ଅଜଣା ଜଗତର ଡାକ

ଅଶୋକ ବିଶ୍ୱାଳ : ଅସୀମଙ୍କ ଏମିତି ଭାବନା ମାଦଳର ଜୋର ଶବ୍ଦରେ ଅଟକିଗଲା । ସେତେବେଳକୁ ସାମିଆନା ତଳେ କିଛି ଖୋଲାଜାଗା ଛାଡି ଚାରିପଟେ ଲୋକେ ବସିଯାଇଛନ୍ତି । ପଛରେ କିଛି ଲୋକ ଠିଆ ହୋଇଛନ୍ତି । ଖୋଲା ଜାଗାରେ କଳା ଲୋକଟିଏ ଦେହରେ ପୂରା ଗେଞ୍ଜି ମଡାଇ, ମୁଣ୍ଡରେ ଏକ ବଡ ଠେକା କରି ଆଉ ଅଣ୍ଟାଠୁ ତଳକୁ ଏକ ଧୋତି ପିନ୍ଧି ଏକ ବୃତ୍ତରେ ନାଚି ନାଚି ମାଦଳ ବଜାଉଛି । ତା’ ହାତ ମାଦଳର ଚମଡା ଉପରେ ନାଚୁଛି ଆଉ ସେଥିରୁ ଦୁମଦୁମ ଶବ୍ଦ ଆସୁଛି । ପଛରେ କିଛି କଳା ରଙ୍ଗର ମହିଳାମାନେ ପ୍ରାୟ ଧଳା ବର୍ଡର ଥିବା ଶାଢି ପିନ୍ଧି ହାତକୁ ହାତ ମିଳାଇ ସେ ଲୋକଟିର ପଛରେ ସାମାନ୍ୟ ଡେଇଁ, ନାଚି କିଛି ଗୀତ ଗାଉଛନ୍ତି । ମାଦଳର ଶବ୍ଦ ସହ ସେମାନଙ୍କ ଗୋଡ ଥୟ ଧରୁନି, ହୃଦୟର ସ୍ୱର ରହିପାରୁନି । ସାଦ୍ରୀ ଭାଷାର ସେ ଗୀତ ଅସୀମ ବୁଝିପାରୁନଥିଲେ । କିନ୍ତୁ ମଧୁରତା ଥିଲା । ନାରୀମାନେ ଗୀତ ଗାଇଲେ ମଧୁରତା ଥାଏ ତ ।

    ବଡ ବୃତ୍ତରେ କିଛି ବୁଲିଲା ପରେ ସେମାନେ ବୋଧେ ଟିକେ ଥକିଗଲେ । ତା’ପରେ ଏକ ଛୋଟ ବୃତ୍ତ ବନାଇ ନାଚିବାକୁ ଲାଗିଲୋ ସେଇଠି ପୁରୁଷଟି ଝାଙ୍କି ଦୋହଲି ନିଜର ମାଦଳ ବଜାଉଥିଲା ଏବଂ ନାରୀମାନେ ହାତ ଧରାଧରି ହୋଇ ସେମିତି ହଲି ଦୋହଲି ଗୀତ ଗାଉଥିଲେ । ବେଳେବେଳେ ସେମାନେ ତଳକୁ ନଇଁ ଆସୁଥିଲେ । ଏ ପୁରୁଷ ଆଉ ମହିଳାମାନଙ୍କର ଥିଲା ପତଳା ଶରୀର ଆଉ ସମସ୍ତଙ୍କ ଦେହ ଏକ ବେତ ଭଳି ନଇଁ ପୁଣି ସିଧା ହୋଇଯାଉଥିଲା । ଧୀରେ ବୃତ୍ତ ପୁଣି ବଡ ହୋଇଗଲା ଆଉ ଦୁଇଜଣ ବ୍ୟକ୍ତି ମିଶିଗଲେ, ସେଇ ଏକା ପ୍ରକାରର ଧଳା ଗେଞ୍ଜି ଆଉ ଧଳା ଧୋତି ପିନ୍ଧି ମାଦଳ ବଜାଇବାରେ ଲାଗିଗଲେ । ନୂଆ ଆସିଥିବା ପୁରୁଷମାନଙ୍କ ମୁଣ୍ଡରେ କିନ୍ତୁ ଠେକା ନଥିଲା । ମହିଳାମାନଙ୍କ ଶାଢି ଆଗକୁ ବର୍ଡର ଥାଇ ଧଳା ଥିଲା କିନ୍ତୁ ଆଞ୍ଚଳ ଥିଲା ଚମକୁଥିବା କମଳା, ଲାଲ, ନାରଙ୍ଗୀ, ନେଳି ରଙ୍ଗର । ସମସ୍ତେ ସବୁଜ ରଙ୍ଗର ପୂରା ହାତବାଲା ବ୍ଲାଉଜ ପିନ୍ଧିଥିଲେ । ମୁଣ୍ଡରେ ଥିଲା ଖୋସା କିନ୍ତୁ ଫୁଲ ଲାଗିନଥିଲା । କାହାର ବାଳ ଖୋଲା ନଥିଲା । ପ୍ରାୟ ଏକା ପ୍ରକାର କପଡା ସମସ୍ତେ ପିନ୍ଧିଥିଲେ ।ସେମାନଙ୍କ ଗୀତ ଆଉ ନାଚରେ ଗତି ଥିଲା । ଲାଗୁଥିଲା ସେମାନଙ୍କର ନହକିଆ ଶରୀର ଯେମିତି ପବନରେ ଦୋଳି ଖେଳୁଛି । ଧୀରେ ନାଚର ଗତି ଜୋର ହୋଇ ଉଠିଲା । ଦର୍ଶକମାନଙ୍କର ହୃଦୟର ଗତି ତୀବ୍ର ହୋଇଉଠିଥିବ । ଚର୍ଚ୍ଚର ବାରଣ୍ଡାରେ ଲାଗିଥିବା ତିନି କୋଣିଆ କାଗଜ ପତାକାର ଧାଡି ଗୀତରେ ଯେମିତି ଥରି ଉଠୁଥିଲା । ଅସୀମ ଶୋଭନା ବସି ସେମାନଙ୍କ ନୃତ୍ୟ ଉପଭୋଗ କରୁଥିଲେ । ଧୀରେ ଗୀତ ଶେଷ ହେଲା ଆଉ ଚର୍ଚ୍ଚର ପୁରସ୍କାର ସମାରୋହ ଆରମ୍ଭ ହେଲା । ଚର୍ଚ୍ଚର ଫାଦର ଏକ ଲମ୍ବା ଧଳା ଗାଉନ ପିନ୍ଧି ଠିଆହୋଇ ଘୋଷଣାମାନ କରୁଥିଲେ । ନନମାନେ କିଛି କିଛି ପ୍ରାଇଜ ଧରିଥିଲେ । ଅସୀମ ଶୋଭନାଙ୍କୁ କୁହାଗଲା କିଛି ପ୍ରାଇଜ ବିତରଣ କରିବା ପାଇଁ ଆଉ ତାହା ସେମାନେ ଖୁସିରେ ବାଣ୍ଟିଦେଲେ । ପଛରେ ଠିଆ ହୋଇଥିଲେ କେତେ କେତେ ଛୁଆ ଆଉ ବଡ ମଣିଷ । ସମସ୍ତଙ୍କ ମୁହଁରେ ଖୁସି ଥିଲା । 

       “ଅସୀମ, ମାଦଳର ଶବ୍ଦ ଶୁଣିପାରୁଛ ?”- ଶୋଭନା ଘରକୁ ଫେରିଆସିବା ପରେ କହିଲେ ।
“ନାଚୁଥିବା ଗୋଡମାନ ଦେଖିପାରୁଛ ଶୋଭନା ।”
“ଅସୀମ, ଦୁମ ଦୁମ କରି ଜୋରରେ ବାଜୁଥିବା ଶବ୍ଦମାନ ହୃଦୟରେ କମ୍ପନ ଆଣୁନିକି ?”
