ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ଦାବି : ଅବକାରୀ ବିଭାଗ ସାଜିଛି ନିଦାବିଷ୍ଣୁ
ଚାନ୍ଦବାଲି : ଚାନ୍ଦବାଲି କାଳୀ ପୂଜାରେ ବାଧକ ସାଜିଛି ପୃଷ୍ଟି ବିଦେଶୀ ସରକାରୀ ଠିପି ବନ୍ଦ ମଦ ଦୋକାନ । ଚାନ୍ଦବାଲି ଅବକାରୀ ବିଭାଗ ଓ ସ୍ଥାନୀୟ କିଛି ନେତାଙ୍କ ସ୍ୱାର୍ଥରେ ଚାଲିଛି ଏହି ସରକାରୀ ମଦ ଦୋକାନ । ସୂଚନା ମୁତାବକ, ଭଦ୍ରକ ଚାନ୍ଦବାଲିର ପ୍ରସିଦ୍ଧ ମାତୃପୀଠ ଭାବେ ମା’ କାଳୀ ପୂଜା ପାଇ ଆସୁଛନ୍ତି । ଦୀର୍ଘ ଦିନ ଧରି ପାଳନ ହୋଇ ଆସୁଥିବା ଏହି ପୂଜାରେ ବାଧକ ସାଜିଛି ଚାନ୍ଦବାଲି କାଳୀ ମନ୍ଦିର ଆଗରେ ଥିବା ବିଦେଶୀ ମଦ ଦୋକାନ । ଚାନ୍ଦବାଲିବାସୀ ଏହି ମଦ ଦୋକାନକୁ ପୂଜା ପାଇଁ ବନ୍ଦ ରଖିବାକୁ ଅବକାରୀ ସୁପରିଟେଣ୍ଡକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ କଥାକୁ ଗୁରୁତ୍ୱ ଦେଲେନି । ଫଳରେ ସବୁ ସମୟରେ ମଦୁଆମାନେ ମାତାଲ ହୋଇ ରାସ୍ତା ଉପରେ ଗଡୁଛନ୍ତି । ଅନ୍ୟପକ୍ଷରେ, ଭଦ୍ରକ ଅବକାରୀ ସୁପରିଟେଣ୍ଡ ଭଦ୍ରକ ପୌରାଞ୍ଚଳରେ ଥିବା ସମସ୍ତ ଦେଶୀ, ବିଦେଶୀ ମଦ ଦୋକାନ ଦୋକାନକୁ ୨୨ ରୁ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଓ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଚାନ୍ଦବାଲି କାଳୀ ମନ୍ଦିର ଆଗ ମଦ ଦୋକାନୀକୁ କାହିଙ୍କି ଏତେ ଅନୁକମ୍ପା ଦେଖାଉଛନ୍ତି ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଚାନ୍ଦବାଲି କାଳୀ ମନ୍ଦିର ଆଗରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାନ୍ଦବାଲିବାସୀ ଦାବି କରିଛନ୍ତି ।