ଦୁର୍ଘଟଣାର ସମ୍ମୁଖୀନ
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ସଂସାର ହେଉଛି ଦୁଃଖାଳୟ । ଜୀବନ କାଳ ମଧ୍ୟରେ ବହୁ ଦୁଃଖ ଆସିଥାଏ । ସେହିସବୁ ଦୁଃଖକୁ ଅତିକ୍ରମ କରିପାରିଲେ ଜୀବନଯାତ୍ରା ସଫଳ ହୁଏ । ପୂଜ୍ୟ ଗୁରୁଦେବ ଦୁଃଖକୁ ସହନ ଓ ଅତିକ୍ରମ କରିବାର ଶକ୍ତି ପ୍ରଦାନ କରିଥାନ୍ତି । ମୋ ଜୀବନରେ ସେହିପରି ଏକ ଦୁଃଖଦ ଘଟଣା ଯୋ÷ବନ କାଳରେ ଘଟିଥିଲା । ଅବଶ୍ୟ ଏହାର ସୂଚନା ମୋ ଜାତକ ତିଆରି କରିଥିବା ଚୈତନ୍ୟ ନାୟକ ବାପା ମାଆଙ୍କୁ ସୂଚନା ଦେଇଥିଲେ । ବାପ ମାଆ ମୋତେ ଏହି କଥା କହିନଥିଲେ । ଚୈତନ୍ୟ ନାୟକ କହିଥିଲେ ଯେ ୧୯୭୩ ମସିହାରେ ଗୋଟିଏ ଦୁର୍ଘଟଣା ଘଟିବ, ଯଦ୍ୱାରା ମୋର ଶରୀରରେ କ୍ଷତିର ସୂଚନା ମିଳୁଛି ଏବଂ ଏହି ଦୁର୍ଘଟଣାରେ ମୋ ଜୀବନହାନି ଘଟିବ ନାହିଁ । ତାଙ୍କ ଗଣନା ଉପରେ ଦୃଢ ବିଶ୍ୱାସ ରଖିଥିବା ବାପ ମାଆ ପ୍ରତିକାରର ବ୍ୟବସ୍ଥା ମଧ୍ୟ ପଚାରିଥିଲେ । ପ୍ରତିକାର ସ୍ୱରୂପ ପ୍ରତ୍ୟହ ମହା ମୃତୁ୍ୟଞ୍ଜୟ ମନ୍ତ୍ର ୧୦୮ ଥର ଏକାଗ୍ରତାର ସହ ଜପ କରିବାକୁ ଚୈତନ୍ୟ କହିଥିଲେ ଏବଂ ବାପା ମାଆଙ୍କୁ ଆଶ୍ୱାସନା ଦେଇଥିଲେ ଯେ ମୋ ଲଗ୍ନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭବିଷ୍ୟତ ଉଜ୍ଜ୍ୱଳମୟ । ବାପା ମାଆ ଚୈତନ୍ୟଙ୍କ ଗଣନା ମୋତେ ନକହି ପ୍ରତ୍ୟହ ମହାମୃତୁ୍ୟଞ୍ଜୟ ମନ୍ତ୍ର ଜପ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ମୁଁ ବାଲ୍ୟକାଳର ଆମ ଗାଁ ଶ୍ରୀ ବାଲୁଙ୍କେଶ୍ୱର ଓ କପିଳାସର ଶ୍ରୀ ଚନ୍ଦ୍ରଶେଖରଙ୍କ ଭକ୍ତ । ତେଣୁ ପ୍ରତ୍ୟେହ ମହାମୃତୁ୍ୟଞ୍ଜୟ ମନ୍ତ୍ର ଜପରୁ ମୁଁ ଅପାର ଆନନ୍ଦ ଲାଭ କରୁଥିଲେ । ୧୯୭୩ରେ ଦୁର୍ଘଟଣା ଘଟିବା ପୂର୍ବରୁ ୧୯୭୨ରେ ବାପା ମୋର ବିବାହ କରି ଦେଇଥିଲେ ।
