କେସିଙ୍ଗାରେ ମାଆ ପାଇଁ ଗଛଟିଏ ସଚେତନତା ଅଭିଯାନ 

 କଳାହାଣ୍ଡି : ଭାରତ ସରକାରଙ୍କ ସୂଚନା  ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବୁ୍ୟରୋ, ଭବାନୀପାଟଣା ପକ୍ଷରୁ ‘ଜାତୀୟ ପୋଷଣ ମାସ-୨୦୨୫’ ଏବଂ ‘ମା’ଙ୍କ ପାଇଁ ଗଛଟିଏ ୨.୦’ ବିଷୟବସ୍ତୁ ଉପରେ ଏକ କର୍ମଶାଳା କେସିଙ୍ଗା ବ୍ଲକ ଶୋଭାଗୃହଠାରେ ଆୟୋଜିତ ହୋଇଛି । ଏହି କର୍ମଶାଳାର ଉଦ୍ଘାଟନ କ୍ଷେତ୍ର ଅଧିକାରୀ ଖଗେଶ ବାଇପାଇଙ୍କ ସଭାପତିତ୍ୱରେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ହୋଇଥିଲା । କାର୍ଯ୍ୟକ୍ରମରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଷମା କୁମାରୀ ମିଶ୍ର, ପଶ୍ଚିକୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡା. କୁଞ୍ଜବିହାରୀ ସାହୁ, କାଉନ୍ସେଲର ସରିତା ଝୁମା, ନୂଆପଡା ଡାକ୍ତରଖାନାର ପୂର୍ବତନ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋରେ ଚନ୍ଦ୍ର ପଟେଲ ଓ ବିଷ୍ଣୁ ଚରଣ ସାହୁ ଅତିଥି ବକ୍ତା ହିସାବରେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ଅଂଶଗ୍ରହଣକାରୀମାନଙ୍କ ସହିତ ଏକ ସଚେତନତା ପଦଯାତ୍ରା ସହର ପରିକ୍ରମା କରିଥିଲା । ଏହି ପଦଯାତ୍ରାକୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ କାର୍ଯ୍ୟକ୍ରମ ପୂର୍ବଦିନ ମହିଳାମାନଙ୍କୁ ନେଇ ବ୍ଲକ ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର  ପ୍ରମୁଖ ଯୋଗଦେଇଥିଲେ ।