ନବରାତ୍ରୀ ପୂଜାକୁ ନେଇ ଚଳଚଞ୍ଚଳ ଶକ୍ତିପୀଠ 

 ସମ୍ବଲପୁର  : ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀରେ ଶାରଦୀୟ ନବରାତ୍ର ପୂଜାବିଧି ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ଶକ୍ତିପୀଠ ଓ ଗ୍ରାମଦେବୀ ମନ୍ଦିରମାନଙ୍କରେ ବିଶେଷ ଆୟୋଜନ କରାଯାଇଛି । ମନ୍ଦିରମାନଙ୍କୁ ରଙ୍ଗୀନ ଆଲେକମାଳାରେ ସଜ୍ଜିତ କରାଯାଇଛି । ଆସନ୍ତା ମାସ ୨ ତାରିଖ ଦଶହରା ଦଶମୀ ତିଥି ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ଚାଲିବ । ଏହି ସମୟରେ ତିଥି ଅନୁଯାୟୀ କରୁଣାମୟୀ ଜଗତ୍ଜନନୀଙ୍କୁ ୯ ରୂପରେ ଆବାହନ କରାଯିବ ।  ଶ୍ରୀ ଶ୍ରୀ ସମଲେଶ୍ୱରୀ, ପାଟଣେଶ୍ୱରୀ, ଦଲେଇପଡ଼ା ଓ ଅଇଁଠାପାଲିର ବାଟମଙ୍ଗଳା, କ୍ଷେତରାଜପୁର ବୈଷ୍ଣୋଦେବୀ, ରେମେଡ଼, ଶକ୍ତିସଂଘ ଛକର ଭୁବନେଶ୍ୱରୀ, ଫାଟକର ମହାମାୟା, ବଡ଼ରମାର ବନଦୁର୍ଗା, ମାନେଶ୍ୱରର ପଥଦୁର୍ଗା, ସାକ୍ଷୀପଡ଼ା ଓ ଦଲେଇପଡ଼ାର ସମଲେଇ, ଦୁର୍ଗାପାଲି ଓ ଗୋପାଲପାଲିର ବନଦୁର୍ଗା, ବଇଦାର ନୂଆଁପାଲିର କାମାକ୍ଷା, ବାଲିବନ୍ଧାର ବୁଢ଼ୀମାଁ, ଗେଇଟି ରୋଡ଼ର ଭୁବନେଶ୍ୱରୀ, ଖଣ୍ଡୁଆଳର ଲିମ୍ବସରିଏନ୍ ପ୍ରଭୃତି ଦେବୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖ କଳ୍ପାରମ୍ଭ ଓ ୨୭ ତାରିଖ ଷଷ୍ଠ ନୀତି ଓ ୨ ତାରିଖ ପୀଠେ ମହାସପ୍ତମୀ ଓ ତ୍ରିଦିନାତ୍ମକ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ । ୨୯ତାରିଖ ମହାଷ୍ଟମୀ ପୂଜା, ଭାଇଜିଉଁନ୍ତିଆ, ମା’ ସମଲେଶ୍ୱରୀଙ୍କ ଖଣ୍ଡାଧୁଆ ନୀତି, ୩୦ ତାରିଖ ମହାନବମୀ, ଆସନ୍ତା ମାସ ୧ ତାରିଖ ପୀଠେ ବିଶ୍ରାମ ଓ ୨ ତାରିଖ ରଣଜିତା ଉତ୍ସବ ପାଳନ କରାଯିବ । ମହାଷ୍ଟମୀ ତିଥିରେ ପାଟଣେଶ୍ୱରୀ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଆସନ୍ତା ମାସ ୬ ତାରିଖ ବୁଧବାର କୁମାର ପୂର୍ଣ୍ଣିମା ଅବସରରେ ମା' ସମଲେଶ୍ୱରୀ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ । ଏହି ଦିନ ବିଭିନ୍ନ ଦେବୀ ମନ୍ଦିରରେ ନୂଆଁ ଧ୍ୱଜା ଲାଗି କରାଯିବ ।