୧୯୭୩ ମେ ମାସର ଏକ ସନ୍ଧ୍ୟାରେ ମୁଁ ଭୁବନେଶ୍ୱର ବାଣୀବିହାରରୁ ଢେଙ୍କାନାଳ ସ୍କୁଟରରେ ଫେରୁଥିଲି । ବାଣୀବିହାର ଛାଡିଲା ବେଳକୁ ପ୍ରାୟ ସନ୍ଧ୍ୟା ୭ଟା ହୋଇଯାଇଥିଲା । ନିର୍ଗୁଣ୍ଡି ଠାରୁ ଜାତୀୟ ରାଜପଥ ଛାଡି ଚୋ÷ଦ୍ୱାର ରାସ୍ତାରେ ଆସିଲି । ନିର୍ଗୁଣ୍ଡି ଓ ଚୋ÷ଦ୍ୱାର ମଝିରେ ସ୍କୁଟର ଲାଇଟି ଲିଭିଗଲା ଓ ଡିପର ମଧ୍ୟ ଜଳିଲା ନାହିଁ । ସେତେବେଳକୁ ରାତି ୮ଟା ଉପରେ । ଅନ୍ଧାରରେ ଗୋଟିଏ ଛୋଟ ପୋଲରେ ସ୍କୁଟର ଧକ୍କା ହୋଇ ବିଲ ଭିତରେ ମୁଁ ସ୍କୁଟର ସହ ପଡିଗଲି । ହଠାତ୍ ଏକ ଉଜ୍ଜ୍ୱଳ ଜ୍ୟୋତି ମୋ ସମ୍ମୁଖରେ ଉଦ୍ଭାସିତ ହେଲା । ମୁଁ ଉଠି ସ୍କୁଟରକୁ ଉଠାଇଲି ଏବଂ ରାସ୍ତା ଉପରକୁ ଆସିଲି । ତାପରେ ସ୍କୁଟର ଗଡାଇ ଗଡାଇ ଚୋ÷ଦ୍ୱାର ବଜାରପର୍ଯ୍ୟନ୍ତ ଆସିଲି । ସେତେବେଳେ ଚୋ÷ଦ୍ୱାର ବଜାରରେ ଅଳ୍ପ କେତୋଟି ଦୋକାନ ଥାଏ । ଗୋଟିଏ କ୍ଲିନିକ୍ ଥିଲା । ସେଠାରେ ଆଲୋକରେ ଦେଖିଲି ମୋ ପ୍ୟାଣ୍ଟ ଚିରିଯାଇ ସାମାନ୍ୟ ଖଣ୍ଡିଆ ହୋଇଛି ଓ ଅଣ୍ଟାଟା ଦରଜ ଲାଗୁଛି । କିଛି ସମୟ ବିଶ୍ରାମ ନେବା ପରେ ସ୍କୁଟର ଚଳାଇ ଢେଙ୍କାନାଳ ଆସିଲି । ପ୍ରାୟ ରାତି ୧୧ଟାରେ ଢେଙ୍କାନାଳରେ ପହଞ୍ଚôଲି । ମୋ ସ୍ତ୍ରୀ ଏକୁଟିଆ ଘରେ ଥିଲେ । ସ୍କୁଟରଟି ଦାଣ୍ଡରେ ଚାବି ଦେଇ ଘରକୁ ପଶିଗଲି । ଠିକ୍ ଭାବରେ ଚାଲି ପାରୁନଥାଏ । କ୍ଷତ ସ୍ଥାନରେ ସ୍ତ୍ରୀ ଔଷଧ ମାରିଦେଲେ । ରାତି ସାରା ଅସହ୍ୟ ଯନ୍ତ୍ରଣା ହେଲା । ସକାଳୁ କୋଚିଳଖାଇ ତେଲ ବଜାରରୁ ମଗାଇ ଅଣ୍ଟାରେ ମାଲିସ କରାଗଲା । ଦୁଇଦିନ ମାଲିସ୍ କଲାପରେ ସାମାନ୍ୟ ଉପଶମ ଲାଗିଲା । କିନ୍ତୁ ଅଣ୍ଟା ବିନ୍ଧୁଥାଏ । ପନ୍ଦର ଦିନ ଏହିପରି ଗଲାପରେ ଅଣ୍ଟାରେ ମହା ମହାମାସ ତୈଳ ମାଲିସ କଲି । କିଛିଦିନ ମାଲିସ୍ କଲାପରେ ଜଣଙ୍କ ପରାମର୍ଶରେ ଢେଙ୍କାନାଳ ଷ୍ଟେସନ ନିକଟ କାଳୀ ପଡିଆରେ ହୁଥିବା ହୋମିଓପାଥିକ୍ ଡାକ୍ତର ବି.