ନବ ଦାସଙ୍କ ହତ୍ୟା ପ୍ରସଙ୍ଗ : ସିବିଆଇ ତଦନ୍ତକୁ ଡରୁଛି କିଏ ?
ଭୁବନେଶ୍ୱର : ନବ ଦାସଙ୍କ ହତ୍ୟା ବେଳଠାରୁ ବିଜେପି କହିଆସୁଛି ସିବିଆଇ ତଦନ୍ତ କର । ଏବେବି ବିଜେପି ନେତାମାନେ ଏମିତି ଦାବି କରୁଛନ୍ତି । ସେପଟେ ଆମେ ଲିଖିତ ଭାବେ ସିବିଆଇ ତଦନ୍ତ ପାଇଁ ଦାବି କରିବୁ ବୋଲି କହି ଆସୁଛନ୍ତି ନବଙ୍କ ଝିଅ ଦୀପାଳି । ହେଲେ ଏଯାଏଁ ଚିଠି ଲେଖିବାକୁ ଦୀପାଳିଙ୍କ ହାତ ଥରୁଛି । ସିବିଆଇ ତଦନ୍ତ ପାଇଁ ନ ଲେଖିବାକୁ ବିଜେଡ଼ି କୁଆଡ଼େ ତାଙ୍କ ଉପରେ ଚାପ ପକାଉଛି ବୋଲି ସାନି ଅଭିଯୋଗ ବାଢ଼ିଛନ୍ତି ବିଜେପି ନେତା । ଏସବୁ ଘଣ୍ଟାଚକଟା ଭିତରେ ସିବିଆଇ ତଦନ୍ତ ପାଇଁ ଡରୁଛି କିଏ ? ଦୀପାଳି ନା ବିଜେଡ଼ି ? ଏମିତି ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ ।
ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ଗତ ଦୁଇ ବର୍ଷ ଧରି ରାଜନୀତି ଥମିବାର ନାଁ ଧରୁନାହିଁ । ଏହି ହତ୍ୟାକାଣ୍ଡ ପଛରେ ବିଜେଡ଼ିର ପ୍ରମୁଖ ନେତାଙ୍କ ହାତ ରହିଛି ବୋଲି ବିଜେପିର ବହୁ ବରିଷ୍ଠ ନେତାମାନେ ଅଭିଯୋଗ କରି ଆସୁଛନ୍ତି । ବିଜେଡ଼ି ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସେତେବେଳେ ବିଜେପି ନେତାମାନେ ସନେ୍ଦହ ପ୍ରକାଶ କରୁଥିଲେ । ସିଧାସିଧା କହିଥିଲେ, ନବ ଦାସ କାଳେ ମୁଖ୍ୟମନ୍ତ୍ରୀ ହୋଇଯିବେ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବିଜେଡ଼ିର ମୁଖ୍ୟମନ୍ତ୍ରୀ ଆଶାୟୀ ଷଡ଼ଯନ୍ତ୍ର କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଖସିଯିବେ । ବିଶେଷକରି ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ଏକଥା ନିର୍ବାଚନ ପୂର୍ବରୁ ଓ ପରେ କହି ଆସୁଛନ୍ତି । ଖାଲି ସେ ନୁହଁନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବି ସମାନ କଥା ଦୋହରାଉଛନ୍ତି । ଆଜି ସେ ଆଉ ପାଦେ ଆଗେଇଯାଇ ବିଜେଡ଼ି ସିବିଆଇ ତଦନ୍ତ ପାଇଁ ଚାହୁଁନାହିଁ । ତେଣୁ ଦୀପାଳିଙ୍କୁ ଚିଠି ନଲେଖିବାକୁ ଚାପ ପକାଯାଉଛି ବୋଲି ସଂଗୀନ ଅଭିଯୋଗ ବାଢ଼ିଛନ୍ତି ।
