ଅଜଣା ଜଗତର ଡାକ (୨୭)
ଗୋଟାଏ ବର୍ଚ୍ଛାର ଆଗରେ କେତେଟା କଣ୍ଟା ଥାଇ ଏକ ଲୁହାର ଫଳି ଲାଗିଥିଲା । ମାଛ ଧରିବାକୁ ଏହା ବେଶ ଉପେଯାଗୀ । ଏମାନେ ଏହାଦ୍ୱାରା ନାଳାରୁ ମାଛ ମାରୁଥିବେ । ସେମାନଙ୍କ ହାତରେ ଲମ୍ବା ଲୁହାର ଦାଓ ଥିଲା । ଏପଟେ ଟ୍ରି ଫର୍ଣ୍ଣର୍ ଗୁଡିକ ଲମ୍ବ ଥିଲା, ପ୍ରାୟ ବଡ କଦଳି ଗଛ ବା ତାଠାରୁ ଉଚ୍ଚ । ଶୋମ୍ପେନ ଦୁଇଜଣ ନିଜର ଲମ୍ବ ବର୍ଚ୍ଛାକୁ ରାସ୍ତାର ଧାରରେ ଗୋଟାଏ ଜାଗାରେ ପକାଇ ଦେଇ ଏମାନଙ୍କ ପାଖକୁ ଆସିଲେ । ସେମାନଙ୍କ ବାମ ହାତରେ ଦାଓ ଏବେବି ଥିଲା । ବୟସ୍କ ଲୋକଟି ବେକରେ ମାଳି ପକାଇ ନଥିଲା କିନ୍ତୁ କିଶୋରର ବେକରେ ମୋଟା ସରୁସରୁ ମାଳି ପଡିଥିଲା । ସେମାନଙ୍କ ଗୋଡରେ ଚପଲ ଆଦି ନଥିଲା । ଏମାନେ ଥିଲେ ଏକଦମ ଜଙ୍ଗଲ ଭିତରେ ରହୁଥିବା ଅତି ଆଦିମ ଅଧିବାସୀ ଶୋମ୍ପେନ ।
ସମୟ ସେତେବେଳକୁ ମଧ୍ୟାହ୍ନ । ପାଖରେ ଶୋମ୍ପେନ ହଟ୍ । ସେଠାରେ ଶୋମ୍ପନମାନଙ୍କୁ ଆତିଥ୍ୟ ଦିଆଯାଏ । କଥା ବୁଝାବୁଝି କରିବ ପାଇଁ ଜଣେ କର୍ମଚାରୀ ଅଛନ୍ତି । ଭଟ୍ଟବାବୁ ଶୋମ୍ପେନମାନଙ୍କ ପାଖରେ ବସିପଡିଲେ ଆଉ ସେମାନଙ୍କ ସହ କଥା ହେବାକୁ ଚେଷ୍ଟା କଲେ । କିନ୍ତୁ ସେଥିରେ କାହିଁ କ’ଣ ହୁଅନ୍ତା । କେହି କାହା ଭାଷା ବୁଝିପାରୁନଥିଲେ । ଯାହା କିଛି ସାମାନ୍ୟ ଠାରରେ । ଏତିକି ବୁଝି ହେଉଥିଲା ସେମାନଙ୍କୁ ଶୋମ୍ପେନ ହଟରେ କିଛି ଖାଇବାକୁ ମିଳିବ । ଏତେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବା ଶୋମ୍ପେନମାନଙ୍କ ପାଇଁ ସରକାରୀ ତରଫରୁ କିଛି ବ୍ୟବସ୍ଥା କରାଯାଇଛି ।
ଶୋମ୍ପେନ ହଟ୍ ରାସ୍ତାଠାରୁ ତଳକୁ ଥିଲା ଆଉ ଯିବା ଅସିବା ପାଇଁ ସିମେଣ୍ଟର ସିଡି ତିଆରି ହୋଇଥିଲା । ସେ ରାସ୍ତାରେ ଶୋମ୍ପେନମାନେ ତଳକୁ ଓହ୍ଲାଇ ଆସିଲେ । ତଳେ କିଛି କୋଠାଘର ଆଉ ସେ ଭିତରୁ ଗୋଟିଏ ଥିଲା ରୋଷେଇ ଘର । ଖାଇବା ପାଇଁ ଏକ ଛାତ ଥାଇ ବାରଣ୍ଡାର ବ୍ୟବସ୍ଥା ଥିଲା । ସେ ଲୋକମାନେ ସେଇଠି ବସିଲେ । ଦେଖିବାରୁ ଜଣାଗଲା ଯେ ବୟସ୍କ ବ୍ୟକ୍ତିଟିର ଡାହାଣ ଆଖି ବୋଧେ ଖରାପ ହୋଇଯାଇଛି । ଶୋମ୍ପେନ କମପ୍ଲେକ୍ସରେ ଅନେକ ଘର ଥିଲା । ଜଣେ କର୍ମଚାରୀ ରହୁଥିଲେ । ସେ ଶୋମ୍ପେନମାନଙ୍କୁ ଏକ ଆଲୁମିନିୟମ ଡେକଚି ଓ ଚାଉଳ ଦେଲେ । ଶୋମ୍ପେନମାନେ ଡେକଚିରେ ପାଣି ଭରିଲେ ଆଉ ତା’କୁ ରୋଷେଇ ଜାଗାକୁ ନେଇନେଲେ । ରୋଷେଇ ଜାଗା ଟିକେ କଳା ପଡିଯାଇଥିଲା । ଚୂଲାରେ କିଛି ପାଉଁଶ ଥିଲା । ଚୂଲାରେ ଶୋମ୍ପେନମାନେ କାଠ ପୁରାଇ ନିଆଁ ଲଗାଇ ଚୂଲା ଉପରେ ହାଣ୍ଡି ବସାଇଦେଲେ । ଜଙ୍ଗଲ ଭିତରିଆ ଶୋମ୍ପେନମାନେ ତାହାହେଲେ କିଛି ରୋଷାଇବାସ ଶିଖିଯାଇଛନ୍ତି । ସମୁଦ୍ରକୂଳିଆ ଶୋମ୍ପେନମାନଙ୍କ ବସ୍ତିରେ ଅସୀମ ହାଣ୍ଡି ଇତ୍ୟାଦି ଦେଖିଥିଲେ ।
ଶୋମ୍ପେନ ହଟରେ ଏହି ରୋଷେଇ କରିବାର ଦେଖି ଅସୀମଙ୍କୁ ଲାଗୁଥିଲା ଯେ ଶୋମ୍ପେନମାନେ ନିଜ କାମ ନିଜେ କରନ୍ତୁ ଆଉ ଚୂଲାରେ କେମିତି ରୋଷାଇ କରାଯାଏ ତାହା ଜାଣନ୍ତୁ । ସେମାନେ ମୁହଁରେ ଚୁଲାକୁ ଫୁଙ୍କୁଥିଲେ ଫଳରେ କାଠରେ ଜଲଦି ନିଆଁ ଲାଗୁ । ଚୂଲାରେ ନିଆଁ ଦେଖାଗଲା, ଏମାନେ ଶୁଖିଲା କାଠକୁ ସମୟ ଦେଖି ଚୂଲାରେ ପେଲି ଦେଉଥିଲେ । ଫଳରେ ନିଆଁ ଲିଭୁନଥିଲା । କିଛି ସମୟ ପରେ ରୋଷାଇ ସରିଗଲା । କେବଳ ଭାତ । ତା’ପରେ ସେମାନେ ହାଣ୍ଡିକୁ ଖାଇବା ଜାଗାକୁ ଆଣିିଲେ । ଦୁଇଟା କଦଳୀ ପତ୍ର କାଟିନେଇ ଆସିଥିଲେ । ସେଇଥିରେ ଭାତକୁ ଢାଳିକରି ଖାଇବେ । ଏକ ଡଙ୍କି ଭଳି ବାସନରେ ନିଜ ନିଜ ପତ୍ର ଉପରେ ଭାତ ବାଢିନେଲେ । ସେମାନେ ଖାଇବା ପୂର୍ବର ହାତ ମୁହଁ ଧୋଇଲେ ନାହିଁ । ଦୁଇଜଣ ଏଡେ ଡେକଚିରେ ଥିବା ଭାତକୁ ପୁରା ଖାଇନେଲେ ।
“ଶୋମ୍ପେନମାନଙ୍କୁ ରୋଷେଇ କରିବାକୁ ଦେବା ଏକ ଭଲ ଉଦ୍ୟମ ।”-ଭଟ୍ଟବାବୁ କହିଲେ ।
ଅସୀମ ମୁଣ୍ଡ ହଲାଇଲେ । ସେ ମଧ୍ୟ ଏହା ଭଲ ବୋଲି ବୁଝୁଥିଲେ । ସେମାନଙ୍କୁ ଏହା ଦ୍ୱାରା ନିଆଁର ବ୍ୟବାହାର, ଉପକାରିତା ଆଉ ଚୁଲାରେ ରୋଷାଇ ଆଦି ଶିଖାଯାଉଛି । ଯଦି କେବଳ ଖାଇବାକୁ ଦିଆହେଉଥାନ୍ତା ତାହାହେଲେ ଶୋମ୍ପେନମାନେ ରୋଷେଇ କରିବା ଶିଖନ୍ତେ ନାହିଁ । ସେଥିରେ କେବଳ ଦାନ ଖଇରାତରେ ଭିକାରୀ ଖାଇଲା ଭଳି ଖାଇ ଫେରିଆସୁଥାନ୍ତେ । ତାହାହେଲେ ଶିିକ୍ଷା ଦେବାର ମୁଖ୍ୟ ଉଦେ୍ଦଶ୍ୟ ବିଫଳ ହୁଅନ୍ତା । “କିଛି ଦେବା ଉଚିତ, କିନ୍ତୁ ତାହା ସହ କିଛି ଶିକ୍ଷା ଦେବା ବାଂଛନୀୟ ।”- ଭଟ୍ଟବାବୁ କହିଲେ । ଅସୀମ ମୁଣ୍ଡ ହଲାଇଲେ । ତଥାପି ଅସୀମଙ୍କ ମନରେ ସେହି ପୁରୁଣା ଜଙ୍ଗଲୀ ମଣିଷର ଚିତ୍ର ନାଚିଗଲା । ନିଜ ପୁରୁଣା ବିଚାର ବଦଳିବାକୁ ଚାହୁଁନଥିଲା । ସେଥିରେ ଜଙ୍ଗଲୀ ମଣିଷ କାଠରେ ନିଆଁ ଲଗାଉଛି । ସେଥିରେ କିଛି ଜୀବକୁ ଶିକାର କରି ଜଳାଉଛି ଆଉ ମାଂସକୁ କାମୁଡି କାମୁଡି ଖାଉଛି । ସେ ଦେଖିଥିବା ଆଗର ଚିତ୍ରରେ କାହିଁ ବାସନକୁସନ ଦିଶିନଥିଲା । ତାଙ୍କ ଭିତରର ଜଙ୍ଗଲୀ ମଣିଷ ଏବେକାର ଜଙ୍ଗଲୀ ମଣିଷଠାରୁ ପୁରୁଣା, ତେଣୁ ଆଉ କିଛି ଜିନିଷର ଆବଶ୍ୟକତା ଅଛି ବୋଲି ସେତେବେଳେ ଜାଣିପାରିନଥିଲା । ଏବେକାର ଜଙ୍ଗଲୀ ମଣିଷ ବଦଳିଯାଉଛନ୍ତି । ଦିନ ବଦଳି ରାତି ହେଉଛି, ରାତି ଯାଇ ଦିନ ହେଉଛି । ସମୟ ବଦଳୁଛି, ଜଙ୍ଗଲୀ ମଣିଷମାନେ କିଛି ବଦଳିବେ ।
ଫେରିବା ବେଳକୁ ରାତି ହୋଇଆସିଥିଲା । ସେମାନେ ରାସ୍ତା ଉପରେ ଏକ ଅଜଗର ସାପକୁ ଦେଖିଲେ । ପୁରା ଅନ୍ଧାରରେ ସାପଟି ରାସ୍ତାକୁ ପାର ହେଉଥିଲା । ବେଶ ଲମ୍ବା ସାପଟିର ରଙ୍ଗ କଳା-ହଳଦିଆ, ଉପରେ ଗାଢ କଳା ଛାପମାନ ଅଛି । ସାପଟିର ବେଶ ମୋଟା ଦେହ । ଟର୍ଚ୍ଚ ଆଲୋକରେ ସାପର ଆଖି ଜଳିଲା ଭଳି ଲାଗୁଥିଲା । ଏମାନେ ସାପକୁ ଦେଖି ଅଟକିଗଲେ ଆଉ ସାପ ନିଡରରେ ରାସ୍ତା ପାର ହୋଇଗଲା । ଅସୀମ ଜଙ୍ଗଲକୁ ଅନାଇ ଭାବୁଥିଲେ ଦିନର କଥା । ଏମିତି ଗଭୀର ଜଙ୍ଗଲ ଭିତରେ କେଉଁଠି ଶୋମ୍ପେନମାନେ ଅଜଗର ଭଳି ସାପ ସହ ରହୁଥିବେ ଆଉ ଦିନରେ ଜଙ୍ଗଲୀ ଜୀବଙ୍କ ପଛରେ ଦୌଡୁଥିବେ । ବର୍ତ୍ତମାନ କିନ୍ତୁ କୁଡିଆରେ ନିଶ୍ଚିନ୍ତରେ ନିଦ ଯାଇଥିବେ । (କ୍ରମଶଃ)
ଭୁବନେଶ୍ୱର