ନୂଆପଡ଼ାରେ କଂଗ୍ରେସର ଭୋଟ୍‌ ଚୋରି ଅଭିଯୋଗ

 ନୂଆପଡ଼ାରେ କଂଗ୍ରେସର ଭୋଟ୍‌ ଚୋରି ଅଭିଯୋଗ

୫ ହଜାର ନୂଆ ମତଦାତା ଆସିଲେ କେଉଁଠୁ ?

 ଭୁବନେଶ୍ୱର/ନୂଆପଡା : ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ଚୂଡାନ୍ତ ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଭୋଟ୍‌ ଚୋରି ପ୍ରକ୍ରିୟାରୁ ନୂଆପଡ଼ା ବି ବାଦ୍‌ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛିଯେ, ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଭୋଟ ଚୋରିର ପର୍ଦ୍ଦାଫାଶ ସାରା ଭାରତରେ ଲୋକଙ୍କୁ ଜାଗ୍ରତ କରିଛି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡୁଛି । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସସୀରାମ ମାଝିଙ୍କ ବିପୁଳ ବିଜୟ ହେଉଥିବା ଜାଣି ବିଜେପି ଭୟଭୀତ ହୋଇ ପଡିଛି । ସରକାର କଂଗ୍ରେସକୁ ହରାଇବା ପାଇଁ ସମସ୍ତ ପ୍ରକାରର କୌଶଳକୁ ଆପଣାଇଛନ୍ତି । ଭୋଟରଙ୍କୁ ନେଇ ଏକ ବିରାଟ ବ୍ୟତିକ୍ରମର ପ୍ରମାଣ ହସ୍ତଗତ ହୋଇଛି । ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସଂଶୋଧିତ ତଥା ଚୂଡ଼ାନ୍ତ ଭୋଟର ତାଲିକାରେ ୫ ହଜାର ନୂଆ ଭୋଟରଙ୍କୁ ଯୋଡିଛନ୍ତି ।

     କଂଗ୍ରେସର ପ୍ରଶ୍ନ ହେଉଛି, ଏହି ୫ ହଜାର ମତଦାତା କୁଆଡୁ ଆସିଲେ ? ଏମାନେ ବାହାରୁ ଆମଦାନି ଭୋଟର ନୁହଁନ୍ତି ତ ? କର୍ଣ୍ଣାଟକର ମହାଦେବପୁରାରେ ଯେମତି ବାହାର ଭୋଟର ସଂଯୋଗ କରାଯାଇଥିଲା, ସେଭଳି ନିର୍ବାଚନ ଜିତିବା ପାଇଁ ନୂଆପଡ଼ାରେ କୌଶଳ ଅବଲମ୍ବନ କରାଯାଇଛି କି ? ପୂର୍ବରୁ ବିଜେପି ହାଇକୋର୍ଟରୁ ଓକିଲ ଡକାଇ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝିଙ୍କ ପ୍ରାର୍ଥୀପତ୍ର ନାକଚ କରିବା ପାଇଁ  ଅପଚେଷ୍ଟା କରିଥିଲା । ତେବେ ବିଜେପି ସତ ଉପାୟରେ ନିର୍ବାଚନ ଲଢିବାକୁ ଏତେ ଭୟ କାହିଁକି କରୁଛି ? ଏସ୍‌ଆଇ କେଳେଙ୍କାରୀ ମାମଲାରେ ସରକାର ସିବିଆଇ ତଦନ୍ତ କରାଉଥିବା ସ୍ୱାଗତଯୋଗ୍ୟ । ତେବେ ଏହା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ହେଲେ ଯାଇ ବିଶ୍ୱସନୀୟତା ରହିବ ବୋଲି କଂଗ୍ରେସ ମିଡ଼ିଆ ସେଲ ମୁଖ୍ୟ ଅରବିନ୍ଦ ଦାସ କହିଥିଲେ । ଉଭୟ କ୍ରାଇମବ୍ରାଞ୍ଚ ଓ ସିବିଆଇ ଉପରୁ ରାଜ୍ୟବାସୀଙ୍କର ଭରସା ତୁଟିଯାଇଥିବାରୁ ପୀତବାସ ପଣ୍ଡା ହତ୍ୟା ମାମଲାରେ ମଧ୍ୟ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ କଂଗ୍ରେସ ପକ୍ଷରୁ ସେ ଦାବି କରିଥିଲେ । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ.ହମିଦ ହୁସେନ ଆଜିଯାଏ ବିଜେପି ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେଇନପାରିବା ପଶ୍ଚିମ ଓଡ଼ିଶା ପ୍ରତି ଦଳର କିପରି ଆନ୍ତରିକତା ଅଛି ତାକୁ ନେଇ ପ୍ରଶ୍ନ କରିଥିଲେ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ାର ବିକାଶ ପାଇଁ କଂଗ୍ରେସର ଭିଜନ ଡକୁମେଣ୍ଟ ବର୍ଣ୍ଣନା କରିଥିଲେ । ପିସିସି ପ୍ରବକ୍ତା ବିଭୂତିଭୂଷଣ ମହାପାତ୍ର ଧନ୍ୟବାଦ ଜଣାଇବା ସହ ଭୋଟ୍‌ ଚୋରି ରୋକିବାକୁ ବାହାରର ନକଲି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟ୍‌ ପୂର୍ବରୁ ଦୁଇ ତିନି ଦିନ ରେଳଷ୍ଟେସନରେ କଡ଼ା ଯାଞ୍ଚ କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ନେତା ଗଣେଶ ସାହୁ, ନୂଆପଡ଼ା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର, ତୁଲେଶ୍ୱର ନାଏକ, ରବି ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।