ପୋଲ ଭୁଶୁଡୁଛି କାହିଁକି?
ସମଗ୍ର ଦେଶରେ ଜାତୀୟ ରାଜପଥ ପ୍ରାଧିକରଣ ଜାତୀୟ ରାଜପଥଗୁଡ଼ିକରେ ପୋଲ ଏବଂ ସେତୁ ନିର୍ମାଣ କରୁଛନ୍ତି । ଏହି ପୋଲଗୁଡ଼ିକର ନିର୍ମାଣ କ୍ଷେତ୍ରରେ ଟେଣ୍ଡର୍ ଆହ୍ୱାନ କରାଯାଇ ପୋଲ ନିର୍ମାଣ କରାଯାଉଛି ଏବଂ ଏ କ୍ଷେତ୍ରରେ ସର୍ବାଧିକ ସଚ୍ଚୋଟତା, ଅର୍ଥର ମିତବ୍ୟୟିତା, କାର୍ଯ୍ୟର ମାନ ଆଦି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଜାତୀୟ ରାଜପଥ ମନ୍ତ୍ରଣାଳୟ କହିଆସୁଛି । ଏହାସତ୍ତ୍ୱେ ଏଇ ଅଳ୍ପଦିନ ତଳେ ଭଦୋଦରାର ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ପୋଲ ଭୁଷୁଡ଼ି ପଡିଥିବା ଘଟଣା ସମଗ୍ର ଦେଶରେ ଚହଳ ପକାଇ ଦେଇଛି । ଏ କ୍ଷେତ୍ରରେ ପ୍ରଶାସନିକ ଅବହେଳା, ନିମ୍ନମାନର କାର୍ଯ୍ୟ ଆଦିକୁ ବିରୋଧୀ ଦଳମାନେ ପ୍ରସଙ୍ଗ କରି ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କର ଅଭିଯୋଗ ସତ୍ତ୍ୱେ ଜାତୀୟ ରାଜପଥ ଉପରେ ନିର୍ମାଣ କରାଯାଉଥିବା ପୋଲଗୁଡ଼ିକ ନିମ୍ନମାନର ହେଉଥିବା ଦେଖାଯାଉଛି । ତେବେ ସବୁଠାରୁ ବଡ଼କଥା ହେଲା ଗତ ୫ ବର୍ଷ ମଧ୍ୟରେ ଜାତୀୟ ରାଜପଥ ଉପରେ ୪୨ଟି ପୋଲ ଭାଙ୍ଗିଛି । ଦୀର୍ଘସ୍ଥାୟୀ ଭିତ୍ତିରେ ଦେଖିବାକୁ ଗଲେ ଗତ ୪୦ ବର୍ଷରେ ୨୧୩୦ଟି ପୋଲ ବିଭିନ୍ନ ରାଜ୍ୟରେ ରାଜପଥ ଉପରୁ ଭୁଶୁଡ଼ି ସାରିଲାଣି । ସରକାର ଉପଗ୍ରହ ମାଧ୍ୟମରେ ରାସ୍ତା ନିର୍ମାଣ ତଥା ପୋଲ ନିର୍ମାଣ ଉପରେ ଦୃଷ୍ଟି ରଖୁଥିବା ଦାବି କରି ଆସୁଛନ୍ତି । ଏସବୁ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥଗୁଡ଼ିକ ଉପରେ ପୋଲ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାରେ ଭୁଶୁଡ଼ି ଯାଉଥିବା ଦେଖାଯାଉଛି ।
୨୦୨୧-୨୦୨୪ ବର୍ଷ ମଧ୍ୟରେ ଜାତୀୟ ରାଜପଥ ଉପରେ ୨୧ଟି ପୋଲ ଭୁଶୁଡ଼ିଛି । ଏହା ହେଉଛି ସରକାରୀ ରିପୋର୍ଟ୍ । ୧୯୭୭ରୁ ୨୦୧୭ ମଧ୍ୟରେ ୨୧୩୦ ପୋଲ ଭୁଶୁଡ଼ିଛି । ଅବଶ୍ୟ କେତେକ କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ, ଅତିବୃଷ୍ଟି ଭଳି ଘଟଣା ଘଟିଛି । ଅଥଚ ଖରାପ ସାମଗ୍ରୀ, ନିମ୍ନମାନର ସାମଗ୍ରୀ, ନିମ୍ନମାନର କାର୍ଯ୍ୟ, ପୋଲ ନିର୍ମାଣ କରିବା କ୍ଷେତ୍ରରେ ପୋଲର କ୍ଷମତାକୁ ଆକଳନ ନକରିବା ଭଳି ବିଭିନ୍ନ କାରଣରୁ ଅନେକ ପୋଲ ଭୁଶୁଡୁଛି । ବିଶେଷ କରି କେଉଁ ନଦୀରେ ବର୍ଷା ହେଲେ କେତେ ପାଣି ପ୍ରବାହିତ ହୁଏ କିମ୍ବା କେଉଁ ନଦୀର କ୍ୟାଚ୍ମେଣ୍ଟ ଏରିଆରେ କେତେ ପାଣି ଆସେ ତାହାର ଆକଳନ ନକରି ପୋଲ ନିର୍ମାଣ ହେଉଥିବା ଦେଖାଯାଉଛି । ଏସବୁ ଇଞ୍ଜିନିୟରମାନଙ୍କର ଦୃରଦୃଷ୍ଟି ଅଭାବ ଯୋଗୁଁ ଘଟୁଛି । ବନ୍ୟାଜଳ ପ୍ରବାହିତ ହେଲେ ନଦୀଶଯ୍ୟାରେ ପୋଲ ତେଲେ କେତେ ପାଣି ଯାଇପାରିବ ତାକୁ ଆକଳନ ନକରି ଯଦି ପୋର ସ୍ପାନ୍ଗୁଡ଼ିକୁ ତିଆରି କରାଯାଏ ତେବେ ନିଶ୍ଚିତ ଭାବରେ ଅଧିକ ମାତ୍ରାରେ ବର୍ଷାପାଣି ଆସିଲେ ପାଣି ପୋଲ ତଳେ ନଯାଇ ପାଣି ପୋଲ କଡରେ ପ୍ରବାହିତ ହେବ । ଏହା ଫଳରେ ରାସ୍ତା ଧୋଇ ଯାଇ ପୋଲ ଦବି ଭାଙ୍ଗିଯିବ । ତେଣୁ ପୋଲ ନିର୍ମାଣ କ୍ଷେତ୍ରରେ ନଦୀ ଓ ନାଳଗୁଡ଼ିକର ସର୍ବାଧିକର ଜଳପ୍ରବାହ କ୍ଷମତାକୁ ମଧ୍ୟ ଆକଳନ କରାଯିବା ଆବଶ୍ୟକ । ପୂର୍ବ ବର୍ଷମାନଙ୍କର ନଦୀନାଳରେ ଜଳ ପ୍ରବାହର ରେକର୍ଡ୍କୁ ମଧ୍ୟ ଅନୁଧ୍ୟାନ କରାଯିବା ଆବଶ୍ୟକ । ଏ କ୍ଷେତ୍ରରେ ପାଣିପାଗ ବିଭାଗ ଠାରୁ ଆରମ୍ଭ କରି ଜଳସମ୍ପଦ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି; କିନ୍ତୁ କୌଣସି ବିଭାଗ ସହିତ ସମ୍ପର୍କ ନରଖି ଏକୁଟିଆ ଭାବରେ ରାଜପଥଗୁଡ଼ିକ ଉପରେ ପୋଲ ନିର୍ମାଣ କରାଯାଉଥିବାରୁ ଜଳ ପ୍ରବାହର ରେକର୍ଡ୍ ବିଷୟରେ ଜ୍ଞାନ ରହୁନାହିଁ ଏବଂ ପୋଲ ଭୁଶୁଡ଼ିବା ସହିତ ରାସ୍ତା ମଧ୍ୟ ନଷ୍ଟ ହେଉଛି ।
ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ସର୍ବାଧିକ ଲମ୍ବର ଜାତୀୟ ରାଜପଥ ରହିଛି । ଏହି ରାଜପଥଗୁଡ଼ିକର ନିର୍ମାଣର ମାନକୁ ନେଇ କେନ୍ଦ୍ର ସରକାର ସବୁବେଳେ କୌଣସି ପ୍ରକାରରେ ସାଲିସ୍ କରାଯିବ ନାହିଁ ବୋଲି କହି ଆସୁଛନ୍ତି ସତ; ମାତ୍ର ସଡ଼କ ନିର୍ମାଣ କ୍ଷେତ୍ରରେ ନିଯୁକ୍ତ ଥିବା ଯନ୍ତ୍ରୀମାନଙ୍କର ମନୋଭାବରେ ପରିବର୍ତ୍ତନ ନଆସିଲେ ରାସ୍ତା ସହିତ ପୋଲ ସେମିତି ଭୁଶୁଡୁଥିବ । ସରକାରଙ୍କର ହଜାର ହଜାର କୋଟି ଟଙ୍କା ନଷ୍ଟ ହେବ । ଏ ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବା ଉଚିତ୍ ।