ବିଶ୍ୱ ଚର୍ଚ୍ଚିତ ଦାରୁ ଦେବତା


ଶ୍ରୀକ୍ଷେତ୍ରରେ ବିରାଜିତ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱ ପୂଜିତ ଦେବତା  । କେବଳ ଓଡ଼ିଆ ଜାତିର ନୁହନ୍ତି, ସେ ହେଉଛନ୍ତି ସମଗ୍ର ଭାରତର ଅସ୍ମିତାର ପ୍ରତୀକ  । ସେ ହେଉଛନ୍ତି ଶେଷ ଅବତାର କରୁଣାମୟ ବିଶ୍ୱ ଠାକୁର , ଚର୍ଚ୍ଚିତ ଦାରୁବ୍ରହ୍ମ ଦେବତା  । ସେହିଁ କୃଷ୍ଣ, ସେହି ବିଷ୍ଣୁ   । ସକଳ ଦେବାଦେବୀଙ୍କ ଗୁଣ ନିହିତ ବ୍ରହ୍ମାଣ୍ଡ ଠାକୁର  । ବୈଦିକ, ଅବୈଦିକ, ଜୈନ, ବୌଦ୍ଧ , ଶାକ୍ତ , ଗାଣପତ୍ୟ, ସୌର, ଶୈବ , ନାଥ , ଶାବର , କବୀରପନ୍ଥୀ , ନାନକପନ୍ଥୀ , ଆର୍ଯ୍ୟ , ଅନାର୍ଯ୍ୟ, ମୁସଲମାନ , ଖ୍ରୀଷ୍ଟିଆନ ସମସ୍ତେ ତାଙ୍କର ଶରଣାପନ୍ନ  । ତାଙ୍କର ଅପଲକ ଚକାଆଖିରେ ସକଳେ ସମାନ  । ନା ତା'ଙ୍କ ନିକଟରେ ନା ଅଛି ସାନ ବଡ଼, ଧନୀ ନିର୍ଦ୍ଧନ , ରୋଗୀ ନିରୋଗ, ଜାତି ଅଜାତି,  ଛୁଆଁ ଅଛୁଆଁ , ଭେଦ ଅଭେଦ ଭାବ ପ୍ରତିକ୍ରିୟା  । ସେ ଜଣଙ୍କର ନୁହନ୍ତି , ସେ ଗଣଙ୍କର , ଅଖିଳ ବିଶ୍ୱର ଗଣଦେବତା  । ସେହି ଦାରୁବ୍ରହ୍ମ ଜଗନ୍ନାଥ ହେଉଛନ୍ତି ପୂର୍ଣ୍ଣବ୍ରହ୍ମ  । ଅସୀମ, ଅନିତ୍ୟ , ନିର୍ଗୁଣ  । ତାଙ୍କର ଦିବ୍ୟ କୃପା ହେଲେ ତାଙ୍କୁ ଜାଣିବା ଭକ୍ତ ପକ୍ଷେ ସମ୍ଭବ ହୋଇନଥାଏ  । ସେ ଚିର ରହସ୍ୟମୟ ଭାବର ଠାକୁର , ସମଗ୍ର ଓଡ଼ିଆ ଜାତିର ପ୍ରାଣବିନ୍ଦୁ  । " ସର୍ବ ରହସ୍ୟଂ ପୁରୁଷୋତ୍ତମସ୍ୟ / ଦେବା ନ ଜାଣନ୍ତି କୃତଃ ମନୁଷ୍ୟ  ।"
ଶ୍ରୀମଦ୍ଭାଗବଦ୍ ଗୀତାର ସେ କ୍ଷର-ଅକ୍ଷର-ପୁରୁଷୋତ୍ତମ  । ଅର୍ଥାତ୍ କ୍ଷର ହେଉଛନ୍ତି ପରିଦୃଶ୍ୟମାନା ପ୍ରକୃତି ବା ସୁଭଦ୍ରା  । ଅକ୍ଷର ହେଉଛନ୍ତି ବଳଭଦ୍ର ଓ ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା ଜଗତ୍ ପ୍ରଭୁ ଶ୍ରୀଜଗନ୍ନାଥ  । ଭକ୍ତ କ୍ଷର ଓ ଅକ୍ଷର ଠାରୁ ସ୍ୱତନ୍ତ୍ର ସେହି