ପୂର୍ବରୁ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିଥିବାବେଳେ ଏହାର ଜବାବ ଦେଇଥିଲେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ଦୀପାଳି ସରକାରଙ୍କୁ ଲିଖିତ ଭାବେ ଜଣାଇଲେ ପଦକ୍ଷେପ ନିଆଯିବ ବୋଲି ପୃଥ୍ୱୀରାଜ କହିଥିଲେ । ଆଇନ୍ ମନ୍ତ୍ରୀ ଆହ୍ୱାନ ଦେବାର ଦୁଇଦିନ ପରେ ଦୀପାଳି ମଧ୍ୟ ସିବିଆଇ ତଦନ୍ତ ପାଇଁ ଲେଖିବୁ ବୋଲି କହିଥିଲେ । ଇତିମଧ୍ୟରେ ଦେଢ଼ ମାସ ବିତିଗଲାଣି । ଦୀପାଳି କିମ୍ବା ତାଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ପାଇଁ ପତ୍ର ଲେଖିନାହାନ୍ତି । ଏହାର କାରଣ କ’ଣ ? ସତରେ କ’ଣ ବିଜେଡ଼ି ସିବିଆଇ ତଦନ୍ତକୁ ଡରୁଛି ନା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳ ଡରୁଛନ୍ତି ? ବିଜେପି ନେତାଙ୍କ ଅଭିଯୋଗ ହେଉଛି, ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ ବୋଲି ତାଙ୍କୁ ରାସ୍ତାରୁ ହଟାଇ ଦିଆଗଲା । ତାର୍କିକ ଦୃଷ୍ଟିକୋଣରୁ ବିଚାର କଲେ ଏଭଳି ଅଭିଯୋଗକୁ ନିରାଧାର ବୋଲି କୁହାଯାଇପାରେ । କାହିଁକିନା ନବ ଦାସ ଏମିତି ଲୋକପ୍ରିୟ ନେତା ନଥିଲେକି ବିଜେଡ଼ିର ଗଣ୍ଡା ଗଣ୍ଡା ବିଧାୟକ ତାଙ୍କ ସହ ନଥିଲେ । ସେହିପରି ନବୀନ ପଟ୍ଟନାୟକ ନିଜେ ମଙ୍ଗ ଧରିଥିବାବେଳେ ଆଉ କିଏ ମୁଖ୍ୟମନ୍ତ୍ରୀ ହେବାର ପ୍ରଶ୍ନ ହିଁ ନଥିଲା । ଗାଏମୋଟ୍ କହିଲେ ନବ ଦାସ ଝାରସୁଗୁଡ଼ା ଓ ସମ୍ବଲପୁରର କିଛି ନିର୍ବାଚନମଣ୍ଡଳୀରେ ହିଁ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଥିଲେ । ଅବଶ୍ୟ କଂଗ୍ରେସରେ ଥିବାବେଳେ ତାଙ୍କର ଦବଦବା ଦଳରେ ଯେତିକି ଥିଲା ବିଜେଡ଼ିକୁ ଆସିବା ପରେ ତାହା କମି ଯାଇଥିଲା । ତେଣୁ ବିଜେପି ନେତାଙ୍କ ଏଭଳି ଅଭିଯୋଗକୁ ଅତିରଞ୍ଜିତ କୁହାଗଲେ ଭୁଲ ହେବନାହିଁ । ନବ ଦାସଙ୍କ ହତ୍ୟା ପଛରେ ପ୍ରମୁଖ କାରଣ ବ୍ୟବସାୟିକ ଥିଲା ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା । ଏହା ପଛରେ କିନ୍ତୁ ଅନେକ ଯୁକ୍ତି ରହିଛି । ତାର୍କିକ ଦୃଷ୍ଟିକୋଣରୁ ତାହାକୁ ଅଣଦେଖା କରାଯାଇପାରିବ ନାହିଁ । ନବ ଦାସ ରାଜନୀତିକ ଦୃଷ୍ଟିକୋଣରୁ ଯେତିକି ସଶକ୍ତ ନଥିଲେ ତାହାଠାରୁ କାହିଁ କେତେଗୁଣା ବ୍ୟବସାୟିକ ଦୃଷ୍ଟିରୁ ଶକ୍ତିଶାଳୀ ଥିଲେ । ଶହ ଶହ କୋଟି ଟଙ୍କାର ବେପାର ସହ ମୂଲ୍ୟବାନ ଜମିର ମାଲିକ ଥିଲେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଥିଲା । ସାଧାରଣତଃ ବ୍ୟବସାୟିକ ସ୍ୱାର୍ଥ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ନେତାଙ୍କ ମୁଣ୍ଡ ଗଡ଼ିବାର ନଜିର ରହିଛି । ଯଦିଓ ଗୋପାଳ ଦାସ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି, ତାହାକୁ ସାଧାରଣରେ ଗ୍ରହଣ କରାଯାଇପାରୁନାହିଁ । ଗୋପାଳ କହିଥିଲେ, ନବ ଦାସ ତାଙ୍କୁ କାଳେ ମାରିଦେବେ ସେ ସେହି ଡରରେ ଥିଲେ । ସେଥିପାଇଁ ସେ ଗୁଳି କରି ହତ୍ୟା କରିଦେଲେ । ତେବେ ଜଣେ ପୁଲିସ୍ ଅଫିସର ଭାବେ ସେ କ’ଣ ଜାଣିନଥିଲେ, ମୁଁ ଗୁଳି କରି ମାରିବା ମାତ୍ରେ ଜେଲରେ ଆଜୀବନ ରହିବି ବୋଲି ? ଏମିତିକି ଫାଶୀ ବି ହୋଇପାରେ । ତେଣୁ ଡରରୁ ବଞ୍ଚôବା ପାଇଁ ଏଭଳି ଭୁଲ୍ କରିଛନ୍ତି ବୋଲି କହିବାଟା ଅନେକ ଗ୍ରହଣ କରିପାରୁନାହାନ୍ତି ।
ଏବେ ଆସିବା ସିବିଆଇ ତଦନ୍ତ ହେଲେ କ’ଣ ହେବ ? ସିବିଆଇ ତଦନ୍ତ ଆରମ୍ଭ କଲେ ତିନି ଦିଗରୁ ତଦନ୍ତ କରିବ । ଗୋଟିଏ ହେଉଛି ମୁଖ୍ୟ ଅପରାଧି ଗୋପାଳ ଦାସ । ଆଉ ଦୁଇଟି ହେଉଛି ରାଜନୀତିକ ଓ ବ୍ୟବସାୟିକ । ସମ୍ପ୍ରତି ନବ ଦାସଙ୍କ ଅବର୍ତ୍ତମାନରେ ତାଙ୍କର ପୁଅ ଝିଅ ବ୍ୟବସାୟିକ କାରବାର କଥା ବୁଝୁଛନ୍ତି । ବ୍ୟବସାୟିକ କାରବାରରେ ଧଳା ଓ କଳା ଉଭୟ ରହିବା ଏକ ଧରାବନ୍ଧା କଥା ହୋଇଯାଇଛି । ସିବିଆଇ ଯଦି ବ୍ୟବସାୟିକ କାରବାରକୁ ପଶିବେ ତେବେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବାର ଆଶଙ୍କା ବି ଏଡ଼ାଇ ହେବନାହିଁ । ଏମିତିକି ବେଆଇନ୍ ଆର୍ଥିକ ଦେଣନେଣର ତଥ୍ୟ ମିଳିଲେ ନବ ଦାସଙ୍କ ପରିବାରର ଆକାଉଣ୍ଟ ଫ୍ରିଜ୍ ହେଲେବି ଆଶ୍ଚର୍ଯ୍ୟ ହେବାର ନାହିଁ । ଏପଟେ ନବ ଦାସଙ୍କ ମୃତୁ୍ୟ ପରେ ତାଙ୍କ ପରିବାରର ରାଜନୀତିକ ଶକ୍ତି ହ୍ରାସ ପାଇଛି । ଗତ ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ । ଉପନିର୍ବାଚନରେ ଏକପାଖିଆ ବାଜିମାତ୍ କରିଥିବା ଦୀପାଳିଙ୍କୁ ଝାରସୁଗୁଡ଼ାବାସୀ ଗ୍ରହଣ କରିପାରିନାହାନ୍ତି ବୋଲି ବାର୍ତ୍ତା ଆସିସାରିଛି । ଏଭଳି ସମୟରେ ଯଦି ବ୍ୟବସାୟିକ କାରବାରର ଭିତିରି କଥା ପଦାକୁ ଆସେ ତାହେଲେ ନବ ଦାସଙ୍କ ପରିବାର ଲୋକ କ୍ଷତିଗ୍ରସ୍ତ ହେବେ । ଏଭଳି ଆଶଙ୍କା କରି ଦୀପାଳି ଓ ବିଶାଳ ନୀରବ ରହିନାହାନ୍ତି ତ ? ଏସବୁ ଚର୍ଚ୍ଚା ଭିତରେ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ କଡ଼ ଲେଉଟାଇଛି । ଆଗାମୀ ଦିନରେ ନବ ଦାସଙ୍କ ହତ୍ୟା ତଦନ୍ତ କେଉଁ ମୋଡ଼ ନେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।