“ଶୋଭନା, ହଲି ନଇଁ ଯାଉଥିବା ଅଣ୍ଟାମାନ, ପୁଣି ଖୁସିରେ ଲହକି ଯାଉଥିବା ଶରୀରମାନ, ହସରେ ଫୁଲ ଭଳି ଫୁଟିଯାଉଥିବା ମୁହଁମାନ ଶରୀରରେ ଆବେଗ ଆଣୁଛି ଯେ ।” “ଅସୀମ, କାନଦେଇ ହୃଦୟକୁ ଚାଲିଯାଉଥିବା ତାଳମାନ, ଶରୀରରେ ବୋହିଯାଉଥିବା ରୋମାଞ୍ଚମାନ, ମନରେ ସବୁକୁ ଭୁଲାଇ ଦେଉଥିବା ଭାବନାମାନ, ମୁହଁକୁ ଫେରିଆସୁଥିବା ଉଷ୍ମ ରକ୍ତର କଣିକାମାନ, ସେମାନଙ୍କର ତୋଳିଧରୁଥିବା ସଙ୍ଗୀତମାନ । ଶୁଣିପାରୁଛ ଅସୀମ ।”


    ଅସୀମ ଆଉ ଶୋଭନାଙ୍କର ଏମିତି କଥାବାର୍ତ୍ତାରେ ଅନେକ ଅନେକ ଦିନ ବିତିଯାଏ । ଅସୀମ ଆଉ ଶୋଭନା କେବେକେବେ ଯାଇ ସମୁଦ୍ରକୂଳରେ ବସିଯାଆନ୍ତି । ଉପସାଗରରେ ଲାଗିଥାଏ ବହୁ ପ୍ରକାରର ବୋଟ । ସବୁ ବୋଟ ନିଜ ତାଳରେ ନାଚୁଥାନ୍ତି । ନାଚିବାପାଇଁ ସମୁଦ୍ରର ଢେଉ ଆଉ ସାମାନ୍ୟ ପବନର ଆବଶ୍ୟକ ଅଛି । ତଳେ କେତେ ଗଭର ପାଣି ଥିବ । କେଉଁ ବୋଟର ଭିତର କେମିତି ଥିବ ? କାହାର ଇଂଜିନ ନୂଆ, ତ କାହାର ପୁରୁଣା, କାହା ଉପର ଖୋଲା, ତ କେଉଁଥିରେ କ୍ୟାବିନ ଅଛି । କିନ୍ତୁୁ ଗୋଟିଏ ବିଷୟ ସମାନ । ସବୁଗୁଡିକ ତରୀ । ମଣିଷକୁ ଏତେ ଗଭୀର ପାଣିରେ ନିରାପଦରେ ବୋହି ନେଉଛନ୍ତି । କୁଳରେ ସମସ୍ତେ ନିଜ ହିସାବରେ ହଲୁଛନ୍ତି, ଦୋହଲୁଛନ୍ତି । କ୍ୟାମ୍ପବେଲ ବେର ଉପସାଗର ତାଙ୍କୁ ଜୀବନର ଏକ କୂଳ ଲାଗୁଥିଲା । କେତେ ସଂପ୍ରଦାୟର ଲୋକ ଅଛନ୍ତି ଏଇଠି, ଛୁଆରୁ ବୟସ୍କ । ସେମାନେ ହସିବା ଦରକାର । ଆଉ ଅସୀମ ସେମାନଙ୍କପାଇଁ ଛୋଟ ଉପସାଗରଟିଏ । ସମୁଦ୍ରର ଉତ୍ତ୍‌ଳ ଲହଡିକୁ ଅଟକାଇ ଦେଉଛନ୍ତି ଦୂରରୁ । ଜୀବନରେ ସେମାନେ ଖୁସିରେ ରୁହନ୍ତୁ । କ୍ୟାମ୍ପବେଲ ବେ ପରେ ଆଉ ଉପସାଗର ନାହିଁ, ତେଣିକି ଦକ୍ଷିଣକୁ ତଳକୁ ଭାରତ ମହାସାଗର, କୂଳହୀନ ସାଗର, ତଳହୀନ ପାଣି । ନଙ୍ଗର ପକାଇବାକୁମଧ୍ୟ ଜାଗା ନାହିଁ । ସେ ଧୀର ପବନକୁ ନିଜ ଭିତରେ ବୋହିଯିବାକୁ ଦିଅନ୍ତି । ଶୋଭନା ଅସୀମଙ୍କ କାନ୍ଧକୁ ଲାଗି ବସିରହିଥାନ୍ତି ।

