ବୈଦିକ ସଂସ୍କୃତିରେ ଶିବତତ୍ତ୍ୱ

ବୈଦିକ ସଂସ୍କୃତିରେ ଶିବତତ୍ତ୍ୱ

ଉମା ଶଙ୍କର ପ୍ରସାଦ : ବୈଦିକ ସଂସ୍କୃତିରେ ଶିବଙ୍କୁ ମଙ୍ଗଳମୟ ସଚ୍ଚିଦାନନ୍ଦ ପରଂବ୍ରହ୍ମ ରୂପେ ଅଭିହିତ କରାଯାଇଥାଏ । ବାସ୍ତବରେ ବୈଦିକ ସାହିତ୍ୟର ଶୈବ ଉପାସନାର ଧାରା ଏ ଯାବତ ପ୍ରଚଳିତ ରହିଆସିଛି । ଐତିହାସିକମାନେ ଖ୍ରୀ:ପୂ:୩୦୦୦ରେ ସିନ୍ଧୁ ସଭ୍ୟତାର ବିକାଶ ସମୟରେ ପଶୁପତି ଉପାସନା ପ୍ରଚଳିତ ଥିବା ବିଷୟରେ ମତ ଦେଇଛନ୍ତି । କୂର୍ମ ପୁରାଣ ଓ ବାୟୁ ପୁରାଣ ମତରେ କଳିଯୁଗରେ ନର୍ମଦା ନଦୀ କୂଳରେ କରବଣ ଗ୍ରାମରେ ଶିବ ଏକ ଅଗ୍ନିହୋତ୍ରୀ ବ୍ରାହ୍ମଣ ରୂପରେ ଜନ୍ମ ଗ୍ରହଣ କରିଥିଲେ । ପାତଞ୍ଜଳିଙ୍କ ଯୋଗସୂତ୍ରରେ ଶିବ ଭାଗବତ ମାନଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ମେଘାସ୍ଥିନିସ୍‌ଙ୍କ ଐତିହାସିକ ବିବରଣୀରେ ମଧ୍ୟ ଶିବ ଉପାସନା ସମ୍ପର୍କରେ ଉଲ୍ଲେଖ ରହିଛି । କୁଶାଣମାନଙ୍କ ମୁଦ୍ରାରେ ମଧ୍ୟ ଏକ ପାଶ୍ୱର୍ରେ ଶିବ ତ୍ରିଶୂଳ ଧରିଥିବା ଓ ଅନ୍ୟପାଶ୍ୱର୍ରେ ବୃଷଭ ଥିବାର ଦେଖାଯାଏ । ଗୁପ୍ତଯୁଗରେ ଶୈବଧର୍ମର ବିକାଶ ବିଷୟ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ମଥୁରା ଶିଳାଲିପିରୁ ଜଣାଯାଏ । ମହାଭାରତ,ଶିବ ପୁରାଣ,ସ୍କନ୍ଦ ପୁରାଣ, କୂର୍ମ ପୁରାଣ, ମତ୍ସ୍ୟ ପୁରାଣ, ଲିଙ୍ଗ ପୁରାଣ ଓ ବିଷ୍ଣୁ ପୁରାଣ ପ୍ରଭୃତିରେ ଶିବଙ୍କ ମହିମା ଓ ଦାର୍ଶନିକ ରହସ୍ୟ ବର୍ଣ୍ଣନା କରାଯାଇଛି ।


     ସମସ୍ତ ଦର୍ଶନ ସର୍ବପ୍ରଥମେ ଶିବଙ୍କ ମୁଖରୁ ନିଃସୃତ ହୋଇ ଗିରିଜାଙ୍କ କର୍ଣ୍ଣରେ ପ୍ରବେଶ କରିଥିବାରୁ ତନ୍ତ୍ରକୁ ଆଗମ କୁହାଯାଏ । ତନ୍ତ୍ର ମତରେ ଶିବଙ୍କୁ ସକଳ ନିଷ୍କଳ ରୂପେ ଅର୍ଚ୍ଚନା କରାଯାଏ । ସକଳ ଅର୍ଥାତ ସାକାର ରୂପେ ଶିବଙ୍କୁ ପଂଚବକ୍ର ଭାବରେ ଧ୍ୟାନ କରାଯାଏ । ସେହି ପଂଚବକ୍ର ହେଲେ – ସଦ୍ୟୋଜାତ, ବାମଦେବ, ଅଘୋର, ତତ୍‌ପୁରୁଷ ଓ ଇଶାନ । ନିଷ୍କଳ ରୂପରେ ସେ ନିରାକାର,ନିର୍ଗୁଣ ପରଂବ୍ରହ୍ମ ରୁପରେ ଉପାସିତ । ଅଷ୍ଟମ ଶତାଦ୍ଦୀରେ ଆଦି ଶଙ୍କରାଚାର୍ଯ୍ୟ ପ୍ରାମାଣିକ ଭାବରେ ସମନ୍ୱୟବାଦର ମତ ପ୍ରବର୍ତନ କରି ପଂ·ୟତନ ପୂଜାର ବ୍ୟବସ୍ଥା କରି ଶୈବ ଦର୍ଶନର ସାର୍ବେଭୈାମତ୍ୱ ପୂତିଷ୍ଠା କରିଥିଲେ ।

