ଅଧା ହେଲା ଇ-ଚାଲାଣ ଫାଇନ୍

ଭୁବନେଶ୍ୱର : ଗାଡ଼ିଚାଳକମାନେ ନିୟମ ମାନୁନଥିବାରୁ ଇ-ଚାଲାଣ କଟୁଛି । ହେଲେ ଇ-ଚାଲାଣକୁ କେହି ଖାତିର କରୁନାହାନ୍ତି । ଇ-ଚାଲାଣ ଫାଇନ୍ କେହି ଜମା କରୁନାହାନ୍ତି । ଏସବୁକୁ ଆଖିଆଗରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଇ-ଚାଲାଣର ଫାଇନ ହ୍ରାସ କରିଛନ୍ତି । ପୂର୍ବରୁ ୧୭ଟି କ୍ଷେତ୍ରରେ କଟିଥିବା ଇ-ଚାଲାଣ ପାଇଁ ପ୍ରାୟ ୫୦% ରିହାତି ବ୍ୟବସ୍ଥା କରାଯାଇଥିବାବେଳେ ଆଜି ଆଉ ୭ଟି କ୍ଷେତ୍ରରେ ଇ-ଚାଲାଣକୁ ଅଧା ହ୍ରାସ କରାଯାଇଛି । ଅର୍ଥାତ୍ ଜରିମାନାର ଅଧା ଅର୍ଥ ପଇଠ କଲେ ଆଉ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ବିନା ଡିଏଲରେ ଗାଡ଼ି ଚାଳନା କଲେ ୫ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ଥିବାବେଳେ ଏବେ ତାହା ଅଢେ଼ଇ ହଜାରକୁ ହ୍ରାସ କରାଯାଇଛି । ସେହିପରି ବୈଧ ଡିଏଲ ବିନା ଗାଡ଼ି ଚଳାଇ ଇ-ଚାଲାଣ କଟିଥିଲେ ୫ ହଜାର ବଦଳରେ ଅଢେ଼ଇ ହଜାର ଟଙ୍କା ଦେବାକୁ ପଡ଼ିବ । ବିନା ସିଟ୍ ବେଲଟ ପାଇଁ ହଜାରେ ଟଙ୍କା ଜରିମାନା ସ୍ଥଳେ ୫ ଶହ ଟଙ୍କା, ଦୁଇ ଚକିଆରେ ଦୁଇ ଜଣରୁ ଅଧିକ ଯାଉଥିଲେ, ବିନା ହେଲମେଟରେ ଗାଡ଼ି ଚଳାଇଥିଲେ ହଜାରେ ଟଙ୍କା ଜରିମାନା ବଦଳରେ ୫ ଶହ ଟଙ୍କା ପଇଠ କରିବାକୁ ପଡ଼ିବ । ସେହିପରି ଜରୁରୀକାଳୀନ ଗାଡ଼ିକୁ ରାସ୍ତା ନଛାଡ଼ିଲେ ୧୦ ହଜାର ବଦଳରେ ୫ ହଜାର ଟଙ୍କା ଓ ବିନା ବୀମାରେ ଗାଡ଼ି ଚଳାଉଥିଲେ ୨ ହଜାର ବଦଳରେ ୧ ହଜାର ଟଙ୍କା ଜରିମାନା ରାଶି ଦେବାକୁ ପଡ଼ିବ ।