ହବିଷ୍ୟାଳିଙ୍କ ପାଇଁ ହେବ ଡିଜିଟାଲ୍ ପଞ୍ଜୀକରଣ

- ଏବର୍ଷ ୩.୩୦ କୋଟି ଟଙ୍କା ବ୍ୟବସ୍ଥା
- ପୁରୀ ହେବ ବିଶ୍ୱସ୍ତରୀୟ ଧାର୍ମିକ ସହର : ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀ ଠାରେ କାର୍ତ୍ତିକ ହବିଷ୍ୟାଳି ବ୍ରତ ୨୦୨୫ ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପସ୍ଥିତ ରହି ହବିଷ୍ୟାଳି ମା’ମାନଙ୍କ ସହ ମିଶିଥିଲେ ଏବଂ ଏହି ଅବସରରେ ସେ କହିଥିଲେ ଯେ ହବିଷିଆଳୀ ମା’ମାନଙ୍କ ଭକ୍ତି ହେଉଛି ଓଡ଼ିଶାର ନୈତିକ ଶକ୍ତି ଓ ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ଜୀବନ୍ତ ପ୍ରତୀକ ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, କାର୍ତ୍ତିକ ମାସ ହେଉଛି ଆତ୍ମସଂଯମ, କରୁଣା ଓ ଭକ୍ତିର ମାସ । ଓଡ଼ିଆ ମା’ମାନେ ଶତାବ୍ଦୀ ଧରି ହବିଷ ପାଳନ କରି ଆସୁଛନ୍ତି ଓ ଏହି ପାରମ୍ପରିକତା ଓଡ଼ିଶାର ନୈତିକ ଶକ୍ତିକୁ ପ୍ରତିନିଧିତ୍ୱ କରେ । ଆଗାମୀ ବର୍ଷରୁ ହବିଷିଆଳୀ ମା’ମାନଙ୍କ ପାଇଁ ସମର୍ପିତ ଡିଜିଟାଲ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ । ଯେଉଁଥିରେ ଚିକିତ୍ସା ଓ ଜରୁରୀ ସେବା ଉପଲବ୍ଧ ହେବବୋଲି ସେ ଘୋଷଣା କରିଥିଲେ । ଏହି ଅବସରରେ ଉଲ୍ଲେଖ କରିଥିଲେଯେ, ପୁରୀ କେବଳ ଏକ ଧର୍ମୀୟ ସ୍ଥାନ ନୁହେଁ । ଏହା ଓଡ଼ିଆ ଭକ୍ତି ଓ ଆସ୍ଥାର ପ୍ରତୀକ । ସରକାର ପୁରୀକୁ ବିଶ୍ୱସ୍ତରୀୟ ଧାର୍ମିକ ସହର ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ସହରକୁ ମହାନଗର ନିଗମ ଭାବେ ଘୋଷଣା ତାହାର ପ୍ରଥମ ପଦକ୍ଷେପ ।
ଚଳିତ ବର୍ଷ ପ୍ରାୟ ଅଢେ଼ଇ ହଜାର ହବିଷିଆଳୀ ମା’ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ୫ଟି ନିର୍ଦ୍ଧାରିତ ସ୍ଥଳରେ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପେ୍ଳକ୍ସ, ରେଲୱେ କଲ୍ୟାଣ ମଣ୍ଡପ ଓ ମୋଚିସାହି କଲ୍ୟାଣ ମଣ୍ଡପ ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ସରକାର ପକ୍ଷରୁ ପ୍ରାୟ ୩ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୁରୀ ସଦର ବିଧାୟକ ସୁନିଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।