ତେଣୁ ତାଙ୍କ ମତରେ—


“ନ ଶୈବୋ ନ ଶାକ୍ତୋ ନ ବା ବୈଷ୍ଣବୋ ବା,
ଚିଦାନନ୍ଦ ରୁପଂ ଶିବୋହଂ ଶିବୋହମ୍‌” ।
         

       ଉପମନ୍ୟୁ ଜଣେ ଶ୍ରେଷ୍ଠ ଶିବଭକ୍ତ ଥିଲେ । ଗୁରୁଙ୍କ ନିର୍ଦ୍ଦେଶରେ ଗାଇ ଚରାଉଥିବା ସମୟରେ ବାଛୁରୀର କ୍ଷୀର ଖାଇବାକୁ ବାରଣ ଫଳରେ ଅର୍କପତ୍ର ଖାଇ ସେ ଚକ୍ଷୁ ହରାଇଥିଲେ । ପୁନର୍ବାର ଶିବଙ୍କୁ ଧ୍ୟାନ କରିବା ପରେ ସେ ନିଜର ଚକ୍ଷୁ ଫେରି ପାଇଥିଲେ । ତାଙ୍କ ରଚିତ ଶିବସ୍ତୁତି ଏକ ଅଦ୍ୱିତୀୟ ରଚନା । ଋୁଷି ମାର୍କଣ୍ଡେୟ ଶିବତତ୍ୱର ସମ୍ପୂର୍ଣ୍ଣ ଜ୍ଞାନ ବଳରେ ଓ ତ୍ର୍ୟମ୍ବକ ମନ୍ତ୍ର ଜପକରି ଚିରଞ୍ଜିବୀ ହୋଇଥିଲେ । ଇଶାନ ସଂହିତାରେ ଯଥାର୍ଥରେ ଶିବରାତ୍ରି ବ୍ରତ ସଂପର୍କରେ କୁହାଯାଇଛି- ଶିବରାତ୍ରି ବ୍ରତଂ ପୁଣ୍ୟଂ ସର୍ବପାପ ପ୍ରଣାଶନମ୍‌ । ଆଚାଣ୍ଡାଳ ମନୁଷ୍ୟାଣାଂ ଭୁକ୍ତି, ମୁକ୍ତି ପ୍ରଦାୟକମ୍‌ । ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ଶିବରାତ୍ରି ପାଳନ କରାଯାଏ । ଏହି ବ୍ରତ ପାଳନ ମୂଳରେ ଏକ ଲୋକକଥା ବହୁଳ ପ୍ରଚଳିତ । ଥରେ ବାରାଣସୀରେ ସୁସ୍ୱର ନାମକ ଗୋଟିଏ ଶିକାରୀ ଏକ ହରିଣ ଶୀକାର କରି ଜଙ୍ଗଲ ମଧ୍ୟରେ ଘରକୁ ଫେରୁଥିବା ସମୟରେ ରାତ୍ରିର ଆଗମନ ଯୋଗୁଁ ସେ ଆଉ ଅଗ୍ରସର ନ ହୋଇ ରାତ୍ର ଯାପନ ପାଇଁ ଗୋଟିଏ ବୃକ୍ଷ ଉପରେ ରହି ରାତ୍ର ଯାପନ କରିଥିଲା । କ୍ଷୁଧା ଓ ଆତ୍ମୀୟଙ୍କ ଚିନ୍ତାରୁ  ଦୁଃଖ ସହିତ  ତାର ଲୋତକରୁ ଅଶୃ ନିର୍ଗତ ହୋଇ ତଳେ ପଡୁଥିଲା । ଅଲକ୍ଷରେ ସେ ବୃକ୍ଷର ପତ୍ରକୁ ଛିଣ୍ଡାଇ ପକାଉଥିଲା । ଯେଉଁ ବୃକ୍ଷ ଉପରେ ସେ ଆଶ୍ରୟ ନେଇଥିଲା ସେ ବୃକ୍ଷଟି ଥିଲା ବେଲ ବୃକ୍ଷ । ଅଲକ୍ଷ୍ୟରେ ବେଲପତ୍ର ଛିଣ୍ଡାଇ ତଳକୁ ପକାଉଥିଲା ମାତ୍ର ତଳେ ଶିବଲିଙ୍ଗଟିଏ ଥିଲା । ତେଣୁ ସେ ଶିକାରୀ ମୃତ୍ୟୁ ପରେ ଅଲକ୍ଷ୍ୟରେ କରିଥିବା ଶିବ ପୂଜାର ପ୍ରଭାବରେ ଶିବଲୋକ ପ୍ରାପ୍ତ ହୋଇଥିଲା । ବାସ୍ତବିକ ଶିବରାତ୍ରିର ମହିମା ଅବର୍ଣ୍ଣନୀୟ । ଚତୁର୍ଦ୍ଦଶୀର ଚାରି ପ୍ରହରରେ ଭକ୍ତମାନେ ଦୁଗ୍‌ଧ, ଦଧି, ଘୃତ ଓ ମହୁରେ ଶିବଲିଙ୍ଗକୁ ଅଭିଷେକ କରି ନାନାବିଧ ପୁଷ୍ପ, ଧୂପ ଓ ନୈବିଦ୍ୟ ସମର୍ପଣ କରନ୍ତି ଏବଂ ରାତ୍ର ଉଜାଗର ରହି ମହାଦୀପ ଦର୍ଶନ କରି କୃତାର୍ଥ ହୁଅନ୍ତି ଓ ନିଜ ଆତ୍ମାରେ ଜ୍ଞାନ ଓ ସତ୍ୟର ଜ୍ୟୋତିକୁ ପ୍ରଜ୍ୱଳିତ କରି ଅଖଣ୍ଡ ଶିବ ଚେତନା ଲାଭ କରିଥାନ୍ତି ।                                                                       
ମୋ:୬୩୭୦୬୭୫୫୬୨