ନକଲି ବିହନ ଓ କୀଟନାଶକ ବିରୋଧରେ କଠୋର ଆଇନ ଆସିବ: ଶିବରାଜ ସିଂହ

ନକଲି ବିହନ ଓ କୀଟନାଶକ ବିରୋଧରେ କଠୋର ଆଇନ ଆସିବ: ଶିବରାଜ ସିଂହ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଦିଲ୍ଲୀରେ ଜାତୀୟ ଏଫପିଓ କନକ୍ଲେଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ୨୪ଟି ରାଜ୍ୟ ଏବଂ ୧୪୦ଟି ଜିଲ୍ଲାର ୫୦୦ ରୁ ଅଧିକ ପ୍ରଗତିଶୀଳ ଚାଷୀ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), କାର୍ଯ୍ୟାନ୍ୱୟନ ଏଜେନ୍ସି (ଆଇଏ) ଏବଂ କ୍ଲଷ୍ଟର-ଆଧାରିତ ବ୍ୟବସାୟ ସଂଗଠନ (ସିବିବିଓ) ଅଂଶଗ୍ରହଣ କରିଥିଲେ ।

  ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କୃଷକ, ଏଫପିଓ ସଦସ୍ୟ ଏବଂ ଅଂଶଗ୍ରହଣକାରୀ ଅନୁଷ୍ଠାନଗୁଡ଼ିକର ଉଦ୍ୟମକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, କୃଷକମାନେ କେବଳ ଉତ୍ପାଦକ ରୂପେ ନୁହେଁ, ବରଂ ଉଦ୍ୟୋଗୀ ଏବଂ ବ୍ୟବସାୟୀ ରୂପେ ନିଜକୁ ପରିବର୍ତ୍ତନ କରିବା ଉଚିତ, ଯାହା ଦ୍ୱାରା ସମ୍ପୂର୍ଣ୍ଣ ଲାଭ ସିଧାସଳଖ ସେମାନଙ୍କ ପାଖରେ ପହଞ୍ଚିପାରିବ । ଶ୍ରୀ ଚୌହାନ କୃଷକମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅଦମ୍ୟ ସମର୍ପଣ ଏବଂ କୃଷକ ହିତର ସୁରକ୍ଷା ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ, କୃଷି କେବଳ ଏକ ଜୀବିକା ନୁହେଁ, ଦେଶର ଖାଦ୍ୟ ସୁରକ୍ଷା ପାଇଁ ମଧ୍ୟ ଅତ୍ୟାବଶ୍ୟକ । କୃଷକମାନଙ୍କ ଲାଭ ପାଇଁ ସମନ୍ୱିତ କୃଷି ଉପରେ ଆମର ଗୁରୁତ୍ୱ ରହିଛି । ମୂଲ୍ୟ ଅସମାନତା ଉପରେ ଚିନ୍ତା ପ୍ରକଟ କରି ଶ୍ରୀ ଚୌହାନ କହିଥିଲେ ଯେ, କୃଷକମାନେ ପ୍ରାୟତଃ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଆନ୍ତି ନାହିଁ କିନ୍ତୁ ଉପଭୋକ୍ତାମାନେ ଅଧିକ ଦାମ୍‌ ଦେଉଛନ୍ତି । ଏହି ପାର୍ଥକ୍ୟକୁ ହ୍ରାସ କରାଯିବା ଆବଶ୍ୟକ । ଚାଷୀମାନେ ଉଚ୍ଚ଼ମାନର ବିହନ ପାଇବା ସୁନିଶ୍ଚିତ କରିବା ପାଇଁ ସରକାର ଖୁବ୍‌ ଶୀଘ୍ର ଏକ ବିହନ ଆଇନ ପ୍ରଣୟନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାର ନକଲି ବିହନ ଏବଂ କୀଟନାଶକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଚାଷୀମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ଆଇନ ପ୍ରଣୟନ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

   ଦିଲ୍ଲୀର ହୌଜ ଖାସରେ ଥିବା ଏନସିଡିସି ଏବଂ ଏନସିୟୁଆଇ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ, କେନ୍ଦ୍ରମନ୍ତ୍ରୀ ସଂଗଠନ, ବ୍ୟବସାୟ ଏବଂ ଡିଜିଟାଲ୍‌ ନବସୃଜନରେ ଉତ୍କର୍ଷତା ପାଇଁ ଉତ୍କୃଷ୍ଟ ଏଫପିଓ, ସିବିବିଓ ଏବଂ କାର୍ଯ୍ୟାନ୍ୱୟନ ଏଜେନ୍ସିଗୁଡ଼ିକୁ ସମ୍ମାନିତ କରିଥିଲେ ।