ପରମାତ୍ମା ବା ପୁରୁଷୋତ୍ତମ ଜାଣି ପାରିଲେ ଅନ୍ୟ କିଛି ଜାଣିବା ଆବଶ୍ୟକ ନଥାଏ  । ପୁରୁଷୋତ୍ତମଙ୍କୁ ଜାଣିବା ହିଁ ତା' ଜନ୍ମର ସାର୍ଥକତା  । ତାଙ୍କର ବିଗ୍ରହ ପୂଜା ପାର୍ବଣ ସ୍ୱୟମ୍ଭୁ ମନୁଙ୍କ ପୂର୍ବରୁ ସମାଜରେ ପ୍ରଚଳିତ ଥିବା ଶାସ୍ତ୍ରରେ ଉଲ୍ଲେଖ ରହିଛି  । ସେହି ସୃଷ୍ଟିର ଏକମାତ୍ର ଆଦ୍ୟ ଦେବତା ସକଳ ଧର୍ମ ଦର୍ଶନର ପ୍ରତିନିଧିତ୍ୱ କରି ଅବିଚଳିତ ମହିମାରେ ପ୍ରତ୍ୟୟମାନ ହୋଇଆସୁଛନ୍ତି  । ସେ ସତ୍- ଚିତ୍-ଆନନ୍ଦ ସଚ୍ଚିଦାନନ୍ଦ  । ସେହି ପରମ ପରଂବ୍ରହ୍ମ  । ତାଙ୍କ ବିଗ୍ରହ ପରମବ୍ରହ୍ମଙ୍କର ସ୍ମାରକୀ ସ୍ୱରୂପ ପ୍ରତୀକ  ।  ତାଙ୍କର କୌଣସି ନିର୍ଦ୍ଦିଷ୍ଟ ରୂପ ନାହିଁ, ସେ ଅରୂପା, ଅଥଚ ସର୍ବରୂପ  । 'ଶ୍ୱ୍ୱେତାଶ୍ୱେତ ' ଉପନିଷଦରେ ଉଲ୍ଲେଖ ଅଛି -" ଅପାଣି ପାଦୋ ଜବନ ଗ୍ରହୀତା / ପଶ୍ୟତ୍ୟଚକ୍ଷୁ ସ ଶ୍ରୃଣୋତ୍ୟକର୍ଣ୍ଣଃ/ ସ ବେତ୍ତି ବେଦ୍ୟଂ ନ ଚ ତସ୍ୟ ବେତ୍ତା / ତମାହୁରର୍ଗ୍ୟଂ ପୁରୁଷଂ ମହାନ୍ତମ୍  ।" ଅଥାର୍ଥ ସର୍ବତ୍ର ସେହି ପରଂବ୍ରହ୍ମଙ୍କ ହସ୍ତପଦ , ତାଙ୍କର ଚକ୍ଷୁ, ମସ୍ତକ ଓ ମୁଖ ଓ କର୍ଣ୍ଣ  । ସେ ସର୍ବବ୍ୟାପୀ ସଚରାଚର  । ସେ ସକଳ ଇନ୍ଦ୍ରିୟର ପ୍ରକାଶକ , ଅଥଚ ସେ ଇନ୍ଦ୍ରିୟ ବିବର୍ଜିତ  । ତାଙ୍କର ହସ୍ତ ନଥାଇ ସେ ଗ୍ରହଣ କରନ୍ତି, ସେଭଳି ପଦ ନଥାଇ ସେ ଗମନ କରନ୍ତି, ଚକ୍ଷୁ ନଥାଇ ସେ ସର୍ବଦର୍ଶୀ , କର୍ଣ୍ଣ ନଥାଇ ସବୁ ଶ୍ରବଣ କରନ୍ତି  ।   ଜଗତର ନାଥ ଜଗନ୍ନାଥ ହେଉଛନ୍ତି ସେହି ପରମବ୍ରହ୍ମଙ୍କର ପ୍ରତୀକ  । ତେଣୁ ତାଙ୍କର ବିଗ୍ରହ ପୂର୍ବାବଧି ହସ୍ତପଦ ଶୂନ୍ୟ ଓ କର୍ଣ୍ଣ ବିହୀନ ଅବସ୍ଥାରେ ନିର୍ମିତ ହେଉଛନ୍ତି  । ବିଶେଷ କରି ତାଙ୍କ ବିଗ୍ରହ ଦାରୁବ୍ରହ୍ମ ଭାବେ ବିରାଜିତ  । କହିବାକୁ ଗଲେ ସେ ଅନ୍ୟ ଦେବଦେବୀଙ୍କ ବିଗ୍ରହ ପରି ଧାତବ ବା ପ୍ରସ୍ତରର ବିଗ୍ରହ ନୁହନ୍ତି  । ତାଙ୍କର ବିଗ୍ରହ କେବଳ ନିମ୍ବ ଦାରୁରେ ନିର୍ମିତ ହୁଏ  । ଦାରୁ ତାଙ୍କ ବିଗ୍ରହକୁ ପ୍ରାଣମୟ କରିଥାଏ  । ସେହି ଦାରୁବ୍ରହ୍ମ ଦାରୁଦେବତା ପ୍ରାଣବାନ ଅଟନ୍ତି  । କାରଣ ବୃକ୍ଷ ନିର୍ଜୀବ ନୁହେଁ  । ତା'ର ପ୍ରାଣ ଅଛି  । ତେଣୁ ଆଦିମ ଯୁଗରୁ ମାନବ ବୃକ୍ଷକୁ ଆଶ୍ରୟ କରି ଜୀବନ ଧାରଣ କରି ଚଳିଛି କେବଳ ନୁହେଁ, ବରଂ ତାକୁ ଅତିଭୌତିକ ଶକ୍ତି ମନେକରି ପୂଜା ଅର୍ଚ୍ଚନା ଉପାସନା କରି ଆସିଛି  । ଦାରୁ ବିଗ୍ରହ ଉପାସନାର ପରମ୍ପରା ଏକ ପ୍ରାଚୀନ ଉକôଳୀୟ ସଂସ୍କୃତି  । ବିଶ୍ୱର ବୈଚିତ୍ରମୟ ଦାରୁ ରୂପେ ଜଗନ୍ନାଥ ସେହି ଦାରୁମୂର୍ତ୍ତି ସଂସ୍କୃତିର ଏକାନ୍ତ ପ୍ରତୀକ  । ଦାରୁମୂର୍ତ୍ତି ସଂସ୍କୃତିର ଆଦି ସ୍ରଷ୍ଟା ସ୍ୱୟଂ ପ୍ରଭୁ ଜଗନ୍ନାଥ  । ତେଣୁ ମାନବ ସଂସ୍କୃତିର ଆଦି ପ୍ରକାଶ ହିଁ କେବଳ ଜଗନ୍ନାଥ ସଂସ୍କୃତିରେ ଘଟିଛି  ।
ପୁରୁଷୋତ୍ତମ ବିହାରୀ ଶ୍ରୀଜଗନ୍ନାଥ ଦାରୁ ଦେବତା  । ଆଦି ମାନବ ପ୍ରଥମେ ଦାରୁକୁ ଦେବତା ଭାବେ ପୂଜା କରିଆସିଛି  । ସେହି ପୂଜା ପରମ୍ପରା ଅଦ୍ୟାବଧି ଆଦି ମାନବ ସମାଜରେ ବିଦ୍ୟମାନ  । ବୈଦିକ ଆର୍ଯ୍ୟ ମାନଙ୍କ ପାଇଁ ମଧ୍ୟ ଦାରୁ ଥିଲେ ଦେବତା  । ଆଦି ମାନବ ଦାରୁ ଦେବତା ସଂସ୍କୃତିରୁ କେବେ ବିଚୁ୍ୟତ ନୁହନ୍ତି  । ଗୋଟିଏ ମହାନ୍ ଧାରଣାର ଧାରକ ସେମାନେ  । ବୃକ୍ଷ ବା ଦାରୁ ହିଁ ପ୍ରକୃତି  । ପ୍ରକୃତି ହିଁ ପରମବ୍ରହ୍ମ  ।  ଶବର ସଭ୍ୟତା ଏପର୍ଯ୍ୟନ୍ତ ଦାରୁର ପ୍ରାଧାନ୍ୟ ନିକଟରେ ନିମଳିତ ନୁହେଁ  । ଜନ୍ମ ଠାରୁ ମୃତୁ୍ୟ, ଅନ୍ତୁଡ଼ିଶାଳ ଠାରୁ ଶ୍ମଶାନ ପର୍ଯ୍ୟନ୍ତ ଦାରୁର ଭୂମିକାକୁ ଅସ୍ୱୀକାର କରାଯାଇ ପାରେ ନାହିଁ  । ଜୀବଦ୍ଦଶା ମଧ୍ୟ, ଦାରୁ ସର୍ବସ୍ୱ  । ଯେତେବେଳେ ଦାରୁ ମାନବର ଜନ୍ମ, ଜୀବନ ଓ ମରଣ ସହିତ ନିବିଡ଼ ଭାବେ ଜଡ଼ିତ, ସେତେବେଳେ ଆଦିମାନବୀୟ ଆଧ୍ୟାତ୍ମିକ ସଂସ୍କୃତି