ତମାଖୁ କୁପ୍ରଭାବ ନେଇ ସଚେତନତା ଆବଶ୍ୟକ: ପିଆଇବି ଏଡିଜି
କଟକ : ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି । ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି ସୃଷ୍ଟି କରୁଛି । ଦେଶର ଯୁବପିଢିଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର କଡାକଡି ଅନୁପାଳନର ଆବଶ୍ୟକତା ରହିଛି ବୋଲି ଆଜି କଟକଠାରେ ଆୟୋଜିତ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତା’ ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି । ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ର ତୃତୀୟ ପର୍ଯ୍ୟାୟ ଅଧୀନରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି କଟକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଆଇବି/ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡିଶା ଏବଂ ଝାଡଖଣ୍ଡ କ୍ଷେତ୍ର) ଅଖିଳ କୁମାର ମିଶ୍ର ଉଦବୋଧନ ଦେଇ ତମାଖୁ ମୁକ୍ତ ସମାଜ ଗଠନ ପାଇଁ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ତମାଖୁ ସେବନର ଅପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କ୍ଷେତ୍ରରେ ଗଣମାଧ୍ୟମ, ବିଶେଷ କରି ସାମାଜିକ ଗଣମାଧ୍ୟମର ବେଶ୍ ଗୁରୁତ୍ୱ ରହିଛି । ଗ୍ରାମୀଣ ଏବଂ ତୃଣମୂଳସ୍ତରରେ ସାମାଜିକ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ କାର୍ଯ୍ୟକ୍ରମକୁ ସେମ୍ବାଧିତ କରି କହିଥିଲେ, ସାମ୍ପ୍ରତିକ ସମାଜରେ ଅଧିକ ସଂଖ୍ୟାରେ ଯୁବବର୍ଗ ନିଶା କବଳରେ ପଡୁଛନ୍ତି । ନିଶା ନିବାରଣ ଏବଂ ଏହାର କୁପ୍ରଭାବକୁ ରୋକିବା ଲାଗି ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ପ୍ରତିଷ୍ଠାନର ପ୍ରାଧ୍ୟାପକ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି, କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା, ବରିଷ୍ଠ ସାମ୍ବାଦିକ ତଥା ସମାଜର ସମ୍ପାଦକ ତପନ କୁମାର ମିଶ୍ର, ସିବିସିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ, ପିଆଇବି ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, ଦୂରଦର୍ଶନ ସମାଚାର ବିଭାଗ ମୁଖ୍ୟ ଡା. ଅଭିଷେକ ମିଶ୍ର, ଆକାଶବାଣୀ ସମାଚାର ବିଭାଗ ମୁଖ୍ୟ ଡ.ସତ୍ୟ ନାରାୟଣ ପଟ୍ଟନାୟକ, ବାର୍ତ୍ତା ସମ୍ପାଦକ ନିର୍ମାଲ୍ୟ ବେହେରା, କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ, ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।