କେ. ପାଣ୍ଡେ ଆଜାଦ୍ଙ୍କ ନିକଟକୁ ଗଲି । ସେ ଦେଇଥିବା ହୋମିଓପାଥିକ ଔଷଧ କିଛିଦିନ ସେବନ କଲା ପରେ ଭଲ ଲାଗିଲା । ସ୍କୁଟର ଆଉ ଚଳାଇଲି ନାହିଁ । ପାଣ୍ଡେ ବାବୁଙ୍କ ପରାମର୍ଶ କ୍ରମେ ସାଇକେଲରେ କାର୍ଯ୍ୟାଳୟ ଓ ବଜାରକୁ ଗଲି । ଦୁଇବର୍ଷ ପରେ ପୁନର୍ବାର ଅଣ୍ଟାବିନ୍ଧା ଆରମ୍ଭ ହେଲା । ପାଣ୍ଡେ ବାବୁ ଯେତେ ହୋମିଓପାଥିକ୍ ଔଷଧ ଦେଲେ ତାହା କାମ ଦେଲା ନାହିଁ । ସେତେବେଳେ ହରେକୃଷ୍ଣ ଶତପଥୀ ଢେଙ୍କାନାଳ କଲେଜରେ ସଂସ୍କୃତ ଅଧ୍ୟାପକ ଥିଲେ । ସେ ଆୟୁର୍ବେଦ ଚିକିତ୍ସା କରୁଥିଲେ । ତାଙ୍କ ପରାମର୍ଶ କ୍ରମେ ରାସନା ପାଚନ ଦୁଇବେଳା ସେବନ କଲି ଓ ମହାନାରାୟଣୀ ତେଲ ଅଣ୍ଟାରେ ମାଲିସ କଲି । କିଛିଦିନ ମାଲିସ କଲା ପରେ ଭଲ ଲାଗିଲା । ଏହିପରି ଭାବରେ ଆୟୁର୍ବେଦ ଚିକିତ୍ସାରେ କିଛି ବର୍ଷ ରହିଲି । ରୋଗ ସଂପୂର୍ଣ୍ଣ ଆରୋଗ୍ୟ ହେଲା ନାହିଁ ।
୧୯୮୮ ସେପ୍ଟେମ୍ବର ମାସ ଠାରୁ ଅଣ୍ଟା ଠାରୁ ଡାହାଣ ପାଦ ପର୍ଯ୍ୟନ୍ତ ସକ୍ ଲାଗିଲା । ଯନ୍ତ୍ରଣାରେ ମୁଁ ରାତି ଶୋଇପାରିଲି ନାହିଁ । ଯେତେ ତୈଳ ମାଲିସ କଲେ ମଧ୍ୟ ତାହା ଉପଶମ ହେଲା ନାହିଁ । ମୁଁ ଶଯ୍ୟାଶାୟୀ ହୋଇପଡିଲି । ଢେଙ୍କାନାଳର ବହୁ ଲୋକ ଓ ବନ୍ଧୁବାନ୍ଧବ ମୋତେ ଦେଖି ଆସିଲେ । ଏହି ସମୟରେ ମୋ ଗୁରୁଭଉଣୀ ଡାକ୍ତର ପ୍ରଭାତ କୁମାରୀ ମହାପାତ୍ର ମୋତେ ଦେଖିବାକୁ ଆସିଲେ ଏବଂ ଏହା ମେରୁଦଣ୍ଡ ଆଘାତ ଜନିତ ରୋଗ ବୋଲି କହିଲେ ତଥା କଟକ ଯାଇ ତୁରନ୍ତ ପ୍ରଫେସର ରବୀନ୍ଦ୍ର ନାଥ ସାହୁଙ୍କୁ ଦେଖାଇବାକୁ ପରାମର୍ଶ ଦେଲେ । ସେତେବେଳେ ମୋର ଶିଷ୍ୟ ଡାକ୍ତର ରୁଦ୍ରନାରାୟଣ ନାୟକ ପିଙ୍ଗୁଆରେ ଡାକ୍ତର ଥିଲା । ସେ ମୋତେ କାର୍ରେ କଟକ ନେଲା । ମୋର ଅନ୍ୟ ଦୁଇଜଣ ଶିଷ୍ୟ ପ୍ରଶାନ୍ତ ଓ ଅଶୋକ ମୋ ସାଥୀରେ ଗଲେ । ମୋ ସ୍ତ୍ରୀ ମଧ୍ୟ ଯାଇଥିଲେ । ପ୍ରଫେସର ରବୀନ୍ଦ୍ର ନାଥ ସାହୁ ସେତେବେଳକୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ସ୍ନାୟୁଭେଷଜ ବିଭାଗର ପ୍ରଫେସର ଥାଆନ୍ତି । ସେ ଏକ୍ସ-ରେ କରି ଜାଣିଲେ ଯେ ମୋ ମେରୁଦଣ୍ଡର ତିନିଗୋଟି ଗ୍ରନ୍ଥି ଚାପି ହୋଇଛି । ସେ ତତ୍କ୍ଷଣାତ୍ ସ୍ନାୟୁଶଲ୍ୟ ପ୍ରଫେସର ସନାତନ ରଥଙ୍କୁ ଡକାଇଲେ । ଉଭୟ ଡାକ୍ତର ଆଲୋଚନା ପରେ ଅସ୍ତ୍ରୋପଚାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ । ସେମାନେ ସୁଇଡେନରେ ପ୍ରସ୍ତୁତ ଇଞ୍ଜେକସନ ୪୫ ଏମଏଲ ନେବାକୁ ପରାମର୍ଶ ଦେଲେ । ଠାକୁରଙ୍କ କୃପାରୁ ଇଞ୍ଜେକସନଟି ମଙ୍ଗଳାବାଗର ଇନ୍ଦ୍ରାଣୀ ମେଡିକାଲ ଷ୍ଟୋରରେ ମିଳିଲା । ଆମେ ଇଞ୍ଜେକସନଟି ଧରି ଢେଙ୍କାନାଳ ଚାଲି ଆସିଲୁ । ରୁଦ୍ର ପ୍ରତିଦିନ ରାତିରେ ସେହି ଇଞ୍ଜେକସନ ମୋତେ ଦିଏ । ମୋ ଯୋଗୁ ସେ ଛୁଟି ନେଇଗଲା । ପନ୍ଦରଦିନ ଇଞ୍ଜେକସନ ନେବା ପରେ ମୁଁ କାନ୍ଥ ଧରି ଉଠିଲି । ଆଉ ପନ୍ଦରଦିନ ଇଞ୍ଜେକସନ ନେବା ପରେ ପାଚେରୀ ଧରି ଧରି ଗେଟ୍ ପର୍ଯ୍ୟନ୍ତ ଗଲି । ତାପରେ ପନ୍ଦରଦିନ ଇଞ୍ଜେକସନ ନେବା ପରେ ଦୁଇଜଣ କାନ୍ଧରେ ହାତ ଦେଇ ଚାଲିଲି । ଏହାପରେ ଆମେ ପ୍ରଫେସରଙ୍କ ନିକଟକୁ ଗଲୁ । ସେ ଅଣ୍ଟାରେ ଏଲ.ଏସ ବେଲ୍ଟ ବାନ୍ଧିବାକୁ ପରାମର୍ଶ ଦେଲେ ଓ ଚକ ଚୋ÷କୀରେ ବସି ବୁଲାଇବାକୁ କହିଲେ । ଇତ୍ୟବସରରେ ପ୍ରଫେସର ରବୀନ୍ଦ୍ର ନାଥ ସାହୁ ଅବସର ଗ୍ରହଣ କରି ମହାନଦୀବିହାରରେ ରହୁଛନ୍ତି । ମୁଁ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ଚିକିତ୍ସାରେ ରହିଛି ।
ପୂଜ୍ୟ ଗୁରୁଦେବ ୧୯୮୧ ଡିସେମ୍ବର ୨୪ ତାରିଖରେ ଢେଙ୍କାନାଳରେ ପଦାର୍ପଣ କରିଥିଲେ । ସେତେବେଳେ ମୁଁ ସୁସ୍ଥ ଥିଲି । ଢେଙ୍କାନାଳ ଟାଉନହଲରେ ସତ୍ସଙ୍ଗର ଆୟୋଜନ ମୁଁ କରାଇଥିଲି । ପୂଜ୍ୟ ଗୁରୁଦେବ ଓ ତାଙ୍କ ସହିତ ଆସିଥିବା ଋଷିକେଶର ଅନ୍ୟାନ୍ୟ ସନ୍ଥ ଆଶୀର୍ବଚନ ପ୍ରଦାନ କଲେ ଓ ଢେଙ୍କାନାଳ ସର୍କିଟ୍ ହାଉସରେ ରାତ୍ରି ଯାପନ କରିଥିଲେ । ଡିସେମ୍ବର ୨୫ରେ ପୂଜ୍ୟ ଗୁରୁଦେବ ସକାଳୁ କପିଳାସ ଯାତ୍ରା କଲେ ଓ ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ ପରେ ତାଳଚେର ଯାତ୍ରା କଲେ । ସେଠାରେ ଅନୁଷ୍ଠିତ ଏଫସିଆଇ ଦିବ୍ୟଜୀବନ ସମ୍ମିଳନୀ ସେହିଦିନ ପୂଜ୍ୟ ଗୁରୁଦେବ ଉଦ୍ଘାଟନ କଲେ । ପୂଜ୍ୟ ଗୁରୁଦେବ ସକାଳୁ କପିଳାସ ଯାତ୍ରା କଲେ ଓ ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ ପରେ ତାଳଚେର ଯାତ୍ରା କଲେ । ସେଠାରେ ଅନୁଷ୍ଠିତ ଏଫ.ସି.ଆଇ ଦିବ୍ୟଜୀବନ ସମ୍ମିଳନୀ ସେହିଦିନ ପୂଜ୍ୟ ଗୁରୁଦେବ ଉଦଘାଟନ କଲେ । ପୁଜ୍ୟ ଗୁରୁଦେବ ମୋ ଅସୁସ୍ଥ ଅବସ୍ଥାରେ ଦ୍ୱିତୀୟ ଥର ଢେଙ୍କାନାଳ ଆସିଲେ । ଆମ ଘରେ ପଦାର୍ପଣ କରି ମୋତେ ଆଶୀର୍ବାଦ କଲେ ଏବଂ ବ୍ୟାପକ ଅଧ୍ୟୟନ ଓ ଗବେଷଣା କରିବାକୁ ନିଦେ୍ର୍ଦଶ ଦେଲେ । ସେହି ସନ୍ଧ୍ୟାରେ ଅମଲାପଡାରେ ଗଢା ହୋଇଥିବା ଦିବ୍ୟ ଜୀବନ ପ୍ରାର୍ଥନା ଗୃହ ଉଦ୍ଘାଟନ କରିବା ସହିତ ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ସାନ୍ଧ୍ୟସଭାରେ ଉଦ୍ବୋଧନ ଦେଲେ । ସେହି ରାତିରେ ଢେଙ୍କାନାଳ ସର୍କିଟ୍ ହାଉସରେ ବିଶ୍ରାମ କରି ତତପରଦିନ ପ୍ରତୁ୍ୟଷରୁ କଟକ ଯାତ୍ରୀ କରିଥିଲେ । ପୂଜ୍ୟ ଗୁରୁଦେବଙ୍କ ଆଗମନ ଓ ଆଶୀର୍ବାଦ ମୋର ଦୁର୍ଘଟଣାଜନିତ ଦୁଃଖକୁ ଦୂର କରିଦେଲା । ଗୁରୁକୃପା ଏକ ଅଲୋ÷କିକ ବିଭୂତି । ଏହାକୁ ଲାଭ କରାଯାଇ ଜୀବନର ପରମଲକ୍ଷ୍ୟ ସ୍ଥଳରେ ପଦାର୍ପଣ କରିହୁଏ । ଗୁରୁଦେବଙ୍କ ଦର୍ଶନରେ ମୋର ଦୁର୍ଘଟଣାଜନିତ ଯନ୍ତ୍ରଣା ଅନ୍ତର୍ହିତ ହୋଇଗଲା । ଗୁରୁଦେବଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ବ୍ୟାପକ ଗ୍ରନ୍ଥ ଅଧ୍ୟୟନ ଓ ଗବେଷଣାରେ ମନୋନିବେଶ କଲି । ମନ୍ତ୍ର ମୂଳଂ ଗୁରୋର୍ବାକ୍ୟ’ ଅର୍ଥାତ୍ ଗୁରୁଦେବ ଯାହା କହିଲେ ସେହି ବଚନ ମୋ ନିମିତ୍ତ ମନ୍ତ୍ର ସଦୃଶ ଥିଲା । ଧୈର୍ଯ୍ୟ ଓ ବିନାୟତାର ସହ ଗୁରୁଦେବଙ୍କର ଆଦେଶ ପାଳନ କରିବା ମୋର ପରମ କର୍ତ୍ତବ୍ୟ ମନେ କଲି । ଦୁର୍ଘଟଣାରେ ଚଳତ ଶକ୍ତି ବିହୀନ ହେବା ପରେ ଗୁରୁଦେବଙ୍କ ଆଜ୍ଞା ପାଳନ ମୋର ଏକମାତ୍ର ଅବଲମ୍ବନ ଥିଲା । ଦୁର୍ଘଟଣାରେ ଚଳତ ଶକ୍ତି ବିହୀନ ହେବା ପରେ ଗୁରୁଦେବଙ୍କ ଆଜ୍ଞା ପାଳନ ମୋର ଏକମାତ୍ର ଅବଲମ୍ବନ ଥିଲା । ଦୁର୍ଘଟଣା ପରେ ମୁଁ ହତୋତ୍ସାହ ହୋଇନଥିଲି ।
ପୂଜ୍ୟ ଗୁରୁଦେବଙ୍କ ନିଦେ୍ର୍ଦଶାନୁସାରେ ଗ୍ରନ୍ଥ ଅଧ୍ୟୟନ ଓ ଗବେଷଣାରେ ମଜ୍ଜି ରହିବା ଦ୍ୱାରା ମୋର ଅନ୍ତର୍ଚେତନା କ୍ରମେ କ୍ରମେ ବିକଶିତ ହେବା ଅନୁଭବ କଲି । ଗୁରୁଦେବଙ୍କ ବାକ୍ୟରେ ଦୃଢ ବିଶ୍ୱାସ ରଖି ସ୍ୱାଧ୍ୟାୟରେ ବ୍ରତୀ ହେଲି । ଯନ୍ତ୍ରଣା ଜଣାପଡିଲା ନାହିଁ । ଗୁରୁଦେବଙ୍କ ପାଦପଦ୍ମରେ ଆତ୍ମ ସମର୍ପଣ ଭାବ ମୋ ହୃଦୟରେ ଉଦୟ ହେଲା । ଏହି ଭାବକୁ ଚିରସ୍ଥାୟୀ କରିବାକୁ ପ୍ରୟାସ ଜାରି ରଖିଥାଏ । ଗୁରୁଦେବଙ୍କ ଶ୍ରୀଚରଣରେ ମନ ଓ ବୁଦ୍ଧିକୁ ଲଗାଇ ସାରସ୍ୱତ ସାଧନାରେ ନିମଗ୍ନ ରହିଲି । ଶରୀର ଯନ୍ତ୍ରଣାମୁକ୍ତ ଓ ମନ ସଂଶୟ ଶୂନ୍ୟ ହୋଇଗଲା । ହୃଦୟରେ ଅଫୁରନ୍ତ ଆନନ୍ଦ ଅନୁଭବ କଲି । ପୂଜ୍ୟ ଗୁରୁଦେବଙ୍କ ପ୍ରତି ଭକ୍ତି, ତାଙ୍କ ବାକ୍ୟରେ ବିଶ୍ୱାସ ଓ ଶ୍ରୀଚରଣରେ ପୂର୍ଣ୍ଣ ସମର୍ପଣ ମୋ ଭିତରେ ଅନନ୍ତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଦେଲା । ନିଜର ବ୍ୟକ୍ତିଗତ ପ୍ରକୃତରେ ଶାସନ କରୁଥିବା ଅହଂଭାଗକୁ ମୁଁ ଅତିକ୍ରମ କରିବା ଆରମ୍ଭ କଲି । ଗୁରୁଦେବ ମୋ ସମ୍ମୁଖରେ ଦକ୍ଷିଣାମୂର୍ତ୍ତି ରୂପରେ ପ୍ରକଟିତ ହେଲେ । ଗୁରୁଦେବଙ୍କର ଏହି ଅନିର୍ବଚନୀୟ ରୂପ ଉଦ୍ଭାସିତ ହେବା ପରେ ମୋ ହୃଦୟରେ ନିଃଶବ୍ଦ ଶକ୍ତି ପ୍ରସ୍ଫୁଟିତ ହେବାକୁ ଲାଗିଲା । ଜିଜ୍ଞାସାର ସକଳ ସମାଧାନ ଅନ୍ତଃକରଣରେ ମିଳିଗଲା । ମୁଁ ଅନୁଭବ କଲି, ପୂଜ୍ୟ ଗୁରୁଦେବ ଅଲୋ÷କିକ ଶକ୍ତି ପ୍ରୟୋଗ ଦ୍ୱାରା ନିଜର ଆତ୍ମବଳ ସାହାଯ୍ୟରେ ମୋ ହୃଦୟରେ ପ୍ରେରଣା ସୃଷ୍ଟି କରୁଛନ୍ତି । କ୍ରମେ କ୍ରମେ ମୁଖରେ ପ୍ରସନ୍ନତା, ହୃଦୟରେ ଅନିର୍ବଚନୀୟ ଆନନ୍ଦ ଓ ମସ୍ତିଷ୍କରେ ସାର୍ବଜନୀନ ବିଶ୍ୱଚେତନା ମୋ ଭିତରେ ଉଦ୍ଭବ ହେଲା ।
