ଅଜଣା ଜଗତର ଡାକ

ଅଶୋକ ବିଶ୍ୱାଳ : ରେଞ୍ଜର ପଦ୍ମଶିବ ଶାନ୍ତିରେ ନିଃଶ୍ୱାସ ନେଲେ । କୁମ୍ଭୀରର ଥୋବଣୀକୁ ଦଉଡିରେ ବାନ୍ଧିଦିଆଯାଇଥିଲା । ସେମିତି ତା’ ଲାଞ୍ଜ ପାଖରେ ଆଉ ଏକ ଦଉଡି ବନ୍ଧା ଯାଇଥିଲା । ଫଳରେ କୁମ୍ଭୀର ଛାଟିପିଟି ହେବନି । ଆଖିରେ ପଡିଥିବା କନାକୁ ଜାଣି ହଟାଗଲାନି । ପାଖରେ ଏତେ ଲୋକ ଦେଖିଲେ କୁମ୍ଭୀର ଡରରେ ଛାଟିପିଟି ହେବ । ଆଉ ହୁଏତ ତା’ ମୁହଁ ଆଉ ଦେହରୁ ଦଉଡି ଖସିଯାଇପାରେ । ବନ୍ୟପ୍ରାଣୀ ବା ଆଉ କେଉଁ ପ୍ରାଣୀ ହେଉ, ତା’କୁ କାବୁ କରିବାକୁ ହେଲେ ପ୍ରଥମେ ତା’ ଆଖି ବନ୍ଦ କରିଦେବା ଦରକାର । ଥରେ ଆଖି ବନ୍ଦ ହୋଇଗଲେ ଦୁନିଆ ଅନ୍ଧାର । ତେଣିକି କ’ଣ ହେଉଛି ଜଣା ପଡିବନି । କେବଳ ଅନ୍ଦାଜରେ ମୁହଁ ବା ଗୋଡ ଏକ ପ୍ରାଣୀ ବୁଲାଇପାରେ । ତା’ କାମୁଡାକୁ ନଆସିଲେ ସବୁ କିଛି ସୁରୁଖୁରୁରରେ ହୋଇଯାଏ । କାବୁ କରାଯାଥିବା କୁମ୍ଭୀରକୁ ବର୍ଷା ପରେ ତା’ର ପୁରୁଣା ନାଳାରେ ଛାଡି ନଦେବା ପାଇଁ ନିଶ୍ଚୟ କରାଗଲା । ପୁଣି କେବେ ଏମିତି ବର୍ଷା ଆସିବ ଆଉ ଏ କୁମ୍ଭୀର ବାହାରେ ଆସି ଦିନେ ହୁଏତ ବଜାରରେ ବୁଲିବ । ଦୁର୍ଘଟଣା ଘଟିପାରେ । ବଜାର, ଲୋକାଳୟ ପାଖ ନାଳାରେ କୁମ୍ଭୀରର ଉପସ୍ଥିତି ଜନମାନବ ପାଇଁ ବିପଦ ହେବ । ତେଣୁ ଦୂରରେ କେଉଁଠି ଛାଡିଦେବା ଦରକାର । ଆଉ ସବୁଠାରୁ ଭଲ ସ୍ଥାନ ହେଉଛି ଗଲାଥିଆ ନଦୀ । ପ୍ରଶସ୍ତ ନଦୀ । ଏଠାରେ ଅନେକ କୁମ୍ଭୀର ଅଛନ୍ତି ଆଉ ଆଖପାଖରେ କିଛି ଜନବସତି ନାହିଁ । ଛିଙ୍ଗମ ବସ୍ତି ସେଇଠୁ ପାଞ୍ଚ ଛଅ କିଲୋମିଟର ଦୂରରେ, ସମୁଦ୍ରର ପଶ୍ଚିମ କୁଳରେ । ସେପଟେ ଖୋଲା ସମୁଦ୍ରରେ କରେଣ୍ଟ ବେଶି । କୁମ୍ଭୀର ବାହାରକୁ ଯାଇପାରିବନି । ତେଣୁ କାହା ପ୍ରତି ବିପଦ ହେବନି । ସେଇଆ କରାଗଲା । ଅପରାହ୍ନରେ ଏକ ଗାଡିରେ ନେଇ ସାବଧାନତାର ସହ କୁମ୍ଭୀରକୁ ଗଲାଥିଆ ନଦୀରେ ଛାଡିଦିଆଗଲା । 
