ନୀରବଦ୍ରଷ୍ଟା
ଗୋଟିଏ ସହରରେ ଚାରିଜଣ ବନ୍ଧୁ ଥିଲେ । ଜଣଙ୍କର ନାମ ପାର୍ଥିବ, ଆଉ ଜଣଙ୍କର ନାମ ଥିଲା ଅସ୍ତିତ୍ୱ, ଅନ୍ୟ ଜଣେ ଥିଲେ ଆଧ୍ୟାତ୍ମିକ ଶେଷ ବନ୍ଧୁଙ୍କ ନାମ ଥିଲା ନୀରବଦ୍ରଷ୍ଟା । ପରସ୍ପର ପରସ୍ପରର ଉତ୍ତମ ବନ୍ଧୁ ହୋଇଥିବାରୁ ପୁରୀ ବୁଲି ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରିବାର ଅଭିଳାଷ ପୋଷଣ କଲେ । ସମସ୍ତେ ଏକଥା ଜାଣନ୍ତି ମହାପ୍ରଭୁଙ୍କ ଦର୍ଶନ ପରେ ସମସ୍ତେ କିଛି ସମୟ ପାଇଁ ଲକ୍ଷ୍ମୀଙ୍କ ମନ୍ଦିରରେ ବିଶ୍ରାମ କରନ୍ତି । କେତେକ ଆନନ୍ଦ ବଜାରରେ ବୁଲି ମହାପ୍ରସାଦର ସ୍ୱାଦ ଚାଖନ୍ତି । ଆଉ କେତେକ ସମୁଦ୍ର କୂଳକୁ ଯାଇ ତାର ଅନୁପମ ରୂପ ମନୋହରକୁ ଉପଭୋଗ କରନ୍ତି । ଚାରିବନ୍ଧୁଙ୍କ ମଧ୍ୟରେ ସେହି ଅବସ୍ଥା ହେଲା ସେମାନେ ଲକ୍ଷ୍ମୀଙ୍କ ମନ୍ଦିରରେ ବସି ଆଲୋଚନା ଜାରି ରଖିଲେ । ନୀଳଚକ୍ର ଚାରି ବନ୍ଧୁଙ୍କୁ ଦେଖି ହସୁଥାଏ । ଶୀତଳ ପବନ ବହୁଥାଏ । ପାର୍ଥିବ କହିଲା ମନୁଷ୍ୟର ଏକ ପାର୍ଥିବ ଦୃଷ୍ଟିକୋଣ ଥାଏ ତାହା ହେଉଛି ଜଗନ୍ନାଥ ଆମେ କରିଥିବା ଭୁଲକୁ ଦେଖି ନାହାଁନ୍ତି ବା ଦେଖିଥିବା ଭୁଲକୁ ଭୁଲି ଯାଇଛନ୍ତି । ସେହି ସାହସରେ ଆମେ ବାରମ୍ବାର ଭୁଲ କରୁଥିଲେ ମଧ୍ୟ ତାଙ୍କୁ ସର୍ବାନ୍ତର୍ଯ୍ୟାମୀ ମାନୁଥିଲେ ମଧ୍ୟ ତାଙ୍କ ନିକଟକୁ ବାରମ୍ବାର ଯାଇଥାଉ । ଜଗନ୍ନାଥ ନୀରବରେ ଲୋକଙ୍କୁ କହିଥାନ୍ତି "ଏ ଚକା ଆଖି ସବୁ ଦେଖୁଛି, କିଛି ଭୁଲି ନାହିଁ କି ଭୁଲି ପାରିବ ନାହିଁ ।' ତେଣୁ ଆମେ ପାର୍ଥିବ ଦୃଷ୍ଟିକୋଣରୁ ଭୁଲି ଜଗନ୍ନାଥଙ୍କୁ ସ୍ୱୟଂ ପରଂବ୍ରହ୍ମ ବୋଲି ବିଚାର କରିବା ଉଚିତ ।
ଅସ୍ତିତ୍ୱ ପାର୍ଥିବ କଥାରେ ଏକମତ ହୋଇ କହିଲା ଜଗନ୍ନାଥଙ୍କ ଅଶେଷ କୃପାରୁ ଆମେ ତାଙ୍କର ନିକଟବର୍ତ୍ତୀ ହେଉ । କେତେକ ତାଙ୍କୁ ମହାପ୍ରଭୁ, ଆଉ କିଏ କିଏ କାଠର ପ୍ରତିମା ଓ ଅନେକ ଦୃଢ଼ତାର ସହ ତାଙ୍କର ଅସ୍ତିତ୍ୱକୁ ସନେ୍ଦହ କରନ୍ତି । ମୁଁ ଭାବୁଛି ଏପରି