଠନ କରାଯାଇପାରିବ ।