ପୂଜ୍ୟ ଗୁରୁଦେବଙ୍କ ପ୍ରଦତ୍ତ ମନ୍ତ୍ର ମୁଁ ଏକାଗ୍ରତାର ସହ ନିରନ୍ତର ଜପ କଲି । ଏହି ଜପ ଦ୍ୱାରା ମୋ ହୃଦୟ ଶୁଦ୍ଧ ରହି ମାନସିକ ଶକ୍ତି ବୃଦ୍ଧି ହେଲା । ମୋ ଜୀବନର ସକଳ ବାଧାବିଘ୍ନ ଚ୍ଛିନ୍ନ ହେବାକୁ ଲାଗିଲା । ମୁଁ ଅନୁଭବ କଲି, ଗୁରୁମନ୍ତ୍ର ମୋ ସହିତ ଘଟିଥିବା ଦୁର୍ଘଟଣାର ଅମୋଘ ଔଷଧ ସ୍ୱରୂପ । ଗୁରୁମନ୍ତ୍ର ଜପ ମୋ ମନକୁ ଶୃଙ୍ଖଳିତ କରି ମୋତେ ଅନ୍ତଃ ଦୃଷ୍ଟି ସଂପନ୍ନ କରିଦେଲା । ଦୁର୍ଘଟଣା ପରେ ମୁଁ ସ୍ୱାଧୀନ ଭାବରେ ଯାତାୟତ କ୍ଷମ ନହେଲେ ହେଁ ସାଂସାରିକ ଜୀବନ ଶାନ୍ତି ପ୍ରଦାୟକ ଓ ଅମୃତମୟ ହେଲା । ଇଛାଶକ୍ତି ସକ୍ରିୟ ହୋଇ ବିଚାର ଶକ୍ତି, ସ୍ମୃତି ଶକ୍ତି, ଅନୁଭବ ଶକ୍ତି, ଧାରଣାଶକ୍ତି, ଯୁକ୍ତିଶକ୍ତି, ବିବେକଶକ୍ତି, କଳ୍ପନାଶକ୍ତି ଓ ଚିନ୍ତାଶକ୍ତି ପ୍ରୟୋଗ ପୂର୍ବକ ସକଳ ସାଂସାରିକ କାର୍ଯ୍ୟରେ ମୁଁ ସାଫଲ୍ୟ ଅର୍ଜନ କଲି । ସାଂସାରିକ ଘାତ ପ୍ରତିଘାତ ମନକୁ ବିଚଳିତ କରିପାରିଲା ନାିହଁ । ଜପ ଦ୍ୱାରା ମନରେ ଶାନ୍ତି ଓ ସମତା ରକ୍ଷା ହେଲା । ମନରେ ସ୍ଥିରତା, ଶାନ୍ତି, ପ୍ରଫୁଲ୍ଲତା, କାର୍ଯ୍ୟକାରୀ କ୍ଷମତା, ଉତ୍ତମ ବ୍ୟକ୍ତିତ୍ୱ, ସ୍ଥିର ଦୃଷ୍ଟି, ଉଦାର ମତି, ଦୃଢ ପ୍ରକୃତି ଓ ନିର୍ଭୀକତା ଜାଗ୍ରତ ହୋଇ ସାଂସାରିକ ଦକ୍ଷତା ବୃଦ୍ଧି ପାଇଲା । ଗୁରୁମନ୍ତ୍ର ପ୍ରଭାବରେ ସଂକୀର୍ଣ୍ଣତା, ଭୀରୁତା, ଅବିଶ୍ୱାସ, ସନେ୍ଦହ, ଅସହିଷ୍ଣୁତା, ବିପଦ, ଅନିଶ୍ଚିୟତା, ଘୃଣା, ଇର୍ଷା, ଗର୍ବ, କପଟତା କ୍ରୋଧ, ଚିନ୍ତା, ଦୁଃଖ, ଭୟ ଓ ଆସକ୍ତି ଦୂରୀଭୂତ ହୋଇ ଅସାର ସଂସାର ସ୍ୱର୍ଗସମ ପ୍ରତୀୟମାନ ହେଲା । ମହନୀୟତା ହେଉଛି, ପୁନଃ ପୁନଃ ଗୁରୁମନ୍ତ୍ର ଜପ ମାଧ୍ୟମରେ ଗୁରୁଦେବଙ୍କ ସହିତ ସୂକ୍ଷ୍ମ ସଂପର୍କ ସ୍ଥାପନ ହେଲା । ଗୁରୁଦେବଙ୍କ ସହିତ ଅଖଣ୍ଡ ଯୋଗସୂତ୍ର ସ୍ଥାପନ ଦ୍ୱାରା ମୋ କ୍ଷୁଦ୍ରଚେତନା ତାଙ୍କ ଚେତନାରେ ଲୀନ ହୋଇ ଏକ ଅହଂ ଶୂନ୍ୟ ସଭାରେ ରୂପାନ୍ତରିତ ହୋଇଗଲା । ତାଙ୍କରି ଶକ୍ତି, ସାମର୍ଥ୍ୟ ଓ ତେଜରେ ମୁଁ ଶକ୍ତିମାନ, ସମର୍ଥ ଓ ତେଜୋଦୀପ୍ତ ହୋଇ ଅଲୋ÷କିକ କ୍ଷମତାର ଅଧିକାରୀ ହୋଇପାରିଲି ।
