ଦିଲ୍ଲୀ ପୁଲିସର ବିସ୍ଫୋରକ ବୟାନ : ଶାସନ ପରିବର୍ତ୍ତନ ପାଇଁ ୨୦୨୦ ଦଙ୍ଗା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଜି ବିସ୍ଫୋରକ ବୟାନ ଦେଇଛି ଦିଲ୍ଲୀ ପୁଲିସ । ୨୦୨୦ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ଉମର ଖଲିଦ, ଶାର୍ଜିଲ ଇମାମ, ମୀରାନ ହାଇଦର, ଗୁଲଫିଶା ଫାତିମା ଏବଂ ଅନ୍ୟମାନଙ୍କ ଜାମିନ ଆବେଦନକୁ ବିରୋଧ କରି ଦିଲ୍ଲୀ ପୁଲିସ ସୁପ୍ରିମକୋର୍ଟରେ ଏହାର ସତ୍ୟପାଠ ଦାଖଲ କରିଛି । ପୁଲିସ ଦାବି କରିଛି ଯେ ଏହି ହିଂସା ଭାରତକୁ ଅସ୍ଥିର କରିବା ଓ ବିଶ୍ୱ ସ୍ତରରେ ବଦନାମ କରିବା ପାଇଁ ଏକ ଯୋଜନାବଦ୍ଧ "ଶାସନ ପରିବର୍ତ୍ତନ ଅଭିଯାନ’ର ଅଂଶ ଥିଲା । ଇଣ୍ଡିଆ ଟୁଡେ ଦ୍ୱାରା ପ୍ରାପ୍ତ ଏହି ସତ୍ୟପାଠ, ୨୦୨୦ ହିଂସା ସହିତ ଜଡିତ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ମାମଲାରେ ସେମାନଙ୍କୁ ଆଶ୍ୱସ୍ତି ନ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଜାମିନ ଆବେଦନ ଉପରେ ଦିଲ୍ଲୀ ପୁଲିସର ମତାମତ ପାଇଁ ସୁପ୍ରିମକୋର୍ଟଙ୍କ ସେପ୍ଟେମ୍ବର ୨୨ ନୋଟିସର ଜବାବରେ ଦାଖଲ କରାଯାଇଛି ।
ପୁଲିସ କହିଛି ଯେ, ସେମାନେ ସାକ୍ଷୀଙ୍କ ବୟାନ, ଡକ୍ୟୁମେଣ୍ଟ ଓ ଅଭିଯୁକ୍ତଙ୍କୁ "ସାମ୍ପ୍ରଦାୟିକ ଆଧାରରେ ଗଢ଼ି ତୋଳିଥିବା ଗଭୀର ଷଡ଼ଯନ୍ତ୍ର’ ସହିତ ଜଡିତ କରୁଥିବା ବୈଷୟିକ ପ୍ରମାଣ ସଂଗ୍ରହ କରିଛନ୍ତି । ଏଥିରେ ଥିବା ବାର୍ତ୍ତା, ସ୍ୱର ଏବଂ ସନ୍ଦର୍ଭ ଆକସ୍ମିକ ନୁହେଁ ବରଂ ଜାଣିଶୁଣି କରାଯାଇଥିଲା, ଯାହା ପ୍ରସ୍ତାବିତ ନାଗରିକତ୍ୱ (ସଂଶୋଧନ) ଆଇନ ଅଧୀନରେ ମୁସଲିମ ସମ୍ପ୍ରଦାୟର ଜାତିଗତ ସଫା କିମ୍ବା ଗଣହତ୍ୟାର ଏକ ବିଶ୍ୱବ୍ୟାପୀ କାହାଣୀ ସ୍ଥାପନ କରି ଦେଶକୁ ଅସ୍ଥିର କରିବାର ଏକ ପ୍ରମୁଖ ଲକ୍ଷ୍ୟକୁ ପ୍ରତିଫଳିତ କରେ ବୋଲି ଶପଥପତ୍ରରେ କୁହାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ତାଙ୍କ ଭାରତ ଗସ୍ତ ସହିତ ଏହି ହିଂସା ଘଟିଥିଲା, ଯାହା ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବା ଓ ଦେଶକୁ ନକାରାତ୍ମକ ଭାବରେ ଚିତ୍ରଣ କରିବା ପାଇଁ ରଚା ଯାଇଥିଲା ।
ପୁଲିସର କହିବା ଅନୁଯାୟୀ, ଏହି ଷଡ଼ଯନ୍ତ୍ର ଯୋଗୁଁ କେବଳ ଦିଲ୍ଲୀରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିଲା । ବହୁ ସମ୍ପତ୍ତିର ବ୍ୟାପକ ଧ୍ୱଂସ ଓ ୭୫୦ ରୁ ଅଧିକ ଏଫଆଇଆର ପଞ୍ଜିକରଣ ହୋଇଥିଲା । ରେକର୍ଡରେ ଥିବା ସାମଗ୍ରୀଗୁଡ଼ିକ ସମଗ୍ର ଭାରତରେ ଅଶାନ୍ତିର ପୁନରାବୃତ୍ତି କରିବାର ପ୍ରୟାସ ସୂଚାଇଥାଏ । ଯାହା ଏକ ବ୍ୟାପକ ସର୍ବଭାରତୀୟ ଆନ୍ଦୋଳନ ଯୋଜନାକୁ ସୂଚିତ କରେ । ତେଣୁ ଦେଶ ବିରୋଧରେ ଏପରି ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଅଭିଯୁକ୍ତଙ୍କୁ ବେଲ ନୁହେଁ, ଜେଲ ଦଣ୍ଡ ଦିଆଯାଉ ବୋଲି ନିବେଦନ କରାଯାଇଛି ।