ଗୋପପୁର ପ୍ରଧାନମନ୍ତ୍ରୀ ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ଦାବି
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗ ଅଧିନରେ ଥିବା ପିଡବ୍ଲ୍ୟୁଡି ରାସ୍ତାଠାରୁ ଗୋପପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ହୋଇଥିବା ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ରାସ୍ତା ନିର୍ମାଣ ପରେ ଏହାକୁ ଆଦୌ ମରାମତି କରାଯାଇ ନଥିବାରୁ ଏହାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଖାଲ ଖମାମାନ ସୃଷ୍ଟି ହୋଇଛି । ଏହାଛଡା ରାସ୍ତାର ଦୁଇ ପାଶ୍ୱର୍ରେ ଅନାବନା ଗଛଲତା ଓ ଘାସ ସଫା କରାଯାଇ ନଥିବାରୁ ଏହା ମଧ୍ୟ ରାସ୍ତା ଉପରକୁ ମାଡି ଯାଇଛି । ଫଳରେ ଯାତାୟାତରେ ବାଟୋଇମାନେ ନାହିଁ ନଥିବା ହଇରାଣ ହରକତ ହେଉଥିଲା ବେଳେ, ବହୁ ସମୟରେ ଦୁର୍ଘଟଣାଗ୍ରସ୍ତ ମଧ୍ୟ ହେଉଛନ୍ତି । ଗତ ୨୦୧୭ ମସିହାରେ ତକ୍ରାଳୀନ ସରକାରଙ୍କ ଉଦ୍ୟମରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଏକ ବାଇପାସ୍ ରୋଡ୍ ନିର୍ମାଣ ପାଇଁ ୧କୋଟି ୭୪ ଲକ୍ଷ ୧୭ହଜାର ୨୯୦ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ୩ କି.ମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାର କେତେକ ଅଂଶ ପିଚୁ ହୋଇଥିଲା ବେଳେ, ଆଉ କେତେକ ଅଂଶକୁ ଢଳେଇ କରାଯାଇଥିଲା । ରାସ୍ତାର ନିର୍ମାଣ କାର୍ଯ୍ୟ ୮.୧୧.୨୦୧୭ ରିଖରେ ଆରମ୍ଭ ହୋଇଥିଲା ବେଳେ, ଏହାକୁ ୭.୧୧.୨୦୧୮ ତାରିଖରେ କାର୍ଯ୍ୟ ଶେଷ ପାଇଁ ଅବଧି ରହିଥିଲା । ବିଭାଗୀୟ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏହି ରାସ୍ତା କାର୍ଯ୍ୟ ୨୦୨୧ ମସିହାରେ ଶେଷ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଯେଉଁ ନୂତନ ରାସ୍ତା ନିର୍ମାଣ କରାଯାଏ ଏହାର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯାଇଥାଏ । ଏହି ରାସ୍ତାର ୫ବର୍ଷର ରକ୍ଷଣାବେକ୍ଷଣ ପାଇଁ ୧୨ଲକ୍ଷ ୧୩ହଜାର ୮୩୬ଟଙ୍କା ମଧ୍ୟ ବ୍ୟୟ ବରାଦ କରାଯାଇଥିଲା । ଏହି ରାସ୍ତାଟି ୨୦୧୮ ମସିହାରେ ଯଦି କାର୍ଯ୍ୟ ଶେଷ ହୋଇଥାଆନ୍ତା ତାହାହେଲେ ଏହାର ମରାମତି ଅବଧି ୨୦୨୪ ରେ ଶେଷ ହୋଇଥାନ୍ତା । ଯେହେତୁ ଉକ୍ତ ରାସ୍ତାଟି ୨୦୨୧ ମସିହାରେ କାର୍ଯ୍ୟ ଶେଷ ହୋଇଥିଲା ଏହାର ମରାମତି ଅବଧି ୨୦୨୬ ପର୍ଯ୍ୟନ୍ତ ରହିବା କଥା । ଦେଖିବାକୁ ଗଲେ ବର୍ତ୍ତମାନ ଏହି ରାସ୍ତାର ମରାମତି ଅବଧି ଅଦ୍ୟାବଧି ଶେଷ ହୋଇନାହିଁ । ହେଲେ ବିଭାଗୀୟ ପକ୍ଷରୁ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ବହୁ ଲୋକ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣ ହେବା ଦିନଠାରୁ ଉକ୍ତ ରାସ୍ତାକୁ ଥରେ ହେଲେ ମରାମତି କରାଯାଇନଥିବା ବେଳେ ଉକ୍ତ ମରାମତି ଅର୍ଥ କେଉଁଆଡେ ଗଲା ସେ ନେଇ ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି । ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କରାଯାଇ ଉକ୍ତ ମରାମତି ରାସ୍ତାର ଅର୍ଥକୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅର୍ଥକୁ କିଏ ଆତ୍ମସାତ୍ କରିଛି ସେ ନେଇ ତଦନ୍ତ କରିବା ପାଇଁ ଶ୍ରୀ ସାମଲ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରେ ଦାବି କରିଛନ୍ତି । ଉକ୍ତ ରାସ୍ତା ଉପରେ ଯାତାୟାତ ପାଇଁ ବଡକ୍ଷୀର, ଗୋପପୁର, କାଚରାପାଟଣା, ଧଳପଡା, ନତକାଇ, କାହ୍ନୁପୁର, ଗୋତରା ଆଦି ଗ୍ରାମର ବହୁ ଲୋକ ନିର୍ଭର କରୁଥିଲା ବେଳେ ରାସ୍ତାର ଅବସ୍ଥା ଭଲ ନଥିବାରୁ ଲୋକମାନେ ହଇରାଣ ହରକତ ହେଉଥିବା ଦେଖାଯାଇଛି । ତୁରନ୍ତ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିବାରୁ ପ୍ରତିକ୍ରିୟା ନେବା ସମ୍ଭବ ହୋଇ ନାହିଁ ।