ପ୍ରକୃତିର ପରମ ଉପଜୀବ୍ୟ ଦାରୁ ହିଁ ଦେବତା ରୂପେ ପୂଜିତ ହେବା ଅସମ୍ଭବନୁହେଁ  । ସେଥିପାଇଁ ବୃକ୍ଷ ଉପାସନାରୁ ହିଁ ଦାରୁ ଦେବତା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପର୍ବର ମର୍ଯ୍ୟାଦା ବିଶ୍ୱ ବିଦିତ ହୋଇ ଆସୁଛି  ।  ପ୍ରାଚୀନ କାଳରୁ ଶବରମାନେ ମହୋଦଧି କୂଳରେ ଗୋଟିଏ କୁଟୀର ମଧ୍ୟରେ ବୃକ୍ଷଗଣ୍ଠିକୁ ଅଥାର୍ଥ ଦାରୁକୁ ରଖି ପୂଜା କରି ଆସୁଥିଲେ  । ସେହି କୁଟୀରରେ ଦ୍ରାବିଡ଼ ଶବ୍ଦ ଗୁଡିସା ବ୍ୟବହାର କରାଯାଉଥିଲା  । ପାରମ୍ପରିକ ରୀତିନୀତିରେ ଶବରମାନେ ବୃକ୍ଷ ଦେବତାଙ୍କୁ ରଥରେ ନେଇ ଅନ୍ୟ କୁଟୀରରେ ରଖିବାର ଯାତ୍ରାକୁ ଗୁଡିସା ଯାତ୍ରା ପରବର୍ତ୍ତୀ ସମୟରେ ଗୁଣ୍ଡିଚା ଯାତ୍ରା ରୂପେ ଖ୍ୟାତ ହୋଇଛି  । ଅଦ୍ୟାବଧି ସେହି ଶବରମାନଙ୍କ ବଂଶଜ ଦଇତା ମାନଙ୍କ ଦ୍ୱାରା ଗୁଣ୍ଡିଚା ଯାତ୍ରା ସମାହିତ ହେଉଛି  । ଶାବରୀ ଭାଷାରେ କୁନଡିଜା ଅଥାର୍ଥ ସେହି ଗଣ୍ଠି ଅପଭ୍ରଂଶ ହୋଇ ଗୁଣ୍ଡିଚା ନାମରେ ନାମିତ ହୋଇ ଗୁଣ୍ଡିଚା ଯାତ୍ରା ଭାବେ ପରିଗଣିତ ହୋଇଛି  । ଶବର ଦେବତା ଜଗନ୍ନାଥ ବେଦ ପରବର୍ତ୍ତୀ ପୁରାଣ ଯୁଗରେ ଆର୍ଯ୍ୟ ଜାତିର ଉପାସ୍ୟ ହୋଇ ଗୁଣ୍ଡିଚା ଯାତ୍ରା ପରମ୍ପରାରେ ଏବେ ଘୋଷ ପର୍ବ ଭାବେ ପାଳିତ ହେଉଛି  । ପରମବ୍ରହ୍ମଙ୍କର ବିଗ୍ରହ ନିମ୍ବ ବୃକ୍ଷର ଗଣ୍ଠିକୁ ନିର୍ବାଚନ କରିବାରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ରହିଛି  । ବିଗ୍ରହ ଶୁଷ୍କ କାଠରେ ନିର୍ମିତ ନହୋଇ ସଦ୍ୟ କର୍ତ୍ତିତ ହୋଇଥିବା ଦାରୁରେ ନିର୍ମିତ ହୁଏ  । କାରଣ ଦାରୁ ବୃକ୍ଷ ରସପୂର୍ଣ୍ଣ ରହିଥାଏ  । " ସ୍ଥାବରାଣାମ୍ ରସୋ ପ୍ରାଣଃ " - ବିଶେଷ କରି ସେହି ରସ, ଦାରୁରେ ବାର ବର୍ଷ ପର୍ଯ୍ୟନ୍ତ ଅଶୁଷ୍କ ଅବସ୍ଥାରେ ରହିଥାଏ  । ତେଣୁ ପ୍ରତ୍ୟେକ ବାର ବର୍ଷ ପରେ ଦାରୁବ୍ରହ୍ମଙ୍କୁ ବିସର୍ଜନ କରାଯାଇ ନବକଳେବର କରାଯିବାର ସ୍ୱତନ୍ତ୍ର ବିଧି ରହିଛି  । ଏହି ନବକଳେବର ପୁଣି ଦୋ ଆଷାଢି ବର୍ଷରେ କରାଯିବାର ପାରମ୍ପରିକ ବିଧିବିଧାନ ରହିଛି  । କାରଣ ଆଷାଢ଼ ମାସରେ ନିମ୍ବ ବୃକ୍ଷ ପୂର୍ଣ୍ଣ ମାତ୍ରାରେ ରସଯୁକ୍ତ ହୋଇଥାଏ  । ତେଣୁ ବାର ବର୍ଷ ପରେ ଶୁଷ୍କ ଦାରୁବ୍ରହ୍ମଙ୍କୁ ବିସର୍ଜନ କରାଯାଇ ସେଠାରେ  ନୂତନ ବିଗ୍ରହଙ୍କୁ ସ୍ଥାପନ କରାଯାଏ  । ସାଧୁ ଚୈତନ୍ୟ ଦାସ ଚାଙ୍କ ‘ନିର୍ଗୁଣ ମାହତ୍ମ୍ୟ' ରେ ଉଲ୍ଲେଖ କରିଛନ୍ତି- " ଶୁଖିଲା କାଠ ଦାରୁବ୍ରହ୍ମ / ତହିଁ ଅଛନ୍ତି ପରଂବ୍ରହ୍ମ  ।""
  ଯୁଗ ଯୁଗ ଧରି ମହାପ୍ରଭୁ ଜଗନ୍ନାଥଙ୍କ ଏହି ଦାରୁ-ବ୍ରହ୍ମ ବିଗ୍ରହ କେବଳ ମାନବ ଜାତିକୁ ଚେତାଇ ଦେଉଛି ଜନ୍ମ ମୃତୁ୍ୟର ରହସ୍ୟ  । ଏ ଶରୀର ଅସ୍ଥାୟୀ , ମରଣଶୀଳ  । କିନ୍ତୁ ଶରୀର ମଧ୍ୟରେ ଅଧିଷ୍ଠିତ ପ୍ରାଣ ବା ଆତ୍ମା ସେହି ମହାପ୍ରାଣର ଅଂଶ ବିଶେଷ  । ସେହି ଆତ୍ମା ହିଁ ହେଉଛନ୍ତି ପୁରୁଷୋତ୍ତମ ପରମବ୍ରହ୍ମ  । ତେଣୁ ଆତ୍ମାର କେବେ ମୃତୁ୍ୟ ନାହିଁ  । କେବଳ ମାତ୍ର ଘଟ ପରିବର୍ତ୍ତନ ଘଟେ  । ମହାପୁରୁଷ ସନ୍ଥ ଅଚୁ୍ୟତାନନ୍ଦ ‘ଶୂନ୍ୟ ସଂହିତା 'ରେ କହିଛନ୍ତି - " ଅବତାର ଦଶ ଏହି ଦାରୁରୂପ/ ଏହି ଦାରୁରେ ସେ ଲୀନ / ଈଶ୍ୱର ସାଖ୍ୟାତେ ଲୀଳାର ନିମନ୍ତେ/ ବିଜେ ରନô ସିଂହାସନ  ।"   ଚାରିବେଦ ମଧ୍ୟରେ ଋଗ୍ବେଦ ପ୍ରାଚୀନ ତମ  । ସେଥିରେ ବର୍ଣ୍ଣନା ଅଛି ସିନ୍ଧୁ-ତୀର-ବାସୀ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁ ବ୍ରହ୍ମ  । ବେଦର ଭାଷ୍ୟକାର ତଥା ବିଜୟ ନଗର ରାଜାଙ୍କ ଅମାତ୍ୟ ସାୟାଣାଚାର୍ଯ୍ୟ କହିଛନ୍ତି ପୁରୀ ବା ପୁରୁଷୋତ୍ତମ ପୀଠର ଦାରୁ-ବ୍ରହ୍ମ ପୁରୁଷୋତ୍ତମଙ୍କର ସୂଚନା ମିଳେ, ଯଥା - " ଆଦୌ ଯଦ୍ ଦାରୁ ପ୍ଳବତେ ସିନ୍ଧ? ଅପୁରସମ୍ /ତଦ୍ଦା ଲଭସ୍ୱ ଦୁର୍ଦାନୋ ତନେ ଯାହି ପରଂସ୍ଥଳମ୍  ।"  