ବାୟୁ ପ୍ରଦୂଷଣ
ଏଥିରେ ଦ୍ୱିମତ ନାହିଁ ଯେ, ବାୟୁ ପ୍ରଦୂଷଣ ଯୋଗୁଁ ଭାରତର ସହରଗୁଡିକ ଏବେ ଶ୍ୱାସରୋଧ ଭଳି ପରିସ୍ଥିତିର ସମ୍ମୁଖୀନ । ନିକଟରେ ଆଇକୁ୍ୟଏୟାର ରିପୋର୍ଟ ପୁଣି ଥରେ ବାହୁ ପ୍ରଦୁଷଣ ନେଇ ସାଂଘାତିକ ତଥ୍ୟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର କେବଳ ୧୩ଟି ସହର ରହିଛି । କେବଳ ଏତିକି ନୁହେଁ, ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରଦୁଷିତ ସହର ତାଲିକାରେ ଶୀର୍ଷରେ ରହିଥିବାବେଳେ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସର୍ବାଧିକ ପ୍ରଦୂଷିତ ସହର ହୋଇ ରହିଛି । ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ବାୟୁର ମାନ କୌଣସି ପରିବର୍ତ୍ତନ ଘଟିନାହିଁ ଯାହାକି ଅତ୍ୟନ୍ତ ସାଂଘାତିକ ତଥା ଗମ୍ଭୀର ସ୍ଥିତି ବୋଲି ରିପୋର୍ଟ କହିଛି । ଏହା ନିଃସନେ୍ଦହ ଯେ, ବାୟୁ ପ୍ରଦୂଷଣ ଏବେ ସହରାଞ୍ଚଳରେ ଘାତକ ରୂପ ନେଇଛି ଓ ମଣିଷ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦର କାରଣ ହୋଇଛି । ବିଶ୍ୱ ଏୟାର କ୍ୱାଲିଟି ବା ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ସ୍ପଷ୍ଟ କରିଛି ଯେ, ପ୍ରଦୂଷିତ ବାୟୁ ଯୋଗୁଁ ଲୋକଙ୍କ ଆୟୁ ପାଂଚ ବର୍ଷ ହ୍ରାସ ପାଇଛି । ତେବେ ଏଭଳି ସଂକଟ ଦ୍ରୃତ ଶିଳ୍ପାୟନ, କଳକାରଖାନାରୁ ନିର୍ଗତ ଧୂଅାଁ, ଯାନବାହନ ସଂଖ୍ୟା ବୃଦ୍ଧି, ଦ୍ରୃତ ନିର୍ମାଣ କାର୍ଯ୍ୟରୁ ସୃଷ୍ଟି ଧୂଳି ଏବଂ ଋତୁଭିତ୍ତିକ ଶସ୍ୟର ଫସଲର ଅବଶିଷ୍ଟାଂଶ ପୋଡି ହେଉଥିବା କୁହାଯାଏ । ଦେଶରେ ବାୟୁର ମାନ ପିଏମ ୨୫ରୁ ହ୍ରାସ କରିବା ପାଇଁ ନୀତି ନିର୍ଦ୍ଧାରକମାନେ ପ୍ରୟାସ ଜାରି ରଖିଥିବା ବେଳେ ଦେଶର ପ୍ରାୟ ୩୫ ପ୍ରତିଶତ ସହରରେ ବାୟୁପ୍ରଦୂଷଣର ମାତ୍ରା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ (ହୁ)ର ନିର୍ଦ୍ଧାରିତ ଗୁଣବତ୍ତା ମାନ ତୁଳନାରେ ଦଶଗୁଣ ଅଧିକ ପ୍ରଦୂଷିତ ବୋଲି ରିପୋର୍ଟରେ କୁହାଯାଇଛି । ଇତିମଧ୍ୟରେ ଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଅର୍ଥନୀତିରେ ଏହାର ପ୍ରଭାବ ଯେପରି ବଢିଚାଲିଛି, ତାହା ମଧ୍ୟ ଅତ୍ୟନ୍ତ ଉଦ୍ବେଗଜନକ । ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି ଯେ, ଦେଶରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ହୃଦଘାତ ଜନିତ ମୃତୁ୍ୟସଂଖ୍ୟା ବୃଦ୍ଧି ପାଇଥିବାବେଳେ ହୃଦଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଶୀତ ଦିନରେ ଘରୁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଥିବା ସମୟରେ ପକେଟରେ କ୍ଷୁଦ୍ର ଅମ୍ଳଜାନ ସିଲିଣ୍ଡର ରଖିବାକୁ ଲୋକେ ବାଧ୍ୟ ହେଉଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାୟୁ ପ୍ରଦୂଷଣ ପାଇଁ ସରକାର କୌଣସି ବଳିଷ୍ଠ ବା କଠୋର ପଦକ୍ଷେପ କିମ୍ବା ଆଇନ ପ୍ରଣୟନ କରିବା ପ୍ରତି ବିମୁଖ ଥିବା କୁହାଯାଇପାରେ । ଆହୁରି ମଧ୍ୟ ରାଜନୈତିିକ ଦଳଗୁଡିକ ବାୟୁ ପ୍ରଦୂଷଣକୁ ନେଇ ନିଜ ନିଜ ମଧ୍ୟରେ କେବଳ ଆରୋପ-ପ୍ରତ୍ୟାରୋପରେ ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରାଯାଏ । ବାୟୁ ପ୍ରଦୂଷଣ ଦେଶରେ ଏବେ ଏକ ଜାତୀୟ ସଂକଟ ଭାବେ ଉଭା ହୋଇଛି । ଏହାର ମୁକାବିଲା ପାଇଁ ଦୀର୍ଘ ମିଆଦୀ ଭିତ୍ତିକ ଯୋଜନା, ନୀତି ଆବଶ୍ୟକ । ସେହିପରି ବାୟୁର ଗୁଣବତ୍ତା ବଜାୟ ରଖିବା ପାଇଁ କଠୋର ଆଇନ ମଧ୍ୟ ଜରୁରି । ଆମେ ଭୁଲିଯିବା ଉଚିତ ନୁହେଁ ଯେ, ବାୟୁ ହେଉଛି ଜୀବନ । ଶୁଦ୍ଧ ବାୟୁ ବିନା ମାନବ ସମାଜ ତଥା ଜୀବଜଗତ କ୍ଷଣେ ତିଷ୍ଠି ପାରବି ନାହିଁ । ବେଳ ହୁଁ ସଜାଗ, ସତର୍କ, ସଚେତନ ନହେଲେ ବିନାଶ ହିଁ ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି
ମୋ:୭୯୭୮୬୬୬୪୦୩