ଅତନୁଙ୍କ ଅହଙ୍କାରକୁ ଠାଏ’

 ଭୁବନେଶ୍ୱର/ମହାକାଳପଡ଼ା: ପ୍ୟାରୀମୋହନ ମହାପାତ୍ରଙ୍କ ଅମଳରେ ଇନ୍ଦ୍ର ଚନ୍ଦ୍ର ମାନୁନଥିଲେ ଅତନୁ ସବ୍ୟସାଚୀ ନାୟକ  । ପ୍ୟାରୀଙ୍କ ତିନି ବ୍ଳୁଆୟଡ଼ ବୟ ଅରୁଣ ସାହୁ, ସଂଜୟ ଦାସବର୍ମା ଓ ଅତନୁଙ୍କ ମଧ୍ୟରୁ ଅତନୁ ହିଁ ଅସଲ ଖେଳାଳୀ ଥିଲେ  । କେତେବେଳେ ସେ ରାଜ୍ୟସଭାରେ ଘୋଡ଼ା ବେପାର କରୁଥିଲେ ତ କେବେ ପ୍ୟାରୀ ବା ବିଜେଡ଼ି ବିରୋଧରେ ଲେଖୁଥିବା ଗଣମାଧ୍ୟମ ଉପରେ ଦାଉ ସାଧୁଥିଲେ  । ବିଜୟ ମହାପାତ୍ରଙ୍କ ଭଳି ରାଜନୀତିକ ହସ୍ତୀଙ୍କୁ ବାରବାର ପରାସ୍ତ କରି ଅହଙ୍କାରରେ ମଦମସ୍ତ ହୋଇଯାଇଥିଲେ ଅତନୁ  । ମହାକାଳପଡ଼ାକୁ ଅଙ୍ଗିଲା କରି ରଖିଥିବା ଅତନୁଙ୍କ ଅହଙ୍କାରର ପାହାଡ଼ କିନ୍ତୁ ଏବେ ଭାଙ୍ଗି ଗୁଣ୍ଡ ହୋଇଯାଇଛି  । ନବାଗତ ଯୁବ ନେତା ଦୁର୍ଗାପ୍ରସନ୍ନ ନାୟକଙ୍କ ରଣନୀତି ଆଗରେ ଅତନୁ ଫିକା ପଡ଼ିଯାଇଛନ୍ତି  ।
ଆମର ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡ଼ସିଂ ଜଣାଇଛନ୍ତିଯେ, ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ପଦ ନେଇ ଦୀର୍ଘ ଛ ମାସ ହେବ ଲାଗି ରହିଥିବା ରାଜନୈତିକ ଲଢ଼େଇର ଯବନିକା ପଡ଼ିଛି  । ବିଜେପି ସମର୍ଥିତ ଗଡରୋମିତ ପଞ୍ଚାୟତ ସମିତି ସଭ୍ୟା ମୀରାରାଣୀ ମହାନ୍ତି ମହାକାଳପଡ଼ା ବ୍ଳକର ନୂତନ ଅଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି  । ତେବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଛନ୍ତି ।  ୨୦୨୪ ନିର୍ବାଚନରେ ହାରିବା ପରେ ଅତନୁଙ୍କ ପତିଆରା ଉପରେ ପ୍ରହାର ହୋଇଥିଲା  । ମହାକାଳପଡ଼ା ବିଧାୟକ ଭାବେ ବିଜେପି ନେତା ଡ଼.ଦୁର୍ଗା ପ୍ରସନ୍ନ ନାୟକ ନିର୍ବାଚିତ ହେବାପରେ ବିଜେଡ଼ି ସମର୍ଥିତ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଆସନ ଟଳମଳ ହୋଇଥିଲା  । ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବ୍ଲକର ସମୁଦାୟ ୩୧ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ବିଜେଡି ୨୪ଟି ହାତେଇ ନେଇଥିବା ବେଳେ ବିଜେପି ଭାଗରେ ପଡ଼ିଥିଲା ମାତ୍ର ସାତ ଗୋଟି  । ଫଳରେ ନିରଙ୍କୁଶ ଭାବେ ବିଜେଡ଼ି ହାତକୁ ଚାଲି ଯାଇଥିଲା ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା ପଦ  । କିନ୍ତୁ ବିଜେଡ଼ି ସରକାରର ପତନ ପରେ ମହାକାଳପଡ଼ାର ଅନେକ ସମିତିସଭ୍ୟ ଓ ସମିତିସଭ୍ୟା ତକôାଳନୀ ବ୍ଳକ ଅଧ୍ୟକ୍ଷାଙ୍କୁ ବିରୋଧ ଆରମ୍ଭ କରିଦେଇଥିଲେ  । ବିଜେପି ଓ ବିଜେଡ଼ି ସମର୍ଥିତ ସମିତିସଭ୍ୟ/ସଭ୍ୟାମାନେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ  । କିଛି ବିଜେଡ଼ି ସମର୍ଥିତ ପଞ୍ଚାୟତ ପ୍ରତିନିଧି ବି ଅତନୁଙ୍କ ହାତ ଛାଡ଼ି ଦୁର୍ଗାଙ୍କ ଶିବିରକୁ ଚାଲି ଯାଇଥିଲେ  । ଅନାସ୍ଥା ଭୋଟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ୪୯ ଖଣ୍ଡ ଭୋଟ ପଡ଼ିବାରୁ ତାଙ୍କୁ ପଦ ହରାଇବା ପାଇଁ ପଡ଼ିଥିଲା  । ତେଣୁ ନୂତନ ବ୍ଲକ ଅଧ୍ୟକ୍ଷା ପଦ ଚୟନ ନିମନ୍ତେ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା  । ଆଜି ୩୧ଜଣ ସମିତି ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୨୫ ଜଣ ଉପସ୍ଥିତ ରହି ବିଜେପି ସମର୍ଥିତ ପ୍ରାର୍ଥୀ ଗଡ଼ରୋମିତ ପଞ୍ଚାୟତ ସମିତି ସଭ୍ୟା ମିରାରାଣୀ ମହାନ୍ତିଙ୍କ ସପକ୍ଷରେ ମତଦାନ କରିଥିଲେ  । ଯେତେବେଳେକି, ବିଜେଡି ସମର୍ଥିତ ଅନ୍ୟ ଛ ଜଣ ସମିତିସଭ୍ୟ/ସଭ୍ୟା ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା । ଅନାସ୍ଥା ଭୋଟ ପଡ଼ିବା ଦିନ ଓ ବ୍ଲକ ଅଧ୍ୟକ୍ଷା ପଦ ନିମନ୍ତେ ଉପନିର୍ବାଚନ ଦିନ ଉଭୟ ଥର ବିଜେଡ଼ି ସମର୍ଥିତ ସଭ୍ୟ/ସଭ୍ୟା ମାନେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ମହାକାଳପଡ଼ା ରାଜନୀତି ସରଗରମ ହୋଇଯାଇଛି  । ପରାଜୟ ଭୟରେ ବିଜେଡ଼ି ୱାକଓଭର ଦେବା ଘଟଣା ଅତନୁଙ୍କ ରାଜନୀତିକ ସ୍ଥିତି ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟିକରିଛି  ।