     ଛୁଟିଦିନ ଥିଲା । ତଥାପି ତାଙ୍କର ଆଗୁଆ ଅନୁମତି ନେଇ ଏକ ବୟସ୍କା ମହିଳା ଘରକୁ ପଶି ଆସିଲେ । ଏଠି ବେଶି ଅତିଥି ନଥାନ୍ତି । ଅସୀମଙ୍କ କାଠ ଘରେ ସିଟିଙ୍ଗ ରୁମ ବା ବୈଠକ ଖାନାଟି ଛୋଟ । ଅତି ବେଶିରେ ଛଅରୁ ଆଠଜଣ ଲୋକ ବସିପାରିବେ । ମଝିରେ ଏକ ବଡ ଟେବୁଲ ପଡିଛି ଆଉ ଚାରିପାଖେ ସୋଫା ଅଛି । ଏଠାକାର କାଠ ସୋଫାରେ ଛକି ଛକି ହୋଇ ବେତ ବୁଣା ଯାଇଛି, କିନ୍ତୁ ଗଦି ପଡିନି । ପୁରୁଣା କାଳିଆ ସୋଫା । ଘରେ ଅଲଗା ଅଲଗା ଯାଗାରୁନିଜ ଦ୍ୱାରା ସଂଗୃହୀତ କାଠର ବଡ ଫଙ୍ଗସ, ସି ସେଲ, ଅଦ୍ଭୂତ ଦେଖାଯାଉଥିବା ସମୁଦ୍ର କୂଳରେ ପଡିଥିବା କାଠ ବା ଡ୍ରିଫ୍ଟ ଉଡ, ଭଙ୍ଗା କୋରାଲ ଆଉ କଉଡି ଆଦିକୁ ଅସୀମ ନିଜ ରୁଚି ହିସାବରେ ଘରେ ସଜାଇଛନ୍ତି । ବାହାରୁ କିଣା ମୂଲ୍ୟବାନ କୌଣସି ସଜାଇବା ସାମଗ୍ରୀ ନାହିଁ, ଯାହା କିଛି ଅଛି ସବୁ ପ୍ରକୃତିରୁ ସଂଗୃହୀତ । ଅସୀମଙ୍କୁ ଭାବନ୍ତି ଘରେ ଦେଖା କରିବାକୁ ଆସୁଥିବା ବାହାରର ଲୋକଙ୍କୁ ଏକ ଫରେଷ୍ଟ ଅଫିସରଙ୍କ ଘରକୁ ଆସିଛନ୍ତି ବୋଲି ଫିଲିଙ୍ଗ ବା ଅନୁଭବ ଆସିବା ଉଚିତ । “ମାଡାମ୍‌, ଆପଣ ଏତେ ସିନିଅର । ଏ ବୟସରେ କ୍ୟାମ୍ପବେଲ ଆସୁଛନ୍ତି ?”- ଅସୀମଙ୍କର ନିଜ ଆଖିକୁ ପ୍ରାୟ ତାଳୁ ପର୍ଯ୍ୟନ୍ତ ଉଠାଇ ପ୍ରଶ୍ନ କଲେ । ସେତେବେଳକୁ ସେମାନଙ୍କ ଭିତରେ ପରିଚୟର ଆଦାନ ପ୍ରଦାନ ସରିଲାଣି । ଅତିଥିଙ୍କୁ ଉପଯୁକ୍ତ ଭାବରେ ଅପ୍ୟାୟିତ କରାଗଲାଣି । ସେମାନଙ୍କର କ’ଣ ଦରକାର ସେ ବିଷୟରେ ପ୍ରଶ୍ନ ପଚରାଯାଇ ସାରିଲାଣି । ଘରେ ସେମାନେ ସହଜରେ କଥାବାର୍ତ୍ତା