ବିନ୍ଦୁସାଗର ହ୍ରଦ ଚତୁଃପାର୍ଶ୍ୱ ହେବ ସୌନ୍ଦର୍ଯ୍ୟକରଣ

ବିନ୍ଦୁସାଗର ହ୍ରଦ ଚତୁଃପାର୍ଶ୍ୱ ହେବ ସୌନ୍ଦର୍ଯ୍ୟକରଣ

ଏକାମ୍ର ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କଲେ ବିଏମ୍‌ସି କମିଶନର

ଭୁବନେଶ୍ୱର : ମହାନଗର ନିଗମ (ବିଏମ୍‌ସି)ର କମିଶନର ତଥା ଏକାମ୍ର ପ୍ରକଳ୍ପକୁ  ଆଗେଇ ନେବାପାଇଁ ବିଏମ୍‌ସି ନୋଡାଲ ଏଜେନ୍ସି ଭାବେ ରହିଥିବା ବେଳେ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକାମ୍ର ପ୍ରକଳ୍ପ ଅଗ୍ରଗତି ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍‌ ସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପାର୍କିଂ, ରାସ୍ତାଘାଟ, ଷ୍ଟ୍ରିଟ୍‌ ଲାଇଟ୍‌, ଜମି ଅଧିଗ୍ରହଣ ଏବଂ ପ୍ରକଳ୍ପର ଅନ୍ୟାନ୍ୟ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଏମ୍‌ସିର ଅତିରିକ୍ତ କମିଶନର, ଭୁବନେଶ୍ୱର ଉପଜିଲ୍ଲାପାଳ, ଓବିସିସି ମୁଖ୍ୟଯନ୍ତ୍ରୀ ଓ ସାଧାରଣ ପରିଚାଳକ, ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଏସ୍‌ଆଇର ପ୍ରତିନିଧି, ବିଏମ୍‌ସିର ଭୂ-ଅଧିକାରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । ୧୧ ଶହ ଶତାବ୍ଦୀର ଐତିହାସିକ ଲିଙ୍ଗରାଜ ମନ୍ଦିରର ଆଖପାଖ ଅଞ୍ଚଳକୁ ପୁନଃଜୀବିତ କରିବା ସହ ଏକାମ୍ର କ୍ଷେତ୍ରର ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ବଦ୍ଧଭାବେ କରିବା ଏବଂ ଭୁବନେଶ୍ୱର ଐତିହ୍ୟର ସଂରକ୍ଷଣ ଓ ସହରାଞ୍ଚଳ ବିକାଶ ପାଇଁ ପଦେକ୍ଷେପ ନେବା ହେଉଛି ଏହି ପ୍ରକଳ୍ପର ଉଦେଶ୍ୟ । ଚାରୁଖଚିତ ସ୍ଥାପତ୍ୟ ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ତୀର୍ଥଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା, ଏକାମ୍ର ପରିସରରେ ସୁନିୟନ୍ତ୍ରିତ ଟ୍ରାଫିକ ବ୍ୟବସ୍ଥା କରିବା, ପୁରାତନ ମନ୍ଦିର ଏବଂ ଜଳାଶୟଗୁଡିକର ପୁନରୁଦ୍ଧାର, ପାଦଚଲା ରାସ୍ତାର ବିକାଶ, ପାର୍କିଂ ଓ ସମାବେଶ ସ୍ଥଳ ସୃଷ୍ଟି କରିବା ଏବଂ ଏହି ଅଂଚଳକୁ ୟୁନିସ୍କରେ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଁ ସ୍ଥାନିତ କରିବା ।

ପବିତ୍ର ବିନ୍ଦୁ ସାଗର ହ୍ରଦ ଚାରିପାଖରେ ଉତ୍ସର୍ଗୀକୃତ ପାଦଚଲା ରାସ୍ତାର ବିକାଶ କରିବା ସର୍ବୋପରି ମନ୍ଦିର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି କରିବା । କେବଳ ସେତିକି ନୁହେଁ, ମନ୍ଦିର ପରିସର ସହିତ ଜଡିତ ଜୀବନ୍ତ ପରମ୍ପରା ଓ ସାଂସ୍କୃତିକ ଅଭ୍ୟାସକୁ ବୃଦ୍ଧି କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ । ସଂପ୍ରତି ପ୍ରାୟ ୭ ଏକର ଘରୋଇ ଜମି ଅଧିଗ୍ରହଣ ସହ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଜମି ଅଧିଗ୍ରହଣ ପାଇଁ ବିଏମ୍‌ସି ଖୁବ୍‌ ଶୀଘ୍ର ଓବିସିସି ସହିତ ଆଲୋଚନା କରିବା ପରେ ଏ ସଂପର୍କିତ ଯୋଜନାର ରୂପରେଖ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ସଂପୃକ୍ତ ଅଞ୍ଚଳରେ ସ୍ୱରେଜ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ୱାଟକୋକୁ ନିର୍ଦ୍ଧେଶ ଦିଆଯାଇଛି । ଲିଙ୍ଗରାଜ ମହାପ୍ରଭୁଙ୍କର ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ଏବେଠାରୁ ତ୍ୱରାନ୍ୱିତ କରିବା ପାଇଁ କଡାକଡି ନିର୍ଦ୍ଧେଶ ଦିଆଯାଇଛି ।