ତୈତ୍ତିରୀୟ ଶ୍ରୃତିରେ ଦାରୁ ମୂର୍ତ୍ତିର ମିଳିଥାଏ  । ଡକ୍ଟର ବାସୁଦେବ ସାହୁ ମତପ୍ରକାଶ କରି କୁହନ୍ତି - ଯଦି ବୈଦିକ କାଳର ଏହି ଦାରୁ ଜଗନ୍ନାଥଙ୍କ ପୂର୍ବ ଦାରୁ ରୂପ ବୋଲି ପ୍ରମାଣିତ ହୁଏ, ତେବେ ଜଣାଯିବ ଦାରୁ-ବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥଙ୍କ ଅସ୍ତିତ୍ୱ ବୈଦିକ ଯୁଗରେ ଅଥାର୍ଥ ଖ୍ରୀଷ୍ଟାପୂର୍ବ ଦେଢହଜାର ବର୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ  । ବେଦ ପରି ଉପନିଷଦରୁ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସ୍ୱରୂପର ଯଥେଷ୍ଟ ପ୍ରମାଣ ମିଳିଥାଏ  । ଶ୍ୱେତାଶ୍ୱେତ୍ତର ଓ କୈବଲ୍ୟ ଉପନିଷଦରେ ଦାରୁ-ବ୍ରହ୍ମ ପୁରୁଷୋତ୍ତମଙ୍କର ସ୍ୱରୂପ ଓ ସୂଚନା' ରହିଛି  ।
 ରହସ୍ୟମୟ ଠାକୁର ସେ  । ତାଙ୍କର ରହସ୍ୟ ଭେଦ କରିବା ସହଜ ନୁହେଁ  । " ମମ ଚିତ୍ତ ସଦାହମ  । ମୁଁ ସର୍ବଜ୍ଞ ଓ ଏକ ରୂପ ଥାଇ ଅରୂପ  । ମୋତେ କେହି ଜାଣିପାରନ୍ତି ନାହିଁ  । ମୁଁ ଶୁଦ୍ଧ ଚୈତନ୍ୟ ସ୍ୱରୂପ " । ବାସ୍ତବରେ ଉପନିଷଦ ବାକ୍ୟ ସମୂହରେ ପୁରୁଷୋତ୍ତମ ଚେତନାର ପୁଷ୍କଳ ଅଭିବ୍ୟକ୍ତି ସୁସ୍ପଷ୍ଟ  । ଶ୍ରୀମଦ୍ ଭାଗବତ ଗୀତାର ପଞ୍ଚଦଶ ଅଧ୍ୟାୟରେ ଶ୍ରୀପୁରୁଷୋତ୍ତମ ତତ୍ତ୍ୱ ଆଲୋଚନା ପ୍ରସଙ୍ଗରେ ପୁରୁଷୋତ୍ତମ ଜଗନ୍ନାଥଙ୍କ ନାମୋଲ୍ଲେଖ ରହିଛି  । ଯଥା - " ଦ୍ୱବିମୌ ପୁରୁସୌ ଲୋକେ କ୍ଷର ଶ୍ମାକ୍ଷର ଏବ ଚ / କ୍ଷରଃ ସର୍ବାଣି ଭୂତାନି କୂଟସ୍ଥ?ରକ୍ଷର ଉଚ୍ୟତେ  ।" ଉତ୍ତମଃ ପୁରୁଷ ସ୍ତ୍ୱନ୍ୟଃପରମାତ୍ମେତୁ୍ୟ ଦାହୃତଃ / ଯୋ ଲୋକତ୍ରୟ ମାବିଶ୍ୟ ବିଭର୍ଭ୍ୟବ୍ୟୟ ଈଶ୍ୱରଃ / ଯସ୍ମାତ୍ କ୍ଷରମତୀ ତୋ୍ମହମ୍ କ୍ଷରଦପି ଚୋତ୍ତମଃ / ଅତୋସ୍ମି ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋତ୍ତମଃ  ।"   