କରିବା ଆରମ୍ଭ କଲେଣି । ଅତି ସାଧାରଣ କପଡା ପିନ୍ଧିଥିବା ଭଦ୍ରମହିଳାଙ୍କ କଥାରେ ବେଶ ଗାମ୍ଭୀର୍ଯ୍ୟ ଥିଲା, ବାକ୍ୟ ସବୁ ସାରଗର୍ଭକ ଜଣାପଡୁଥିଲା । ମାଡାମ ସୋଫାରେ ଆରାମରେ ବସିଥିଲେ । ସେ ହସିଲେ । ଅମାୟିକ ହସ । ମାତୃସ୍ନେହ ପ୍ରଥମେ ତାଙ୍କର ହସରେ ଥିଲା । ଚାରୁଲଥା ମାଡାମ୍‌ ବୋଧହୁଏ ପଞ୍ଚଷଠି ବର୍ଷ ବୟସ କେବେଠୁ ଅତିକ୍ରମ କରିଯାଇଥିବେ । ସେ ନିଜର ଟିକେ ଅଧିକ ପରିଚୟ ଦେଲେ । ତାଙ୍କର ଦୁଇପୁଅ ଭାରତର ଅତି ପ୍ରସିଦ୍ଧ ବିଜ୍ଞାନ ଅନୁଷ୍ଠାନ ଇଣ୍ଡିଆନ ଇନସିଚ୍ୟୁଟ ଅଫ ସାଇନସ, ବାଙ୍ଗାଲୁରୁରେ ବୈଜ୍ଞାନିକ ହିସାବରେ କାର୍ଯ୍ୟରତ । ସ୍ୱାମୀ ଭାରତ ସରକାରରେ ସାଇଣ୍ଟଫିକ ଆଡଭାଇଜର ଅଛନ୍ତି । ତେଣୁ ମାଡାମ୍‌ଙ୍କ ଘରେ କିଛି ଅସୁବିଧା ନଥିବ । କିନ୍ତୁ ଏ ବୟସରେ ମାଡାମ୍‌ ଆସିଛନ୍ତି କ୍ୟାମ୍ପବେଲ ବେ ? ରିସର୍ଚ୍ଚ କରିବେ, ତା’ ପୁଣି ଶୋମ୍ପେନ ହୁଡି ଉପରେ ? ଯେଉଁ ବୟସରେ ଘରେ ବସି ଆରାମ କରିବା କଥା ସେ ବୟସରେ ଏହି ବୟସ୍କା ମହିଳା ଜଣକ ଫିଲଡକୁ, ତା’ ପୁଣି କ୍ୟାମ୍ପବେଲ ବେ ଭଳି ଦୂର ଦୂରାନ୍ତକୁ ଆସୁଛନ୍ତି ? ଅସୀମଙ୍କପାଇଁ ଏହା ବିସ୍ମୟର ଖୋରାକ ଥିଲା । ବନବାସର ବୟସ ମାଡାମ୍‌ଙ୍କର କେବେଠୁ ହୋଇଗଲାଣି । ଗୃହତ୍ୟାଗ କରିବା ସମୟ ମଧ୍ୟ ଅତିକ୍ରମ କରିଗଲାଣି ।

   ସଂସାରର ସବୁ ମୋହମାୟାରୁ ତ୍ୟାଗ ନେବାର ସମୟ ଆସିସାରିଲାଣି । ତଥାପି ମାଡାମ୍‌ ଏ ବୟସରେ ଏତେ ଦୂର ଯାତ୍ରା କାହିଁକି କରୁଛନ୍ତି ? ଅସୀମ ନିଜ ଭିତରେ ପ୍ରଶ୍ନର ତରଙ୍ଗମାନ ସୃଷ୍ଟି କରୁଥିଲେ । “ଅସୀମ, ଜ୍ଞାନର ସ୍ପୃହା କେବେ କମ ହେବା ଉଚିତ ନୁହେଁ । ନା କ’ଣ କହୁଛ ?”