କର୍ମର ନିୟମ ଅଲଙ୍ଘନୀୟ ହେଲେ ହେଁ ତପସ୍ୟା, ତ୍ୟାଗ ଓ ଭକ୍ତି ଦ୍ୱାରା ଈଶ୍ୱରଙ୍କ କୃପା ମିଳିଥାଏ । ଆଜିର କର୍ମ ଆସନ୍ତାକାଲିର ଭାଗ୍ୟ ହୁଏ । କର୍ମ ଏବଂ ଭାଗ୍ୟ ଏକ ବା ସମାନ ଅଟନ୍ତି । ମୁଁ କେଉଁ ଜନ୍ମରେ କି କର୍ମ କରିଥିଲି ମୋତେ ଏହି ଜନ୍ମରେ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଲା । ଯାହା ଭୋଗ କରିବାକୁ ଅଛି ତାକୁ ବଦଳାଯାଇ ପାରିବ ନାହିଁ । ନିଜ ଚେଷ୍ଟା ବା ପୁରୁଷାକାର ଦ୍ୱାରା ଏହାର ପୁନଃ ଆକ୍ରମଣକୁ ପ୍ରତିହତ କରାଯାଇପାରେ । ଉଚିତ ଭାବନା ଓ ଉଚିତ କର୍ମ ଦ୍ୱାରା ଭାଗ୍ୟକୁ ବଦଳାଯାଇପାରିବ । ଭାବନା କର୍ମ ଅଟେ । ଭାବନା ପ୍ରକୃତ କର୍ମ ଅଟେ । ଭାବନା ହିଁ ଚରିତ୍ର ଗଠନ କରେ । ଭାବନା କାର୍ଯ୍ୟକାରୀ ହେଲେ କର୍ମରେ ପରିଣତ ହୁଏ । ଏହି ଦିବ୍ୟ ଦୃଷ୍ଟିରେ ମୁଁ ମହତ ଭାବନା ଦ୍ୱାରା ମହାନ ଚରିତ୍ର ଗଠନର ପ୍ରୟାସ ଜାରି ରଖିଲି । ଚରିତ୍ର ହିଁ ଇଛାଶକ୍ତି ବିକଶିତ କରିଥାଏ । ଇଛାଶକ୍ତିକୁ ଦୃଢ କରିବା ପାଇଁ ଚରିତ୍ର ଦୃଢ କଲି । କର୍ମ ଚରିତ୍ର ଗଠନ କରେ ଏବଂ ଚରିତ୍ର ଇଛାଶକ୍ତି ଗଠନ କରେ । ମନୁଷ୍ୟର ଇଛା ସବୁବେଳେ ସ୍ୱାଧୀନ । ସ୍ୱାର୍ଥ ଦ୍ୱାରା ଇଛା କଳୁଷିତ ଏବଂ ପରମାର୍ଥ ଦ୍ୱାରା ଇଛା ପବିତ୍ର ହୁଏ । ତେଣୁ ନୀଚଇଛା, ରାଗ ଏବଂ ଦ୍ୱେଷରୁ ମୁକ୍ତ ହୋଇ ଇଚ୍ଛାକୁ ପବିତ୍ର ଓ ଦୃଢ କରିପାରିଲି । ପୂଜ୍ୟ ଗୁରୁଦେବ ନିଦେ୍ର୍ଦଶ ମାଧ୍ୟମରେ ମୋ ଭିତରେ ସତ୍ଚେତନା ସୃଷ୍ଟି କଲେ । ନିରନ୍ତର ଜପ, ପ୍ରାର୍ଥନା ଓ ସ୍ୱାଧ୍ୟାୟ ଦ୍ୱାରା ଅସତ୍ ଚିନ୍ତା ମନର ପୋଛିଦେଲି ତଥା ପବିତ୍ର ଇଛାଶକ୍ତି ଜାଗ୍ରତ କଲି । ଗୁରୁଦେବଙ୍କ କୃପାରୁ ସତ୍ ଚରିତ୍ର ମୋତେ ଶକ୍ତିମାନ ଓ ବଳଶାଳୀ କଲା । ଶାରୀରିକ ଅସୁସ୍ଥତାକୁ ଭ୍ରୂକ୍ଷେପ ନକରି ମନୋବଳକୁ ଦୃଢ କରି ସମଗ୍ର ଭାରତର ବିଭିନ୍ନ ସ୍ଥାନକୁ ଅନାୟାସରେ ଯାଇପାରିଲି । ଦୁର୍ଘଟଣା ମୋ ନିମିତ୍ତ ଆଶୀର୍ବାଦରେ ପରିଣତ ହୋଇଗଲା ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