ବାସ୍ତବରେ ଏହାର ଅର୍ଥ ହେଉଛି ସଂସାରରେ କ୍ଷର ଓ ଅକ୍ଷର ନାମରେ ଖ୍ୟାତ  । ଆବ୍ରହ୍ମସ୍ତମ୍ଭ ଚରାଚର ସମଗ୍ର ବିଶ୍ୱ ସୃଷ୍ଟିକୁ କ୍ଷର କୁହାଯାଏ  । କାରଣ ଏହା ବିନାଶଶୀଳ  । ଭଗବାନଙ୍କର ମାୟାଶକ୍ତି ବା ଅବ୍ୟକ୍ତ ମୂଳ ପ୍ରକୃତି ହେଉଛି ଅକ୍ଷର ପୁରୁଷ  । କାରଣ ଏହା ନିତ୍ୟ ଓ ଅବିନାଶୀ  । ଏହି ଦୁଇଟି ଠାରୁ ଭିନ୍ନ ଓ ଶ୍ରେଷ୍ଠ ହେଉଛି ପୁରୁଷୋତ୍ତମ ଓ ସେ ହେଉଛନ୍ତି ?ପରମାତ୍ମା  । ସେହିଁ ସର୍ବ ନିୟନ୍ତା , ଈଶ୍ୱର ଓ ନିର୍ବିକାର  । ମୁଁ କ୍ଷର ଓ ବିନାଶଶୀଳ, ଜଡ ସୃଷ୍ଟିର ଅତୀତ  । ଅବ୍ୟକ୍ତ ମାୟା ବା ମୂଳ ପ୍ରକୃତି ଠାରୁ ଉତ୍ତମ  । ତେଣୁ ଲୋକ ସମୂହରେ ଓ ବେଦରେ ମୁଁ ପୁରୁଷୋତ୍ତମ ନାମରେ ପରିଚିତ ବୋଲି ଭଗବାନ ନିଜ ମୁଖରେ ପ୍ରକାଶ କରିଛନ୍ତି  । ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତରେ ସେହି ପୁରୁଷୋତ୍ତମ ହେଉଛନ୍ତି ଦାରୁ ଦେବତା ଶ୍ରୀଜଗନ୍ନାଥ  । ତେଣୁ ସେହି ଲୀଳାମୟ ରହସ୍ୟମୟ ଠାକୁର ପୁରୁଷୋତ୍ତମ, ଦାରୁ ବ୍ରହ୍ମ ଦାରୁଦେବତା ଜଗନ୍ନାଥ ଶ୍ରୀମନ୍ଦିର ରନôସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସି ଆପଣାର ଜନ୍ମ ପୀଠ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି  । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଅଗଣିତ ବିଶ୍ୱବାସୀ ତାଙ୍କୁ ଦର୍ଶନ ଓ ସ୍ପର୍ଶ କରିବାର ସୌଭାଗ୍ୟ ଲାଭ କରନ୍ତି  । ସତ୍ୟ, ଶାନ୍ତି ଓ ବିଶ୍ୱ ପ୍ରତୀକ ଜଗନ୍ନାଥଙ୍କୁ ଦର୍ଶନ କରି ମୋକ୍ଷ ଲାଭ କରିବାର ବିଶ୍ୱାସ ରହିଛି  ।  ତାଙ୍କରି ଦର୍ଶନରେ " ପୁନରୋପି ଜନ୍ମଂ, ପୁନରୋପି ମରଣଂ " ଘୂର୍ଣ୍ଣିରୁ ରକ୍ଷା ମିଳେ...!!!
ଅଧ୍ୟକ୍ଷ , ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ- ୪
        ଦୂରଭାଷ; ୯୦୪୦ ୧୫୧୪୭୫