ହୋଇଥାଏ କାରଣ ଆମ ଭିତର ଭାବ କୁହେ, ଆମେ ତାଙ୍କର ନିକଟବର୍ତ୍ତୀ ଲୋକ କେବଳ ଆମେ ନୁହେଁ ଯୁଗେ ଯୁଗେ ଭଗବାନଙ୍କ ଅସ୍ତିତ୍ୱକୁ ସନେ୍ଦହ କରାଯାଇଛି । ସେହିପରି ସନେ୍ଦହ କରିଥିବା ନିକଟତର ବ୍ୟକ୍ତିମାନେ ହେଲେ ଦଶରଥ, କୈକେୟୀ, ରାବଣ, କଂସ, ଦୁର୍ଯେ୍ୟାଧନ ଓ ତାର ଭ୍ରାତାଗଣ, କୌରବ ସେନା, ଧୃତରାଷ୍ଟ୍ର ଓ ଅନ୍ୟାନ୍ୟ ଜ୍ଞାନୀ ପଣ୍ଡିତ ଯୋଦ୍ଧାମାନେ । କୃଷ୍ଣଙ୍କର ଅସ୍ତିତ୍ୱକୁ ତାଙ୍କର ନିକଟତର ଲୋକମାନେ ଭୁଲ ବୁଝିଥିଲେ । କିନ୍ତୁ ଆମେ ଏପରି କରିବା ଉଚିତ ନୁହେଁ । ଜଗନ୍ନାଥ ସର୍ବଶକ୍ତିମାନ, ସର୍ବତ୍ର ବିଦ୍ୟମାନ ଓ ସର୍ବଜ୍ଞାତ ଓ ସଚରାଚର ଜଗତ ହେଉଛି ବିଷ୍ଣୁମୟ । ସେ ନୀରବରେ କହୁଥାନ୍ତି ରଥଯାତ୍ରା ସମୟରେ ଉଦଘୋଷକ ବାରମ୍ବାର କୁହେ "ରଥେତୁ ବାମନଂ ଦୃଷ୍ଟା ପୁର୍ନଜନ୍ମ ନଲଭ୍ୟତେ' ଏହାକୁ ଶୁଣିବା ବୁଝିବା ପରେ, ହାତଯୋଡ଼ି ପ୍ରଣାମ କରିବା ପରେ ତାଙ୍କର ଅସ୍ତିତ୍ୱକୁ ସଂସାରର ଜଞ୍ଜାଳରେ ଭୁଲିଯାଉ । ଭାଇମାନେ ଏହା କେତେ ଦୂର ଠିକ? ବନ୍ଧୁ ଆଧ୍ୟାତ୍ମିକ କହିଲା ଆମେ ଭଗବାନଙ୍କୁ ପାର୍ଥିବ ଦୃଷ୍ଟିକୋଣରୁ ଦେଖିଥିବାରୁ ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ଭୁଲିଯାଉଛୁ । ପାର୍ଥିବ ଦୃଷ୍ଟି କୋଣକୁ ଆଧ୍ୟାତ୍ମିକ ଇଛା ବୋଲି ଭାବି ସାଂସାରିକ ଲାଭ ନିମନ୍ତେ ଆମେ ଅଳିକରୁ ହେ ମହାପ୍ରଭୁ! ଏଥର ମୋର ପଦୋନ୍ନତି କରିଦିଅ ମୁଁ ନିଶ୍ଚୟ ପୁରୀ ଆସିବି । ଆଉ କେତେକ ଅଳି କରନ୍ତି ମୋର ପୁଅର ଆମେରିକା ଯିବା ପାଇଁ ଭିସାଟା ହୋଇପାରୁ ନାହିଁ, ମୋର ଝିଅର ବାହାଘରଟା ହୋଇପାରୁନାହିଁ, ତୁମେ ତାକୁ କରିଦିଅ ମୁଁ ମାନି ଯିବି ତୁମେ ଭଗବାନ । କେତେକେ କୁହନ୍ତି ମୋର ଚାଲି ପାରୁନଥିବା ସ୍ତ୍ରୀକୁ ଚଲାଇ ଦିଅ । ମହାପ୍ରସାଦ ଆଣି ବ୍ରାହ୍ମଣ ଭୋଜନ କରାଇବି ଇତ୍ୟାଦି ଇତ୍ୟାଦି । ତେଣୁ ଆମେ ଭାବି ନେଇଛୁ, ଆଧ୍ୟାତ୍ମିକ ପଥ ଓ ସାଧନାର ଅର୍ଥ ପ୍ରାର୍ଥିବ ଲାଭ ଓ ସୁଖ ସଂପଦ । ଏହା ଏକ ନିର୍ଘାତ ଭୁଲ । ବେଳେ ବେଳେ ଆମେ ଜୀବନକୁ ଯେପରି ଚାହୁଁ ସେପରି ଚାଲେ ନାହିଁ । ଏକ ଚାଲୁଥିବା ମଣିଷର ଦୁଇଟି ଆଶାବାଡ଼ି ଦରକାର ହୁଏ । । ସୁସ୍ଥ ସବଳ ମଣିଷଟିଏ ହଠାତ୍ ଶଯ୍ୟାଶାୟୀ ହୋଇଯାଏ । କେତେକ ଜନିଷ ହଠାତ୍ ଘଟିଥାଏ । ଯଥା ଚାକିରି ପାଇଥିବା ପତ୍ର, ବହିଷ୍କାର ପତ୍ର, କର ବିଭାଗର ନୋଟିସ ଇତ୍ୟାଦି ଇତ୍ୟାଦି । ସେ ସମୟରେ ଆମେ ପାର୍ଥିବ ସୁଖ ପାଇଁ ଜଗନ୍ନାଥଙ୍କୁ ପାର୍ଥିବ ଜଗତ ଆଡ଼କୁ ଟାଣୁ । କିନ୍ତୁ ପ୍ରକୃତ ପକ୍ଷେ ଆମେ ଭୁଲ କରୁ । ଏପରି ସମୟରେ ଆମେ ଭଗବାନଙ୍କ ପାଦପଦ୍ମରେ ସମର୍ପିତ ହେବା ଉଚିତ । ଏଥର ବନ୍ଧୁ ନୀରବଦ୍ରଷ୍ଟା କହିଲେ ଜଗନ୍ନାଥ ନୀରବରେ ସବୁବେଳେ କହୁଛନ୍ତି "ହେ ମାନବ ତୋର ଭଲ ମନ୍ଦରୁ ମୁକ୍ତି ନାହିଁ, ଯେପରି ଗଛ ଲଗେଇବୁ ସେପରି ଫଳ ପାଇବୁ । ଯେପରି କର୍ମ କରିବୁ ସେପରି ଫଳ ପାଇବୁ । ତୁ ମିଛରେ ମତେ ଦୋଷାରୋପ କରୁ । କର୍ମ ଓ କର୍ମ ଫଳରୁ ମୁକ୍ତି ନଥିବା ଜାଣି ମଧ୍ୟ ତୁ ମୋ ନିଦେ୍ର୍ଦଶ ନମାନି ଆଧ୍ୟାତ୍ମିକ ସାଧନାରେ ବ୍ରତୀ ନ ହୋଇ ପାର୍ଥିବ କର୍ମ କରିଚାଲୁ ଓ ଦୁଃଖ ଯନ୍ତ୍ରଣା ଭୋଗ କରୁ । ମୁଁ ତୋର ପାପ ପୂଣ୍ୟର ଏକ ନୀରବଦ୍ରଷ୍ଟା ମାତ୍ର । ତୋର ଅତୀତ ଓ ବର୍ତ୍ତମାନର କର୍ମଫଳକୁ ଭୋଗ କରୁଛୁ ଓ ଭବିଷ୍ୟତରେ ଭୋଗ କରିବୁ ମଧ୍ୟ । ଜଗନ୍ନାଥ ନୀରବରେ କୁହନ୍ତି ମୁଁ ତୋ ସହିତ ଅଛି । ଭୟ କରନାହିଁ । ମୁଁ ତତେ ସାହସ ଓ ଶକ୍ତି ଦେବି । କିନ୍ତୁ ମଣିଷ ଏହାକୁ ଭୁଲଯାଇ ପାର୍ଥିବ ଶକ୍ତି ଓ ସାହସ ଉପରେ ବିଶ୍ୱାସ କରିଚାଲେ । ତୋର ହୃଦୟର ଗଭୀରତମ ପ୍ରଦେଶରୁ ପ୍ରାର୍ଥନା ହେବା ଉଚିତ । ତୁମେ ସର୍ବ ଶକ୍ତିମାନ, ସର୍ବତ୍ର ବିଦ୍ୟମାନ ଓ ସର୍ବଜ୍ଞ । ତୁ ପ୍ରତିକ୍ଷଣରେ ମତେ ଭୁଲିଯିବା ଉଚିତ ନୁହେଁ ଏପରି ଆଲୋଚନାରେ ପୂର୍ଣ୍ଣଛେଦ ଟାଣି ଚାରି ବନ୍ଧୁ ଆନନ୍ଦବଜାରରେ ମହାପ୍ରସାଦ ସେବନ ପାଇଁ ପ୍ରବେଶ କଲେ ।
ଅନୀତା ପଟ୍ଟନାୟକ,ମୋ: ୯୬୯୨୯୮୦୦୨୬