ଗ୍ୟାଙ୍ଗର ୬ ଗିରଫ
ଜଟଣୀ : ଜଟଣୀ ଅଞ୍ଚଳରେ ଦିନକୁ ଦିନ ଅପରାଧୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୭ ତାରିଖ ଦିନ ସମରେଶ କୁମାର ଲେଙ୍କା ନାମକ ଜଣେ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ଜଟଣୀ ଆସିଥିବା ବେଳେ ବାଲିଛକ ମୁଣ୍ଡିଆସାହି ଠାରେ ଫୋନ୍ରେ କଥା ହେଉଥିବା ବେଳେ ଚାରି ଜଣ ଯୁବକ ତାଙ୍କୁ ଆକ୍ରମଣ କରି ମୋବାଇଲ ଫୋନ ଛଡାଇନେବା ସହ ତାଙ୍କ ସ୍କୁଟିର ଡିକି ଭାଙ୍ଗି ଘଟଣାସ୍ଥଳରୁ ପଳାଇବା ପୂର୍ବରୁ ତାଙ୍କ ଫୋନ୍ପେ ଆକାଉଣ୍ଟରୁ ୧୭୨ ଟଙ୍କା ସ୍ଥାନାନ୍ତର କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ମଧ୍ୟରାତ୍ରିରେ ସୀତାରାମ ଛକରେ ନାକା ଯାଞ୍ଚ ସମୟରେ ତିନିଟି ମୋଟର ସାଇକେଲରେ ଯାଉଥିବା ଛଅ ଜଣ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରିଥିଲେ । ସେମାନେ ହେଲେ ବାଲିଛକ ମୁଣ୍ଡିଆ ସାହିର ସେକ ଆବିଦ (୨୮) ଓ ନଇମ ହୁସେନ ଖାନ (୩୦), ଲୋକୋ କଲୋନୀର ମୋହନ ରାମ ଯାଦବ ଓରଫ ବିବେକ (୧୯), ଗଜପତି ନଗରର ସେକ ସ୍ୱାଦିନ ଓରଫ ବାଦଲ (୩୦) ଓ ସେକ ସାହାବୁଦ୍ଦିନ (୪୦) ଏବଂ ରଥିପୁରର ଆନସାର ଶାହ (୨୬) । ଯାଞ୍ଚ ପରେ ଜଣାପଡିଥିଲା ଯେ ମୋଟରସାଇକେଲ ଗୁଡ଼ିକ ଚୋରି ହୋଇଥିଲା, ଏବଂ ସେମାନଙ୍କ ନିକଟରୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଛଡ଼ାଇ ନିଆଯାଇଥିବା ମୋବାଇଲ୍ ଫୋନ୍ ମଧ୍ୟ ଉଦ୍ଧାର କରାଯାଇଥିଲା । ପଚରାଉଚରା ସମୟରେ, ଅଭିଯୁକ୍ତମାନେ ଉପରୋକ୍ତ ଘଟଣାରେ ସେମାନଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ । ଅଭିଯୁକ୍ତ ମାନଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେମାନେ ଜଟଣୀ ଥାନା ଏବଂ କ୍ୟାପିଟାଲ ଥାନାରେ ଚୋରି, ଡକାୟତି, ଏନଡିପିଏସ ଆକ୍ଟ, ଅସ୍ତ୍ରଶସ୍ତ୍ର ଆଇନ ଏବଂ ଡକାୟତି ପାଇଁ ପ୍ରସ୍ତୁତି ଭଳି ବହୁ ମାମଲାରେ ଜଡିତ ଥିବା ଜଣାପଡିଥିଲା । ଏ ନେଇ ଜଟଣୀ ଥାନାରେ ଏକ ମାମଲା ୠଜୁ କରାଯାଇ ଅପରାଧୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।