-ମାଡାମ୍‌ ଚାରୁଲଥା ଅସୀମଙ୍କ ମୁହଁରେ କୁଞ୍ଚିତ ରେଖା ଦେଖି ନିଜ ତରଫରୁ ଅସୀମଙ୍କ ଅକୁହା ପ୍ରଶ୍ନର ଉତ୍ତର ଦେଇଦେଲେ । ତାଙ୍କର ଦୃଷ୍ଟି ଅସୀମଙ୍କର ଘରେ ସଜାଯାଇଥିବା ଜିନିଷମାନଙ୍କ ଉପରେ ବୁଲିଯାଉଥିଲା । ଅସୀମ ମଧ୍ୟ ବହୁ କଷ୍ଟ କରି କେଉଁଠୁ ନା କେଉଁଠୁ ଏହି ସାମାନ୍ୟ କୁହାଯାଉଥିବା ଜିନିଷମାନ ସାଉଁଟିଥିବେ । ପ୍ରକୃତିରୁ ଖୋଜା ଜିନିଷରୁ ଏଠାକାର ପ୍ରାକୃତିକ ସ୍ଥିତି ବିଷୟରେ ଅନେକ ଜାଣିହେବ । “ତା ଠିକ ଯେ ମାଡାମ୍‌ । ଆପଣଙ୍କ ସିନିଅରିଟି । ଏମିତି ଅପନ୍ତରା ରାଜ୍ୟକୁ ଆସିବାରେ ଆପଣଙ୍କୁ ବହୁତ କଷ୍ଟ ହେଉଥିବ ।” “କିଛି ଅସୁବିଧା ନାହିଁ ।”– ସେ କହିଲେ ଅତି ସହଜରେ, ସାମାନ୍ୟ ହସହସ ହୋଇ । 
 

      ତାଙ୍କର ଏହିକଥା ଅସୀମଙ୍କୁ ଭଲ ଲାଗୁଥିଲା । ପରିଣତ ବୟସରେ ଲୋକେ ନିଜର ଶାରୀରିକ ଅସୁବିଧା, ସଂସାରରେ ପୁଅ ଝିଅଙ୍କର ସମସ୍ୟା, ରାଜନୀତିରେ ଉତଥାନ ପତନ, ସମାଜର ଅଧଃପତନ ବା ଧର୍ମର ବିଜୟ ଅଧର୍ମର ପରାଜୟ ଉପରେ ବେଶ ଲମ୍ବା ଆଉ ସରୁନଥିବା ମନ୍ତବ୍ୟମାନ ଦିଅନ୍ତି । କିନ୍ତୁ ମାଡାମ୍‌ ଏକ ପ୍ରଥମ ବୟସରେ ପାଦଦେଇଥିବା ଗବେଷିକାର ମନ ନେଇ କଥା କହୁଛନ୍ତି । ଅସୀମ ଜାଣନ୍ତି ଖାଇବା ପିଇବା, ରହିବାରେ ବହୁ ଅସୁବିଧା ହେବ । ଅତି ଆବଶ୍ୟକୀୟ ଦରକାରୀ ଜିନିଷ ହୁଏତ ନମିଳିପାରେ । ଏ ଅବସ୍ଥାରେ ବୟସ୍କା ମହିଳାଜଣକ କ’ଣ ବୁଝି, ଏ ଦୂର ରାଜ୍ୟ ପାଇଁ ନିଜକୁ ବୁଝାଇ, ଅତି ଦୃଢନିଷ୍ଠ ହୋଇ ଆସିଛନ୍ତି କେଜାଣି ? କିନ୍ତୁ ମାଡାମ୍‌ଙ୍କ ମୁହଁର ହସ ଅସୀମଙ୍କ ବହୁ ଶଙ୍କାକୁ ଦୂର କରିଦେଉଥିଲା । “ଶୋମ୍ପେନ ହୁଡି । ରିସର୍ଚ୍ଚ ମନ ପସନ୍ଦ ହେବା ଦରକାର ।”- ମାଡାମ୍‌ ପୁଣି କହିଲେ । “ଏଇଟା କ’ଣ ଏମିତି ବିଷୟ ଯେ ଏହା ଉପରେ ରିସର୍ଚ୍ଚ କରିବା ଆବଶ୍ୟକ ?”- ଅସୀମ କହିବା କହିବା ହୋଇ ରହିଗଲେ । 

ଭୁବନେଶ୍ୱର