ଏକ ବିପଦ ଟଳିଗଲା । ବର୍ଷା କମିବାର କଥା, ବର୍ଷା କିନ୍ତୁ କମିଲାନି । ସେମିତି ତୁହାକୁ ତୁହା ବର୍ଷା ଚାଲିଥିଲା ।  “ଥାଇଲାଣ୍ଡର ରାଣୀ କ୍ୟାମ୍ପବେଲ ବେ ଆସିବେ ।”- ଅସୀମ ଶୋଭନାଙ୍କୁ କହିଲେ ।  “ସତରେ ଏକ ରାଣୀ ଆସିବେ?”  “ହଁ, ତା’ ପୁଣି ଥାଇଲାଣ୍ଡର ରାଣୀ ।” “ଥାଇଲାଣ୍ଡର ମହିଳାମାନେ କୁଆଡେ ସୁନ୍ଦରୀ । ରାଣୀ ହୋଇଥିଲେ ତ ଅପୂର୍ବ ସୁନ୍ଦରୀ ହୋଇଥିବେ ।” “ନିଶ୍ଚିତ ଭାବେ ସେଇଆ ହୋଇଥିବ ।”
“ତାହାହେଲେ ରାଣୀଙ୍କ ଦେହ ଚମକୁଥିବ । ତାଙ୍କ ଦେହର ରଙ୍ଗ ଦୁଧ ଅଳତା, ହଳଦିଆ ରଙ୍ଗର ହୋଇଥିବ । ସେ ଅତି ସୁନ୍ଦରୀ ଥିବେ । ତାଙ୍କ ଦେହରେ ଟିକିଏ ଖୁଣିବାକୁ ନଥିବ । ମୁହଁ ଚାନ୍ଦ ଭଳି ଉଜ୍ଜ୍ୱଳ ଆଉ ପୂର୍ଣ ଥିବ । ତାଙ୍କୁ ଦେଖିଲେ ଘଡିଏ ଅନାଇବାକୁ ଇଚ୍ଛା ହେବ ।”-ଶୋଭନାଙ୍କ କଣ୍ଠ ପ୍ରାୟ ଥରୁଥିଲା ।  ଏମିତି ଥାଇଲାଣ୍ଡ ରାଣୀଙ୍କ ବିଷୟରେ ସେମାନେ କଥାହେଲେ । ଥାଇଲାଣ୍ଡ ରାଣୀ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିବେ । ସେଇଥି ପାଇଁ ଶୋଭନା ତାଙ୍କୁ ଦେଖିବାକୁ ଯାଇପାରିବେ ନାହିଁ । ତଥାପି ବି ଶୋଭନା କିନ୍ତୁ ରାଣୀଙ୍କ ଉପରେ ନଭାବି ରହିପାରିଲେ ନାହିଁ । ସେ ଭାବୁଥିଲେ ରାଣୀଙ୍କର ପୋଷାକ ଅତି ମୂଲ୍ୟବାନ ହୋଇଥିବ । ପୋଷାକରେ ନିଶ୍ଚିତ ଭାବେ ସୁନାର ସୂତା ଲାଗିଥିବ । ଫଟୋରେ ସେମାନେ ଥାଇଲାଣ୍ଡର ସୌନ୍ଦର୍ଯ୍ୟ ତଥା ରାଜମହଲର ଐଶ୍ୱର୍ଯ୍ୟ ଦେଖିଛନ୍ତି । ସେମାନେ ଥାଇଲାଣ୍ଡରେ ହେଉଥିବା ସୁସଜ୍ଜିତ ନୌବିହାର କଥା ଜାଣି ବିସ୍ମିତ ହୋଇଯାଇଛନ୍ତି । ସେଥିରେ ଥାଇଲାଣ୍ଡର ରାଜାଙ୍କର ଐଶ୍ୱର୍ଯ୍ୟ ଆଉ ଥାଇ କଳାକାରଙ୍କ କଳାକୃତି ପ୍ରଦର୍ଶିତ ହୁଏ । ବାଦ୍ୟମାନ ବଜାଯାଏ । ଏକ ବିଶାଳ ଅତିସୁସଜ୍ଜିତ ନୌବହରକୁ ଜଳକୁ ଓହ୍ଲାଇ ଯାଇଥାଏ । ରାଜା ସୁବର୍ଣ୍ଣ ସିଂହାସନରେ ବସିଥାନ୍ତି, ରାଣୀମାନେ ପ୍ରାୟ ଅଳଙ୍କାରରେ ମଣ୍ଡିତ ହୋଇଥାନ୍ତି । ଏତେ ରତ୍ନ, ବୈଦୁର୍ଯ୍ୟର ସମାହାର ପ୍ରାୟ ଆଉ କେଉଁଠି ଦେଖିବାକୁ ମିଳେନାହିଁ । ତେଣୁ ରାଣୀଙ୍କର ସୌନ୍ଦର୍ଯ୍ୟ, ବେଶ ପୋଷାକ, ଥାଟବାଟ ଜାଣିବାକୁ ତାଙ୍କର ଆଗ୍ରହର ଯେମିତି ସୀମା ନଥିଲା ।  “ରାଣୀ କଚ୍ଛପ ଦେଖିବାକୁ ଆସୁଛନ୍ତି ।”- ଏଖବର ପାଇ ପ୍ରଥମେ ଅସୀମ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ ତାଙ୍କୁ ଖୁସି ଲାଗୁଥିଲା ଏକ ପ୍ରତିଷ୍ଠିତ ରାଜପରିବାରର ରାଣୀ ସମୁଦ୍ର କଚ୍ଛପ ଦେଖିବାକୁ ଆସୁଛନ୍ତି । ଥାଇଲାଣ୍ଡର ରାଜ ପରିବାର କେତେଶହ ବର୍ଷର । ବିଶ୍ୱର ଅତି ପୁରୁଣା ରାଜ ପରିବାର ଭିତରୁ ଅନ୍ୟତମ । ଆଉ ଶୋଭନା ଭାବୁଥିଲେ ରାଣୀଙ୍କ ପରି ମହିୟସୀ ମହିଳାମାନେ ଅତି ବିଶାଳ ସମୁଦ୍ର କଚ୍ଛପକୁ ଦେଖିବାକୁ ଆସିବା ଉଚିତ । ଏମିତି ତ ଆଣ୍ଡାମାନ ଦ୍ୱୀପକୁ ଆସୁଥିବା ପ୍ରମୁଖ ଲୋକମାନେ ତଥା ଏଠାକାର ଭିନ୍ନ ପଦପଦବୀରେ ଥିବା ଉଚ୍ଚ ପଦାଧୀକାରୀ ତଥା ବିଶିଷ୍ଟ ବ୍ୟକ୍ତିଗଣ ପ୍ରାୟ ସମୁଦ୍ର କଚ୍ଛପ ଦେଖିବାକୁ କ୍ୟାମ୍ପବେଲ ବେ ଆସନ୍ତି । ଏ ଭିତରେ ଆର୍ମି ଜେନେରାଲ, ଗଭର୍ଣ୍ଣର ଆଦି ଆସିସାରିଛନ୍ତି । ଆଉ ଥାଇଲାଣ୍ଡର ରାଣୀ ଆସିବା ଏକ ମୁଖ୍ୟ ଖବର କ୍ୟାମ୍ପବେଲ ବେରେ ହୋଇଯିବ । ଶୋଭନା ରାଣୀଙ୍କ ବ୍ୟକ୍ତିତ୍ୱ ନୁହେଁ, ରାଣୀଙ୍କ ସୌନ୍ଦର୍ଯ୍ୟ ବିଷୟରେ ଜାଣିବାକୁ ବେଶି ଇଚ୍ଛୁକା ଥିଲେ । ଏଇଠୁ ସେମାନେ ଥାଇଲାଣ୍ଡ ଯାଇପାରିବେନି । କିନ୍ତୁ ପାଖରେ ଏକ ରାଣୀଙ୍କୁ ଦେଖି ତାଙ୍କର ବ୍ୟବହାର, ଚଳଣି ଇତ୍ୟାଦି ବିଷୟରେ ଧାରଣା କରିପାରିବେ । ଥାଇଲାଣ୍ଡ ଏକ ଅତି ସୁନ୍ଦର ଦେଶ । ଏ ସମୁଦ୍ର କଚ୍ଛପରେ ନିଶ୍ଚିତ ଭାବେ କିଛି ସୁନ୍ଦରତା କିମ୍ବା ମହାନତା ଅଛି, ଯାହା କେତେ କେତେ ଅତି ସମ୍ମାନୀୟ ବ୍ୟକ୍ତିବିଶେଷଙ୍କୁ ଆକର୍ଷିତ କରିପାରୁଛି । ସେଇ ମହାନତାର ବିଷୟବସ୍ତୁଟି କ’ଣ ତାହା ଅସୀମଙ୍କ ମାଧ୍ୟମରେ ଜାଣିପାରିବେ ।  କିନ୍ତୁ ଅସୀମଙ୍କ ଭାବିବା ହିସାବରେ ସମୁଦ୍ର କଚ୍ଛପ ସେମିତି କିଛି ଅପୂର୍ବ ଆକର୍ଷଣୀୟ ଜନ୍ତୁ ନୁହେଁ ବା ଏହା ସହ କେଉଁ ମହାନ ସଂସ୍କୃତି ଯୋଡା ହୋଇଥିବାର ଖବର ନାହିଁ । ଅବଶ୍ୟ ଚୀନ ପରି ଦେଶରେ କେଉଁଠି ସୁନା ବା ସ୍ଫଟିକ କଚ୍ଛପର ଛୋଟ ମୂର୍ତ୍ତି ରଖନ୍ତି । ବାଘର ଚମ ପରି ସମୁଦ୍ର କଚ୍ଛପର ଖୋଳ ମୋଟେ ମସୃଣ ବା ଚକଚକିଆ ନୁହେଁ । ଶୋଭନାଙ୍କୁ ଲାଗେ ଏକ ବାଲି ଲାଗିଥିବା, କଳା ଦେଖାଯାଉଥିବା ସମୁଦ୍ରର ପ୍ରାଣୀଙ୍କୁ ଦେଖିବା ପାଇଁ ଏତେ ଲୋକ ଆସୁୁଛନ୍ତି ତାହାହେଲେ କାହିଁକି? ତାଙ୍କର ମଧ୍ୟ ଏକା ମତ, ଜ୍ୟାଣ୍ଟ ଲେଦର ବ୍ୟାକ ଟର୍ଟଲ ସେମିତି ଉଜ୍ଜ୍ୱଳ ଆକର୍ଷଣୀୟ ବା ଚଞ୍ଚଳ ନୁହେଁ । ଏ ସାମୁଦ୍ରିକ ଜୀବ ପାଖରେ ତିମିର ବିଶାଳତା ବା ଶାର୍କ ମାଛର କ୍ଷିପ୍ରତା ନାହିଁ ।  (କ୍ରମଶଃ)
                                                          ଭୁବନେଶ୍ୱର